ଚମକିଲା ମହାରାଷ୍ଟ୍ର ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ, ଅଜିତ୍ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାନାଟକର ଅନ୍ତ ଘଟିଛି । ରାତାରାତି ପଲଟି ଯାଇଛି ପଶାପାଲି । ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ହୋଇଛି । ଶନିବାର ସକାଳେ ବିଜେପି ଏନସିପି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି । ପୁଣି ଥରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍ ମହାରାଷ୍ଟ୍ରର ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି । ଦ୍ୱିତୀୟ ଥର ଲାଗି ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଏନ୍ସିପିର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାତାରାତି ମହାରାଷ୍ଟ୍ର ରାଜନୀତିରେ ପଶାପାଲି ପଲଟିଯିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଦିନକୁ ଦିନ ରାଜନୈତିକ ପାଣିପାଗ ବଦଳୁ ଥିବା ନେଇ ଲୋକଙ୍କ ମନରେ ଯେଉଁ ଉକ୍ରଣ୍ଠା ପାଲଟି ଥିଲା ତା’ର ପରିସମାପ୍ତି ହୋଇଛି । ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ତିନି ପ୍ରମୁଖ ଦଳ ମିଳିତ ଭାବେ ଘୋଷଣା କରିଥିଲେ । ପୁଣି ଶନିବାର ଉଦ୍ଧବ ଠାକରେ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିଥାନ୍ତେ । ହେଲେ ବିଜେପି-ଏନସିପି ମେଣ୍ଟ ମହାରାଷ୍ଟ୍ରର ଶାସନ ଭାର ନେଇ ସାରା ଦେଶକୁ ଚମକାଇ ଦେଇଛନ୍ତି । ଶନିବାର ସକାଳ ଆଠଟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପିର ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି ଯେ ମହାରାଷ୍ଟ୍ରବାସୀଙ୍କୁ ସ୍ଥିର ସରକାର ଦରକାର । ଖେଚୁଡ଼ି ନୁହେଁ । କେବଳ ଶିବସେନା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଶିବସେନା ଜନାଦେଶକୁ ଅପମାନିତ କରିଛି । ମହାରାଷ୍ଟ୍ରକୁ ଏକ ସ୍ଥିର ସରକାରର ଆବଶ୍ୟକତା ଥିଲା ଏଥିନିମନ୍ତେ ସେ ଏନସିପିର ଅଜିତ ପାୱାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ଶପଥ ଗ୍ରହଣ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ