ଗ୍ରାମ ପଞ୍ଚାୟତକୁ ଯାତାୟତ କରିବା ପାଇଁ ରାସ୍ତା ନାହିଁ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁର ଗ୍ରାମର ପ୍ରାୟ ୧ ହଜାର ଲୋକ ନିଜ ଗ୍ରାମ ପଞ୍ଚାୟତକୁ ଯିବାଆସିବା କରିବା ପାଇଁ ରାସ୍ତା ନଥିବା ଜଣାଯାଇଛି । ଗଣିଜାଙ୍ଗ ପଞ୍ଚାୟତ ଦେଇ ଦୀର୍ଘ ୪ କିମି ରାସ୍ତା ବୁଲି ଲୋକ ମାନେ ନିଜ ପଞ୍ଚାୟତକୁ ଆସୁଥିବା ଦେଖାଯାଇଛି । ରାସନ ଚାଉଳ, ଭତ୍ତା ସମେତ ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତକୁ ଆସିବା ଅସମ୍ଭବ ହୋଇପଡିଛି । ପ୍ରାୟ ୧୫ ବର୍ଷ ପୂର୍ବେ ଗୋପାଳପୁର କେନାଲ ବନ୍ଧ ମଠ ଠାରୁ ବିଲ ଦେଇ ପଞ୍ଚାୟତକୁ ଏକ ଅଣ ଓସାରିଆ ମାଟି ରାସ୍ତା ତିଆରି ହୋଇଥିଲା । ଫଳରେ ଲୋକମାନେ ୧ କିମି ଦୂରତ୍ୱ ରାସ୍ତାରେ ପଞ୍ଚାୟତକୁ ଆସୁଥିଲେ । ଉକ୍ତ ରାସ୍ତାର ଉନ୍ନତିକରଣ କରାଗଲା ନାହିଁ । ଏହି ରାସ୍ତା ଏବେ ସଂପୂର୍ଣ୍ଣ ନଷ୍ଟ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଉକ୍ତ ରାସ୍ତା ଏବେ ଆଣ୍ଠୁଏ ପାଣି ଓ କାଦୁଅରେ ପରିପୂର୍ଣ୍ଣ ହୋଇଛି । ପନିପରିବା ଚାଷ ପାଇଁ ଗୋପାଳପୁର ଗ୍ରାମ ଜିଲାରେ ପରିଚିତ । ଲୋକ ମାନେ ସବୁବେଳେ ନିଜ ପଞ୍ଚାୟତକୁ ନଯାଇ ଗଣିଜାଙ୍ଗ ବଜାର ଉପରେ ନିର୍ଭର କରିଥାନ୍ତି । ସ୍ୱାଧିନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ରାସ୍ତା ପ୍ରତି କାହାର ନଜର ନାହିଁ । ଜିଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ କେନାଲ ବନ୍ଧ ମଠ ଠାରୁ ଖଗେଶ୍ୱର ସ୍କୁଲ ପର୍ଯ୍ୟନ୍ତ ଥିବା ୧କିମି ରାସ୍ତାର ଉନ୍ନତିକରଣ କରାଇଲେ ଗ୍ରାମବାସୀ ମାନେ ନିଜ ପଞ୍ଚାୟତକୁ ଯାତାୟତ କରିବାର ସୁବିଧା ପାଇବେ ବୋଲି ଆଶା କରିଛନ୍ତି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ