୨୫ରେ ଇପିଏଫ ପେନସନଭୋଗୀଙ୍କ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ଇପିଏଫ୍ ପେନସନର୍ସ ଆସୋସିଏସନର ଏକ ବୈଠକ ଜିଲା ସଭାପତି ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ପଢ଼ୁଆଁପଦାସ୍ଥିତ ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖ, ଗୁରୁବାର ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାର ଇପିଏଫ୍ ପେନସନ୍‌ଭୋଗୀମାନେ ଆଇଟିଆଇ ଛକ ନିକଟସ୍ଥ ଇପିଏଫ୍ ସହକାରୀ କମିଶନରଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମାସିକ ସର୍ବନିମ୍ନ ୯ଶହ ଟଙ୍କା ପେନ୍‌ସନ୍‌, ଉଚ୍ଚ ବେତନ ହାରରେ ଅଧିକ ପେନସନ୍‌, ମହଙ୍ଗା ଭତ୍ତା ଓ ସ୍ୱାସ୍ଥ୍ୟବୀମା ଦାବିରେ ଏହି ଆନ୍ଦୋଳନ କରାଯିବ । ଜିଲା ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି ଇପିଏଫ୍ ପେନସନ୍‌ଭୋଗୀ ତଥା ବରିଷ୍ଠ ନାଗରିକଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନିନ୍ଦା କରିଥିଲେ । ରାଜ୍ୟ ଆସୋସିଏସନ୍‌ର ଆହ୍ୱାନକ୍ରମେ ସମଗ୍ର ରାଜ୍ୟରେ ସମସ୍ତ ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ବାଲେଶ୍ୱର ଓ.ଟି. ରୋଡ଼୍‌ସ୍ଥିତ ଡି.ଆଇ.ସି. ଅଫିସ୍ ଛକ (ବିଜୁ ପଟ୍ଟନାୟକଙ୍କ ଷ୍ଟାଚ୍ୟୁ) ନିକଟରୁ ଦିନ ୧୦ଟାରେ ଏକ ଶୋଭାଯାତ୍ରା ବାହାରି ଇପିଏଫ୍ ଅଫିସ୍ ପର୍ଯ୍ୟନ୍ତ ଯିବ । ସେଠାରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃତ୍ୱ ବିକ୍ଷୋଭକାରୀଙ୍କୁ ଉଦବୋଧନ ଦେବେ ।ଏହି ବୈଠକରେ ରାଜ୍ୟ କମିଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସଂସ୍ଥାରୁ ଅବସର ନେଇ ପେନସନ ପାଉଥିବା ଜଳଧର ପଣ୍ଡା, ଶ୍ୟାମସୁନ୍ଦର ଜେନା, ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ, ଶରତ ଚନ୍ଦ୍ର ଦଳାଇ, ଭୂପତି ଭୂଷଣ ଦାସ, ପରମେଶ୍ୱର ପାତ୍ର, ନବୀନ କୁମାର ପାତ୍ର, ହରେକୃଷ୍ଣ ବେହେରା, ମୟୁରଭଞ୍ଜ ଜିଲ୍ଲା ଉପସଭାପତି ମଧୁସୂଦନ ଜେନା ଓ ଭଦ୍ରକ ଜିଲା ସଭାପତି କୁଞ୍ଜବିହାରୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମାୟାଧର ନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ