ବନ୍ଧୁକ ବଦଳରେ ଧରିଲେ ଝାଡ଼ୁ

ମାଲକାନଗିରି : ଆତ୍ମସମର୍ପଣ କରିବା ପରେ ଏବେ ଭିନ୍ନ ପଥକୁ ଆପଣେଇଛନ୍ତି ମାଲକାନଗିରିର ଦୁଇ ମହିଳା ମାଓବାଦୀ । ଦିନେ ଯେଉଁ ହାତରେ ବନ୍ଧୁକ ଧରିଥିଲେ, ଏବେ ସେହି ହାତରେ ଝାଡ଼ୁ ଧରିଛନ୍ତି । ସ୍ୱାଭିମାନର ସହ ବଞ୍ଚିବା ପାଇଁ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଦୁଇ ଜଣ ହେଲେ, ମାଳତୀ କାବାସି ଓ ଦେବା ମାଢ଼ୀ । ୨୦୧୨ ମସିହାରେ ଦୁହେଁ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ସୂଚନା ଅନୁସାରେ, ମାଳତୀ କାବାସି ବୈପାରିଗୁଡା ଦଲମରେ ଦୀର୍ଘ ୮ ବର୍ଷ ରହି ଆଲମପାକା, ବୈପାରିଗୁଡା ଥାନା, ରାମଗିରି ଥାନା ଉଡାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବୈପାରିଗୁଡା ଅଂଚଳରେ କାମ କରିବା ପରେ ବିଚ୍ଛିନ୍ନାଞ୍ଚଳରେ ମଧ୍ୟ କାମ କରିଥିଲେ । ତାଙ୍କ ନାମରେ ୧୨ରୁ ଉଦ୍ଧ୍ୱର୍ ମାଓ ହିଂସା ରହିଥିବା ଜଣାପଡିଛି । ସେହିଭଳି, ଦେବା ମାଢୀ କାଲିମେଳା ଦଲମରେ କାମ କରିବା ସହ ଏସିଏମ ଭାବେ ଦୀର୍ଘ ଦିନ ଧରି କାମ ମଧ୍ୟ କରିଛନ୍ତି । ସେ ଦାମନଯୋଡି ମାଇନସ ଆକ୍ରମଣ, ରାମାଗୁଡା ଏନକାଉଣ୍ଟରରେ ପୁଲିସକୁ ଆକ୍ରମଣ ସମେତ ପ୍ରାୟ ୧୦ରୁ ୧୨ଟି କେଶରେ ଜଡିତ ଥିବା ପୁଲିସ କହିଛି । ଦୁଇ ଦୁର୍ଦ୍ଦାନ୍ତ ମାଓନେତ୍ରୀଙ୍କ ପରିଚୟ କିନ୍ତୁ ଏବେ ବଦଳିଯାଇଛି । ଆତ୍ମନିର୍ଭରଶୀଳ ହେବା ପାଇଁ ରାସ୍ତା ଖାଜୁଥିବା ବେଳେ ଏବେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପୋଷିବାରେ ସମର୍ଥ ହେବେ ବୋଲି କହିଛନ୍ତି । ଏହି ଦୁଇ ଜଣଙ୍କୁ ଡାକ୍ତରଖାନାରେ ଦେଖିଲେ ଲୋକେ କିଛି ସମୟ ପାଇଁ ଅଟକି ରହିବା ସହ ମାଓ ଜୀବନ ସଂପର୍କରେ ପଚାରି ବୁଝୁଛନ୍ତି । ଜଙ୍ଗଲରେ ରହିବା ବେଳେ ପ୍ରତି ମୁହୂର୍ତ୍ତରେ ଭୟ ରହୁଥିବା କହୁଛନ୍ତି । ପୂର୍ବରୁ ଜିଲ୍ଲାରେ କିଛି ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିବା ସହ କିଏ ଚା ଦୋକାନ ତ କିଏ ହୋଟେଲ କରି ନୂଆ ଜୀବନ ଆରମ୍ଭ କରିଥିବାବେଳେ ଏହି ଦୁଇ ମହିଳା ମାଓବାଦୀ ଏବେ ହାତରେ ଝାଡ଼ୁ ଧରି ସେମାନଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ