ପିଆଇବି ସହଭାଗିତାରେ ଜିଇଏମ ପକ୍ଷରୁ ‘ସେଲର୍ ସମ୍ବାଦ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସରକାରୀ ଇ ମାର୍କେଟ ପ୍ଲେସ୍ (ଜିଇଏମ) ପୋର୍ଟାଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ମତବିନିମୟ କାର୍ଯ୍ୟକ୍ରମ ‘ସେଲର୍ ସମ୍ବାଦ’ ମଙ୍ଗଳବାର ଦିନ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ଶାଖା ଏବଂ ଜିଇଏମ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଇଏମ ଡିଜିଟାଲ ପ୍ଲାଟଫର୍ମ ସମ୍ପର୍କରେ ଅଂଶୀଦାରମାନେ ମତାମତ ସଂଗ୍ରହ କରାଯିବା ସହିତ ସେବାରେ ସୁଧାର ପାଇଁ ପରାମର୍ଶ ଗ୍ରହଣ କରାଯାଇଥିଲା। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ପ୍ରସାର ଭାରତୀର ନେସନାଲ ଏକାଡେମୀ ଅଫ୍ ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘‘ଜିଇଏମ: ସରକାରୀ ଇ ମାର୍କେଟପ୍ଲେସ’’। କାର୍ଯ୍ୟକ୍ରମ ଅବସରରେ ବିକ୍ରେତାମାନଙ୍କ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷ କରି ଏହି ପୋର୍ଟାଲର ପରିଚାଳନା, ନୂତନ ବୈଶିଷ୍ଟ୍ୟ ଏବଂ ପ୍ରଭାବ ସମ୍ପର୍କରେ ବିକ୍ରେତାମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିକ୍ରେତାମାନେ ଜିଇଏମ ପୋର୍ଟାଲକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଏହି ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ଜିଇଏମ ସମ୍ପର୍କରେ ନିଜର ଅନୁଭୂତି ଅନ୍ୟମାନଙ୍କୁ ବାଣ୍ଟିବା ଓ ଅନୁପ୍ରାଣିତ କରିବା ନେଇ ଅଂଶୀଦାରମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପିଆଇବିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକ୍ରମେ ପ୍ରସ୍ତୁତ ଜିଇଏମ ପୋର୍ଟାଲ ଜରିଆରେ ସରକାରୀ କ୍ରୟ ପାଇଁ ଗୋଟିଏ ଏକୀକୃତ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି । ଏହାର ଗୁରୁତ୍ବ ଏବଂ ଲାଭ ବିଷୟରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଇଏମର ବିକ୍ରେତା ପ୍ରବନ୍ଧନ ନିର୍ଦ୍ଦେଶକ ଅନୂପ ଧନବିଜୟ ଯୋଗଦେଇ ଜିଇଏମ ପୋର୍ଟାଲ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗତ କିଛି ବର୍ଷ ହେବ ଜିଇଏମ ପୋର୍ଟାଲର କାରବାର ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ଏହି ପୋର୍ଟାଲ ସହ ଲକ୍ଷାଧିକ କ୍ରେତା ଏବଂ ବିକ୍ରେତା ଯୋଡ଼ି ହୋଇପାରିଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେବା ବିତରଣରେ ସୁଧାର ଆଣିବା ପାଇଁ ‘ସେଲର ସମ୍ବାଦ’ ଭଳି କାର୍ଯ୍ୟକ୍ରମ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବିକ୍ରେତା ପ୍ରଜ୍ଞା ପ୍ରିୟଦର୍ଶିନୀ ଚିନରା ଜିଇଏମ ପୋର୍ଟାଲକୁ ନେଇ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ ଯେ, ‘‘ଏକ ସମ୍ମାନଜନକ ଚାକିରି ଛାଡ଼ି ମୁଁ ଜଣେ ଉଦ୍ୟୋଗୀ ଭାବେ କାମ ଆରମ୍ଭ କରିଥିଲି। ମୁଁ ମୋର ଷ୍ଟାର୍ଟଅପ୍ ଆରମ୍ଭ କରିଛି ଏବଂ ସାରା ଦେଶକୁ ଶିକ୍ଷା ସାମଗ୍ରୀ ଯୋଗାଣ କରୁଛି। ମୋର ଏହି ଯାତ୍ରାରେ ଜିଇଏମ ବିଶେଷ ସହାୟକ ହୋଇଛି ବୋଲି ସେ କହିଥିଲେ।’’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ବିକ୍ରେତାମାନେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ । ସେଲର ସମ୍ବାଦ ସମୟରେ ଆଉ ଜଣେ ବିକ୍ରେତା ପ୍ରିୟବ୍ରତ ଜିଇଏମକୁ ନେଇ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ ଯେ, ବ୍ୟବସାୟ କରିବା ଏବଂ ଆଗକୁ ବଢ଼ିବା ଲାଗି ଏହି ବ୍ୟବସାୟ ଏକ ପାରଦର୍ଶୀ ଏବଂ ବାଧାମୁକ୍ତ ପ୍ଲାଟଫର୍ମ ଯୋଗାଇ ଦେଇଛି। ମୋ ବ୍ୟବସାୟ ବଢ଼ାଇବାରେ ଏହା ବିଶେଷ ସହାୟକ ହୋଇଛି। ଦିନକୁ ଦିନ ପୋର୍ଟାଲ ଅଧିକ ବିକଶିତ ହେଉଛି। ଦୁର୍ନୀତି ଦୂର କରିବା ସହିତ ଦଲାଲଙ୍କ ହସ୍ତକ୍ଷେପ ଉଚ୍ଛେଦ କରିବା ଲାଗି ଏହା ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇ ଦେଇଛି,’’ ସେ କହିଥିଲେ। ଜିଇଏମ ପୋର୍ଟାଲ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବେ ଏହାର ବ୍ୟବହାର ବଢ଼ିଚାଲିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାର ୧,୧୧,୯୩୧ ଜଣ ବିକ୍ରେତା ଏଥିରେ ପଞ୍ଜିକୃତ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରେ ରାଜ୍ୟ ସରକାର, ରାଜ୍ୟ ସରକାରୀ ଉଦ୍ୟୋଗ, କେନ୍ଦ୍ର ସରକାର, କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦି ରହିଛନ୍ତି । ଓଡ଼ିଶାରେ ମୋଟ ୧୫ ହଜାର ୩୨୩ ଜଣ ଏମଏସଏମଇ ବିକ୍ରେତା ଜିଇଏମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୫୫୭ ଜଣ ମହିଳା ଏମଏସଏମଇ ବିକ୍ରେତା ରହିଛନ୍ତି। ଦେଶବ୍ୟାପୀ ଆୟୋଜିତ ସେଲର ସମ୍ବାଦ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଆଜି ଭୁବନେଶ୍ବର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ପାଟନା ଓ ଅହମ୍ମଦାବାଦରେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଇଏମ ପୋର୍ଟାଲକୁ ଲୋକପ୍ରିୟ କରିବା ଏବଂ ବ୍ୟବହାରକାରୀଙ୍କ ଠାରୁ ମତାମତ ଓ ପରାମର୍ଶ ଗ୍ରହଣ କରି ସେବାରେ ସୁଧାର ଆଣିବା ସେଲର ସମ୍ବାଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଜିଇଏମ ହେଉଛି ଦେଶର ଜାତୀୟ ସାର୍ବଜନୀନ ବା ସରକାରୀ କ୍ରୟ ପୋର୍ଟାଲ। ଉତ୍ପାଦ ଓ ସେବା କ୍ରୟ ନିମନ୍ତେ ଏହା ମାଧ୍ୟମରେ ଏକ ଅନଲାଇନ ମାର୍କେଟପ୍ଲେସ୍ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ଆଧାର କରି ଅଗଷ୍ଟ ୯, ୨୦୧୬ରେ ଏହି ପୋର୍ଟାଲ ଆରମ୍ଭ କରାଯାଇଥିଲା। ଜିଇଏମ ଦେଶରେ ସରକାରୀ କ୍ରୟ ବ୍ୟବସ୍ଥାକୁ ପୁନଃପରିଭାଷିତ କରିବା ସହିତ ସରକାରୀ କ୍ରେତା ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କ୍ରୟ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଜିଇଏମ ଏକ ସ୍ପର୍ଶବିହୀନ, କାଗଜମୁକ୍ତ ଏବଂ ନଗଦମୁକ୍ତ ବ୍ୟବସ୍ଥା ହୋଇଥିବାରୁ ଦକ୍ଷତା, ପାରଦର୍ଶିତା ଏବଂ ସମାବେଶିତା ହେଉଛି ଏହାର ତିନୋଟି ପ୍ରମୁଖ ଆଧାର। ୨୦୨୧-୨୨ରେ ଗୋଟିଏ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର କାରବାର କରି ଜିଇଏମ ପୋର୍ଟାଲ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏବେ ସୁଦ୍ଧା ଜିଇଏମ ଜରିଆରେ ୩.୦୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ୧ କୋଟିରୁ ଊର୍ଦ୍ଧ୍ବ କାରବାର ହୋଇଛି। ସାରା ଦେଶରେ ଥିବା କ୍ରେତା ଓ ବିକ୍ରେତାଙ୍କ ସମେତ ସବୁ ଅଂଶୀଦାରଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇପାରିଛି। ଜିଇଏମ ପୋର୍ଟାଲରେ କ୍ରେତାମାନଙ୍କ ମଧ୍ୟରେ ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗ, ସମବାୟ ସମିତି ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ସାମିଲ ରହିଛନ୍ତି। ଜିଇଏମର ବିକ୍ରେତା ଆଧାରରେ ସ୍ପଷ୍ଟ ଭାବେ ‘ସମାବେଶିତା’ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ। ବିକ୍ରେତାମାନଙ୍କ ମଧ୍ୟରେ ବଡ଼ ବଡ଼ କମ୍ପାନୀଙ୍କ ଠାରୁ ଆରମ୍ଭ କରି ମହିଳା ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଏମଏସଏମଇ ବିକ୍ରେତାମାନେ ମଧ୍ୟ ରହିଛନ୍ତି। ଅଧିକନ୍ତୁ, ଏମଏସଏମଇ ଏବଂ ଏସଏଚଜିଙ୍କ ବାଧାମୁକ୍ତ ଅନବୋର୍ଡିଂ ସୁବିଧା ପାଇଁ ଜିଇଏମ ପୋର୍ଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୬୨ ହଜାରରୁ ଅଧିକ ପଞ୍ଜିକୃତ ସରକାରୀ କ୍ରେତା ଏବଂ ୫୦.୯୦ ଲକ୍ଷରୁ ଅଧିକ ବିକ୍ରେତା ଓ ସେବା ପ୍ରଦାନକାରୀଙ୍କ ଆଧାର ଜିଇଏମ ପୋର୍ଟାଲର ଆକାର ଏବଂ ବ୍ୟାପକତାର ପ୍ରମାଣ ଦେଇଥାଏ। ଆରମ୍ଭ ହେବା ପରଠାରୁ ଜିଇଏମ ପୋର୍ଟାଲ ନିରନ୍ତର ଭାବେ ବଢ଼ିଚାଲିଛି ଏବଂ ନୂଆ ଉତ୍ପାଦ ଓ ସେବାଗୁଡ଼ିକ ଏଥିରେ ଯୋଡ଼ି ହେବାରେ ଲାଗିଛି। ବର୍ତ୍ତମାନ, ୩୦୦ରୁ ଅଧିକ ବର୍ଗର ସେବା ଏବଂ ୧୦,୦୦୦ରୁ ଅଧିକ ପ୍ରକାରର ଉତ୍ପାଦ ଜିଇଏମରେ ଉପଲବ୍ଧ ରହିଛି। ସବୁ ମିଶି ୪୪ ଲକ୍ଷରୁ ଅଧିକ ସଂଖ୍ୟକ ଉତ୍ପାଦ ଏବଂ ସେବାର କାଟଲଗ ଜିଇଏମରେ ମିଳିପାରୁଛି। ଏହାବ୍ୟତୀତ ପୋର୍ଟାଲରେ ନୂଆ ବୈଶିଷ୍ଟ୍ୟ ଯୋଡ଼ିବା ଲାଗି କ୍ରମାଗତ ଭାବେ ଉଦ୍ୟମ ଜାରି ରହିଛି। ଗତ ୨୪ ମାସ ମଧ୍ୟରେ ଏହାର ପରିଚାଳନାରେ ୨୦୦୦ରୁ ଅଧିକ ଛୋଟ ଏବଂ ୪୬୦ରୁ ଅଧିକ ବଡ଼ ପରିବର୍ତ୍ତନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ