ଅବହେଳିତ ହୋଇପଡ଼ିଛି ନୂଆଗଡ ମାଛଧରା ବନ୍ଦର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର ନୂଆଗଡ ମାଛଧରା ବନ୍ଦର ଟି ଅବହେଳିତ ହୋଇପଡ଼ିଛି। ଆବଶକୀୟ ଭିତ୍ତିଭୂମୀ ଥାଇ ମଧ୍ୟ ଏହି ମାଛଧରା ବନ୍ଦର ର ବିକାଶ ହୋଇପାରୁନାହିଁ ।ଆନୁଷଙ୍ଗିକ ସୁବିଧା ଉପଲବ୍ଧ ନ ଥିବାରୁ ମତ୍ସ୍ୟଜିବୀ ମାନେ ଏଠାରୁ ମୁହଁ ଫେରାଇ ନିକଟସ୍ଥ ପାରାଦୀପ ମାଛଧରା ବନ୍ଦର କୁ ନିଜ ଟ୍ରଲର, ଟାପା ନେଇଯିବାକୁ ବାଧ୍ୟ ହେଉଛନ୍ତି । ଅସ୍ତରଙ୍ଗ ବ୍ଲକ ଉପକୂଳ ଅଞ୍ଚଳରେ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି। ପ୍ରାୟ ସବୁ ପରିବାର ଦେବୀ ନଦୀ, ଏହାର ଶାଖା ନଦୀ ଓ ସମୁଦ୍ର ରୁ ଡଙ୍ଗା, ଟାପା, ଟ୍ରଲର ଯୋଗେ ମାଛ, କଙ୍କଡା ଧରି ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଏହି ମତ୍ସ୍ୟଜୀବି ମାନଙ୍କ ସୁବିଧା ପାଇଁ ୧୯୮୨ ମସିହାରେ ତତ୍କାଳୀନ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ ଦେବୀ ମୁହାଁଣ ନିକଟସ୍ଥ ନୂଆଗଡ ଠାରେ ଏକ ମାଛଧରା ବନ୍ଦର ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟତଃ ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜିବୀ ମାନଙ୍କ ଉନ୍ନତି ପାଇଁ ଏହି ବନ୍ଦର ର ପରିକଳ୍ପନା କରାଯାଇଥିଲା ।ଏଥିସହ ସାମୁଦ୍ରିକ ମତ୍ସ୍ୟ ବ୍ୟବସାୟ ରୁ ସରକାରଙ୍କ ରାଜସ୍ୱ ବୃଦ୍ଧି କରିବା ଅନ୍ୟତମ ଉଦ୍ଦେଶ୍ୟ ଥିଲା ।ଏହି ମାଛଧରା ବନ୍ଦର ଉପରେ ଅସ୍ତରଙ୍ଗ ଅଞ୍ଚଳର ୨୫ ହଜାର ପାରମ୍ପରିକ ଓ ଅଣ ପାରମ୍ପରିକ ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ଏଠାରେ ଦେବୀ ନଦୀ ର ସ୍ରୋତ ପ୍ରଖର ରହୁଥିବାରୁ ଜାଗା ଟି ମାଛଧରା ବନ୍ଦର ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ତତ୍କାଳୀନ ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ନାଥ ନାୟକ ତତ୍କାଳୀନ ସରକାର ଙ୍କୁ ଚିଠି ଲେଖି ସ୍ଥାନ ପରିବର୍ତ୍ତନ କରିବାକୁ ଦାବୀ କରିଥିଲେ। କିନ୍ତୁ ଶାସକ କଂଗ୍ରେସ ସରକାର ତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରି ଏଠାରେ ମାଛ ଧରା ବନ୍ଦର, ବିଭିନ୍ନ ଆନୁଷଙ୍ଗିକ ଗୃହ ନିର୍ମାଣ ଶେଷ କରି ଜେଟି ଟିକୁ କାର୍ଯ୍ୟକ୍ଷମ କରିଦେଲେ। ମତ୍ସ୍ୟଜିବୀ ମାନେ ଉପକୃତ ହେଲେ। କିନ୍ତୁ ତତ୍ କାଳୀନ ନେତା ସୁରେନ୍ଦ୍ର ନାଥ ନାୟକ ଯାହା ଅନୁମାନ କରିଥିଲେ ତାହା ସତ ହେଲା। ୧୯୯୯ ମହାବାତ୍ୟା ରେ ନୂଆଗଡ ଜେଟି ଟି ସମ୍ପୂର୍ଣ୍ଣ ଭାବେ ଧ୍ଵଂସବିଧ୍ଵଂସ୍ତ ହୋଇ ଗଲା। ନଦୀ ର ପ୍ରବଳ ସ୍ରୋତ ରେ ଜେଟି ର ଗୋଟିଏ ପାଶ୍ଵ ଦବିଗଲା ଓ କିଛି ଖୁଣ୍ଟ ନଦୀ ଗର୍ଭ ରେ ଲୀନ ହୋଇଗଲା। ଭାଙ୍ଗିରୁଜି ଯିବାରୁ ଏହି ଜେଟି ଟି ଦିନକୁ ଦିନ ଅବହେଳିତ ହୋଇ ପଡ଼ିଲା। ଏଠାରେ ଥିବା ଗୋଦାମ ଗୃହ, ପାଣି ଟାଙ୍କି ସବୁ କାଳକ୍ରମେ ଭାଙ୍ଗି ରୁଜି ନଷ୍ଟ ହେବାକୁ ଲାଗିଲା। ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ଦାୟିତ୍ଵ ହୀନତା ଯୋଗୁଁ ଏଠାରେ ବରଫକଳ ଟିଏ ସ୍ଥାପନା ହୋଇପାରିଲାନି। ମାଛଧରା ବନ୍ଦର ଟି ଅବହେଳିତ ଅବସ୍ଥାରେ ପଡି ରହିଲା।ସାମୁଦ୍ରିକ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ଙ୍କ ସୂଚନା ଅନୁଯାୟୀ ଏଠାରେ ମାଛ ଧରିବା ପାଇଁ ୧୦୦ ରୁ ଉର୍ଦ୍ଧ ମାଛଧରା ଟ୍ରଲର ଓ ୫୦୦ ରୁ ଉର୍ଦ୍ଧ ଛୋଟ ଟାପା, ଯନ୍ତ୍ର ଚାଳିତ ଡଙ୍ଗା ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଙ୍କ ଦ୍ଵାରା ପଞ୍ଜୀକୃତ ହୋଇଛନ୍ତି ।ସେମାନେ ସରକାରୀ ଦେୟ ପୈଠ କରି ଏଠାରୁ ମାଛ ଧରିବା ପାଇଁ ଅନୁମତିପତ୍ର ହାସଲ କରିଛନ୍ତି ।ତେବେ ଏଠାରେ ମୌଳିକ ସୁବିଧା ଯଥା ପାନୀୟଜଳ ,ବରଫ କଳ ,ବିଦ୍ୟୁତ, ଶୁଖୁଆ ଗୋଦାମ , ଜାଲ ତିଆରି ୟୁନିଟ ଓ ମତ୍ସ୍ୟଜୀବୀ ଙ୍କ ବିଶ୍ରାମ କକ୍ଷ ଆଦି ନ ଥିବାରୁ ଟ୍ରଲର ମାଲିକ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସେମାନେ ପାରାଦୀପ ମାଛଧରା ବନ୍ଦର ରେ ଟ୍ରଲର ଲଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।ଫଳରେ ଏଠାର ଅନେକ ମତ୍ସ୍ୟଜୀବୀ ଜୀବିକା ହରାଇ ଦୁର୍ଦ୍ଦିନରେ ଚଳୁଛନ୍ତି ।ପଞ୍ଜୀକୃତ ଶହେ ଟ୍ରଲର ମଧ୍ୟରୁ ମାତ୍ର ୧୫/୨୦ ଟି ଟ୍ରଲର ବାଧାବିଘ୍ନ ସତ୍ତ୍ୱେ ଏଠାରେ ରହି ମାଛ ଧରୁଛନ୍ତି ।ଅନ୍ୟ ଟ୍ରଲର ଗୁଡ଼ିକ ପାରାଦ୍ଵୀପ ଜେଟି କୁ ଚାଲିଯାଇଛନ୍ତି ।ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଅସ୍ତରଙ୍ଗ ମାଛଧରା ବନ୍ଦର ଶ୍ରୀହୀନ ହୋଇପଡ଼ିଛି । ଏ ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟଅଧିକାରୀ ବିପ୍ରବର ରାଉତ କୁହନ୍ତି ବର୍ତ୍ତମାନ ପାଣି ଓ ମାଟି ଉପରେ ସର୍ଭେ ଚାଲିଛି ।ନଭେମ୍ବର ସୁଦ୍ଧା ଜଣାପଡ଼ିବ।ମାଛଧରା ବନ୍ଦର ବିକାଶ ପାଇଁ ବିଭାଗ ପକ୍ଷରୁ ୮୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ଖୁବ୍ ଶୀଘ୍ର ସର୍ଭେ କରାଯାଇ କାର୍ଯ୍ୟ ଆରମ୍ଭ ହେବ । ଏଠାରେ ମତ୍ସ୍ୟଜୀବି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା, ସୁଯୋଗ ଯୋଗାଇଦିଆଯିବ। ରାଜ୍ଯ ସରକାର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ