ପିଜି ଛାତ୍ରୀ ଆତ୍ମହତ୍ୟା

ସେହିପରି ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ଡ଼ାକ୍ତରୀ ମହାବିଦ୍ୟାଳୟର ଦୁଇଜଣ ପ୍ରସୂତୀ ବିଭାଗର ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଧ୍ୟାପକଙ୍କ ମାତ୍ରାଧିକ ନିର୍ଯ୍ୟାତନା ସହି ନ ପାରିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ । ରାଜଧାନୀରେ ର‌୍ୟାଗିଂକୁ ନେଇ ଜଣେ ଯୁକ୍ତ ତିନି ଛାତ୍ରୀ ଓ ଅନ୍ୟ ଜଣେ ଏମ୍‌ସିଏ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଦୁଇ ଡ଼ାକ୍ତରୀ ପିଜି ଛାତ୍ରୀ ଏଭଳି ପଦକ୍ଷେପ ନେବା ଅତ୍ୟନ୍ତ ପରିତାପର ବିଷୟ । ଜଣେ ଛାତ୍ରୀଙ୍କ ଘର କଟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଯାଜୁପରରେ । ସେମାନେ ପ୍ରସୂତୀ ବିଭାଗର ଶେଷ ବର୍ଷର ପିଜି ଛାତ୍ରୀ । ବିଭାଗର ଜଣେ ପ୍ରଧ୍ୟାପକ ପାଠପଢାକୁ ନେଇ ସେମାନଙ୍କୁ ମାନସିକସ୍ତରରେ ନିର୍ଯ୍ୟାତନା ଦେଉଥିଲେ । ପ୍ରଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଏପିର ପଦକ୍ଷେପ ନେଇଥିଲେ ବୋଲି ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ । ୟୁଜିସି ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୧ ମଧ୍ୟରେ ଦେଶରେ ୬୭୯୦ଟି ର‌୍ୟାଗିଂ ଅଭିଯୋଗ ପଞ୍ଜିକୃତ ହୋଇଛି । ୨୦୧୧-୨୦୧୬ ମସିହା ପର୍ଯ୍ୟନ୍ତ ର‌୍ୟାଗିଂ ଅଭିଯୋଗ କମ୍ ଥିଲା । ହେଲେ ୨୦୧୭ରେ ର‌୍ୟାଗିଂ ଅଭିଯୋଗ ବୃଦ୍ଧି ପାଇ୯୦୧ରେ ପହଞ୍ôଚଥିଲା ବେଳେ ୨୦୧୮ରେ ଏହା ୧୦୦୦ ଅତିକ୍ରମ କରିଥିଲା । ୨୦୧୮ ଅପେକ୍ଷା ୨୦୧୯ରେ ଅଧିକ ସଂଖ୍ୟକ ଅଭିଯୋଗ ଲୋକଲୋଚନକୁ ଆସିଥିଲା ଯାହା ୧୦୭୦କୁ ଅତିକ୍ରମ କରିଥିଲା । ୨୦୨୦ରେ କରୋନା ସଂକ୍ରମଣ ଯୋଗୁ ପାଠପଢାରେ ବ୍ୟାଘାତ ଜନିତ କାରଣରୁ ର‌୍ୟାଗିଂ ଏକ ପ୍ରକାର ବନ୍ଦ ଥିଲା । କାରଣ ୨୦୨୦ରେ ମାତ୍ର ୨୧୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୨୦୨୧ରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଯୋଗୁ ଏହା ହ୍ରାସ ପାଇଥିଲା । ପ୍ରକାଶଥାଉ କି, ୨୦୧୯ରୁ ୨୦୨୧ ମଧରେ ୫୭୯ଟି ଅଭିଯୋଗ ହୋଇଛି । ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ୧୩୦୦, ପଶ୍ଚିମବଙ୍ଗରେ ୮୪୧, ମଧ୍ୟପ୍ରଦେଶରେ ୭୮୮, ମହାରାଷ୍ଟ୍ରରେ ୪୦୨, ତାମିଲନାଡୁରେ ୩୯୮, ରାଜସ୍ଥାନରେ ୩୫୪, କେରଳରେ ୩୫୦ ଓ କର୍ଣ୍ଣାଟକରେ ୩୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଓଡ଼ିଆରେ ଗୋଟେ ଢଗ ଅଛି ଚୋର ଗଲା ପରେ ବୁଦ୍ଧି ଦିଶଇ । ଯେପର୍ଯ୍ୟନ୍ତ ଏକ ଦୁର୍ଘଟଣା ନ ଘଟିଛି ସେପର୍ଯ୍ୟନ୍ତ କୌଣସି ଅଭିଯୋଗ ହୁଏନାହିଁ । ଯେପର୍ଯ୍ୟନ୍ତ ରାସ୍ତାରେ ଦୁର୍ଘଟଣା ଘଟି କିଛି ଲୋକ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଅଭିଯୋଗ ହୁଏନାହିଁ । ଯେପର୍ଯ୍ୟନ୍ତ ମୁକୁଳା ଡ୍ରେନରେ ପଡ଼ି କିଛି ଛାତ୍ରଛାତ୍ରୀ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଡ୍ରେନ୍ ମରାମତି ଓ ମୃତ୍ୟୁବାବଦ କ୍ଷତିପୂରଣ ପାଇଁ ଆନ୍ଦୋଳନ ବା ଅଭିଯୋଗ ହୁଏନାହିଁ । ଯେପର୍ଯ୍ୟନ୍ତ ଦୁର୍ନୀତି ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ନ ହୋଇଛି, ସେପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ କେହି ସ୍ୱର ଉତ୍ତୋଳନ କରନ୍ତି ନାହିଁ । ବିଜେପି କଲେଜରେ ର‌୍ୟାଗିଂ ଘଟଣା ଲୋକଲୋଚନକୁ ଆସିଲା ପରେ ଏବେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏବେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ଓ ର‌୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷ କିଛିଦିନ ଧରି ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି ଓ ଧାରଣାରେ ବସିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆନ୍ଦୋଳନ, ଅନଶନ ବା ଧାରଣାରେ ବସିଲେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ ନାହିଁ । ବରଂ ର‌୍ୟାଗିଂ ନିୟନ୍ତ୍ରଣ ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ଓଡ଼ିଶାରେ ର‌୍ୟାଗିଂ ନିରୋଧ କଠୋର ଆଇନ୍ କାର୍ଯ୍ୟକାରୀ କରିବା, ମାନସିକ ନିର୍ଯ୍ୟାତନା ଦେଉଥିବା ବରିଷ୍ଠ ସହପାଠୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ଓ ଏଥିପାଇଁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା, ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ହଷ୍ଟେଲରେ ର‌୍ୟାଗିଂ ବନ୍ଦ ପାଇଁ ସମ୍ପୃକ୍ତ ହଷ୍ଟେଲରେ ଅନ୍ତେବାସୀ, ନିର୍ବାଚିତ ଛାତ୍ର ପ୍ରତିନିଧି, ୱାର୍ଡ଼େନ, ସୁପରିନଟେଣ୍ଡେଣ୍ଟ ଓ ଅଧ୍ୟକ୍ଷକଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରତ୍ୟେକ ମାସରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରି ର‌୍ୟାଗିଂ ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରିବା, ମାନବାଧିକାର କମିଶନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ଦ୍ୱାରା ୨୪ ଘଣ୍ଟିଆ ଟୋଲ୍ ଫ୍ରି ର‌୍ୟାଗିଂ ନିରୋଧ ସେବା ଯୋଗାଇ ଦେବା ଏବଂ ବିଧାନସଭା ଅଧିବେଶନରେ ର‌୍ୟାଗିଂ ବନ୍ଦ ପାଇଁ କଠୋର ଆଇନ୍ ପ୍ରଣୟନ କରାଗଲେ, ତେବେ ଯାଇ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ