ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ସଦର ଶାଖା ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ରବିବାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ ସହିଦ ପାର୍କସ୍ଥିତ ଗାନ୍ଧିଜୀଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ ସହ ଏହି ପଦଯାତ୍ରାକୁ ଶୁଭାରମ୍ଭ କରାଯାଇଥିଲା । ବିଜେଡି ଜିଲା ସଭାପତି ରବୀନ୍ଦ କୁମାର ଜେନା, ସଦର ବିଧାୟକ ସ୍ୱରୂପ ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସାଧାରଣ ଜନତାଙ୍କ ସହ ସମ୍ପର୍କ ଯୋଡ଼ିବା ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ଅନପ୍ରାଣୀତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେବା ମୂଳଲକ୍ଷ୍ୟ ବୋଲି ପୂର୍ବତନ ସାଂସଦ ଶ୍ରୀ ଜେନା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁଙ୍କ ସମେତ ବିଜେଡିର ଯୁବ, ଛାତ୍ର ଓ ମହିଳା ଶାଖାର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଏବଂ ପୌର ପରିଷଦ କାଉନସିଲରମାନେ ଏଥିରେ ଯୋଗ ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ସିନେମାଛକ ସହିଦ ପାର୍କରୁ ବାହାରି ଡିଆଇସି ଛକ ପର୍ଯ୍ୟନ୍ତ ଯାଇଥିଲା । ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଜନନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଟିରୋଡ଼ ଡିଆଇସି ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଆଜିର ଉଦଘାଟନୀ ଜନସମ୍ପର୍କ ପଦଯାତ୍ରା ଶେଷ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ