ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚମ୍ପିୟନସିପ- ୨୦୨୨ ଉଦ୍‌ଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏବଂ ଅଲ ଓଡିଶା ଚେସ ଆସୋସିଏସନ ସହଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୨ଦିନ ଧରି ଆରମ୍ଭ ହୋଇଥିବା ୨ୟ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚମ୍ପିୟନସିପ ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ସବ୍ର ଭାରତୀୟ ଚେସ ସଙ୍ଘ(ଏ.ଆଇ.ସି.ଏଫ୍‌.)ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ କେନ୍ଦ୍ରାପଡା ଜିଲ୍ଲା ଚେସ ଖେଳର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସଙ୍ଘର ଉପସଭାପତି ଲଲାଟକେଶରୀ ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଲ ଓଡିଶା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ସଭ୍ୟ ସୂର୍ଯ୍ୟକାନ୍ତ ବିଶୋଇ(କଟକ), ପ୍ରଦୀପ ମହାନ୍ତି(କୋରାପୁଟ), ବିଜୁ ପଟ୍ଟନାୟକ ଖେଳରତ୍ନ ପୁରସ୍କାର ପ୍ରାପ୍ତ ସତ୍ୟରଞ୍ଜନ ପଟ୍ଟନାୟକ, ସୋନପୁର ଜିଲ୍ଲା ଚେସ ସଙ୍ଘର ସମ୍ପାଦକ ଗୈାରୀଶ୍ୟାମ ପଣ୍ଡା, ବୈାଦ୍ଧ ଜିଲ୍ଲା ଚେସ ସଙ୍ଘ ସମ୍ପାଦକ ଶଙ୍କର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଅସିତ ମୁଖାର୍ଜୀ ଯୋଗଦେଇ ଓଡିଶା ଚେସ କ୍ଷେତ୍ରରେ କେନ୍ଦ୍ରାପଡାର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ଅତିଥିମାନଙ୍କୁ ଜିଲ୍ଲା ସଙ୍ଘ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଯାଜପୁରର ସମ୍ପାଦକ ମନୋଜ ପରିଡା ଓ କେନ୍ଦ୍ରାପଡାର କୋଷାଧ୍ୟକ୍ଷ ପିଙ୍କି ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଚେସ ସଙ୍ଘର ସମ୍ପାଦକ ତଥା ଅଲ ଓଡିଶା ଚେସ ଆସୋସିଏସନର କୋଷାଧ୍ୟକ୍ଷ ଭବେଶ ମହାନ୍ତି ବିବରଣୀ ପାଠ କରିଥିଲେ । ଏହି ଚମ୍ପିୟନସିପ ପ୍ରତିଯୋଗୀତାରେ କେନ୍ଦ୍ରାପଡା ଜିଲ୍ଲାର ମୋଟ ୩୭ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଡେରାବିଶ ବ୍ଲକର ବୈଭବ ସିଂହ ଚମ୍ପିୟନ ହୋଇ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚମ୍ପିୟନ ଟ୍ରଫି ହାସଲ କରିଥିଲେ । ସେହି ବ୍ଲକର ଏସ. ଧରଣୀଧର ଦ୍ୱିତୀୟ ଓ ମହାକାଳପଡା ବ୍ଲକର ଜୀବନଜ୍ୟୋତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହାବ୍ୟତିତ ଶ୍ରେଷ୍ଠ ୧୦ଜଣ ଖେଳାଳୀଙ୍କୁ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ସଙ୍ଘର ଅନ୍ୟତମ ଜିଲ୍ଲା ଉପସଭାପତି ଧରଣୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ