ପର ପୁରୁଷର ପ୍ରେମରେ ପାଗଳି ହୋଇ ସାନପୁଅକୁ ହତ୍ୟା କଲା ମା’

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପର ପୁରୁଷର ପ୍ରେମରେ ପାଗଳି ହୋଇ ଜନ୍ମକଲା ମା’ ନିଜର ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟାକୁ ନିଜ ହାତରେ ହଟାଇଦେଲା । ହଁ ଆଜ୍ଞା କଥାଟା କାନକୁ ଅଡୁଆ ଲାଗୁଥିଲେ ବି ଏହା ସତ୍ୟ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆପଡା ଗ୍ରାମରେ । ଦୁହୁଡିପୁର ଗ୍ରାମର ସଶ୍ମିତା ନାଥ ମାଟିଆପଡା ଗ୍ରାମର ଶୁକାନ୍ତ ନାଥଙ୍କୁ ବିବାହ କରିଥିଲେ । ସଶ୍ମିତାଙ୍କର ୩ଟି ପିଲା ଥିବା ବେଳେ ତାଙ୍କ ସ୍ୱାମୀ ଶୁକାନ୍ତ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ ସଶ୍ମିତା ଗୁପ୍ତିରା ଗ୍ରାମର ଲକ୍ଷ୍ମୀଧର ବାଇଙ୍କୁ ପ୍ରେମ କରି ବସିଥିଲେ । ଦୀର୍ଘଦିନ ଧରି ସଶ୍ମିତାଙ୍କର ଲକ୍ଷ୍ମୀଧରଙ୍କ ସହ ନିବିଡ ସମ୍ପର୍କ ଗଢି ଉଠିଥିଲା । ତେବେ ସଶ୍ମିତା ଓ ଲକ୍ଷ୍ମୀଧର ଉଭୟ ଘର ଓ ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ସଶ୍ମିତା ତାଙ୍କ ବଡପୁଅ ଓ ଝିଅକୁ ବାପଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରୁଥିବା ବେଳେ ସେଥିରେ କଣ୍ଟା ସାଜିଥିଲା ତାଙ୍କ ୩ବର୍ଷ ବୟସର ସାନପୁଅ । ତେଣୁ ସାନପୁଅକୁ ନିଜ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ପ୍ରେମୀ ଯୁଗଳ । ଯେଉଁଥି ପାଇଁ କୋମଳ, ନିରୀହ,ନିଷ୍ପାପ ଶିଶୁଟି ନିଜ ଜନ୍ମକଲା ମା’ର ପ୍ରେମ ପାଇଁ ବଳି ପଡିଥିଲା । ଆଉ ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡିଯାଇଥିବା କହି ଡାକ୍ତରଖାନା ଆଣିଥିଲେ ସଶ୍ମିତା । କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନଜଣାଇ ଶିଶୁପୁତ୍ରକୁ ପୋତି ଦେଇଥିଲେ ଏହି ପ୍ରେମୀ ଯୁଗଳ । ତେବେ ଗତକାଲି ଲକ୍ଷ୍ମୀଧର ସଶ୍ମିତାଙ୍କ ବାପଘରକୁ ଯାଇଥିବା ବେଳେ ସଶ୍ମିତାଙ୍କ ବଡପୁଅ ଓ ଝିଅ ଆସାମୀ ଲକ୍ଷ୍ମୀଧରକୁ ଚିହ୍ନିବା ସହିତ ତାଙ୍କ ମାମୁଁଘରେ ଲକ୍ଷ୍ମୀଧରଙ୍କ ସମ୍ପର୍କରେ କହିଥିଲେ । ଏହାପରେ ମାମୁଁ ଘର ଲୋକେ ଓ ଗ୍ରାମବାସୀ ଲକ୍ଷ୍ମୀଧରକୁ ଅଟକରଖି ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇବା ପରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସତ୍ୟାସତ ସାମ୍ନାକୁ ଆସିଥିଲା । ଆଜି ପଟ୍ଟାମୁଣ୍ଡାଇ ଥାନା ପୋଲିସ ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଇଥିବା ଜଣାପଡିଛି । ଏଥିସହିତ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ଶବ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ସବଇନିସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଅନ୍ତର୍ଯ୍ୟଅମୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ