ମହାନ ମାନବତାବାଦୀ ରାଷ୍ଟ୍ରଗୌରବ ମହାରାଜା ଶ୍ରୀ ଅଗ୍ରସେନ

ସମ୍ପତ୍ କୁମାର ଅଗ୍ରୱାଲ
ବ୍ୟକ୍ତି , ସମାଜ, ରାଷ୍ଟ୍ର ଏବଂ ବିଶ୍ୱ ର ଉନ୍ନତି ମୁଖ୍ୟତଃ ଚାରୋଟି ସ୍ତମ୍ଭ ଉପରେ ନିର୍ଭର କରିଥାଏ । ସେଗୁଡିକ ହେଲା ଆର୍ଥିକ, ରାଜନୈତିକ, ସାଂସ୍କୃତିକ, ସାମାଜିକ । ଏହି ଚାରି ସ୍ତମ୍ଭକୁ ସୁଦୃଢ଼ କରି ଉନ୍ନତ ସମାଜର ନବନିର୍ମାଣ ପାଇଁ ଭିତିଭୂମୀ ତିଆରି କରିବା ମହାରାଜା ଶ୍ରୀଅଗ୍ରସେନଙ୍କ ଜୀବନ ଦର୍ଶନ ରହିଥିଲା । ଯାହାକି ‘ସର୍ବଲୋକ ହିତ ଧର୍ମମ୍’ର ମାର୍ଗ ପ୍ରଶସ୍ତ କରିଥିଲା । ଦିବ୍ୟଜ୍ଞାନର ପ୍ରକାଶ ସଂପୂର୍ଣ୍ଣ ବିଶ୍ୱରେ ସର୍ବପ୍ରଥମେ ଧର୍ମଭୂମୀ ଭାରତରୁ ହିଁ ବିସ୍ତାରିତ ହୋଇଥିଲା । ଇଶ୍ୱରଙ୍କ ବିଭିନ୍ନ ଅବତାର ଏବଂ ମହାପୁରୁଷମାନଙ୍କ ଜନ୍ମ ଓ କ୍ରୀଡାସ୍ଥଳୀ ରୂପେ ଭାରତଭୂମୀ ବିଖ୍ୟାତ ଅଟେ । ଏହି ପବିତ୍ର ଭୂମୀ ଉପରେ ଭଗବାନ ମର୍ଯ୍ୟାଦାପୁରୁଷ ଶ୍ରୀରାମ, ଶ୍ରୀକୃଷ୍ନ, ମହାତ୍ମା ଗୌତମ ବୁଦ୍ଧ, ଭଗବାନ ମହାବୀର, ସନ୍ଥ କବୀର ଭଳି ମହାପୁରୁଷମାନେ ଜନ୍ମଗ୍ରହଣ କରିଛନ୍ତି । ଏହିପରି ଏକ ମହାନ ବିଭୂତି ରାଷ୍ଟ୍ରଗୌରବ, ଆର୍ଯ୍ୟକୁଳ ଦିବାକର ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମ ପ୍ରାୟ ୫୨୦୦ ବର୍ଷ ପୂର୍ବେ ହୋଇଥିଲା । ଋଷିମାନଙ୍କ ବୈଦିକ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇ ସମାଜବାଦର ପ୍ରଣେତା ମହାରାଜା ଶ୍ରୀଅଗ୍ରସେନ ମହାଭାରତର ପରବର୍ତି ସମୟରେ ଲୁପ୍ତ ହୋଇଯାଉଥିବା ସଂସ୍କୃତି, ଜର୍ଜରିତ ହେଉଥିବା ସାମାଜିକ ଓ ଆର୍ôଥକ ବ୍ୟବସ୍ଥାର ପୁନଃ ଉଦ୍ଧାରର ସଂକଳ୍ପ ନେଇଥିଲେ । ମହାରାଜା ଶ୍ରୀଅଗ୍ରସେନ ବେଦରେ ବର୍ଣ୍ଣିତ ଧର୍ମାଚରଣ ଏବଂ ରାଜଧର୍ମର ନିର୍ବାହ କରିବା ସହିତ ୧୮ଟି ମହାଯଜ୍ଞର ଆୟୋଜନ କରି ସିଦ୍ଧି ହାସଲ କରିଥିଲେ , ଯାହା ବଳରେ ସେ ପରବର୍ତି ସମୟରେ ଅନେକ ଲୋକହିତକାରୀ କାର୍ଯ୍ୟ କରିପାରିଥିଲେ । ନିଜ ରାଜ୍ୟକୁ ସର୍ବ ସୁଖ ସମୃଦ୍ଧି ଦ୍ୱାରା ପରିପୂର୍ଣ୍ଣ କରିଥିଲେ । ମହାରାଜା ଶ୍ରୀଅଗ୍ରସେନ ନିଜ ରାଜ୍ୟରେ “ସର୍ବେ ଭବନ୍ତୁ ସୁଖିନଃ” ଚିନ୍ତାଧାରାରେ ଧର୍ମାଚରଣ, ସମୃଦ୍ଧି ଓ ସୁଶାସନର ଗଂଗା ପ୍ରବାହିତ କରିଥିଲେ । ବେଦ ଅନୁଯାୟୀ ଆଦର୍ଶ ମହାପୁରୁଷ ମହାରାଜା ଶ୍ରୀଅଗ୍ରସେନ ଅର୍ଥବ ବେଦର ମହାମନ୍ତ୍ର “ଶତହସ୍ତ ସମାହାର, ସହସ୍ର ହସ୍ତ ସଂକିର” ( ଅର୍ଥାତ୍ ହେ ଦୁଇ ହସ୍ତଧାରୀ, ତୁମେ ଶତହସ୍ତ ଭାବେ କୃଷି , ପଶୁପାଳନ, ବ୍ୟବସାୟ କରି ପ୍ରଚୁର ଧନ ଓ ଏøଶ୍ୱର୍ଯ୍ୟ ପ୍ରାପ୍ତ କର ଏବଂ ସହସ୍ର ହସ୍ତଧାରୀ ଭାବେ ସମାଜ ଓ ରାଷ୍ଟ୍ରର ଉନ୍ନତି ପାଇଁ ଅଭାବଗ୍ରସ୍ତ, ଦୀନଦରିଦ୍ରଙ୍କ ସହାୟତା କର ) ର ଭାବନାକୁ ଆଧାର କରି ଏକ ସମୃଦ୍ଧ ଓ ସୁଖି ସମାଜ ଗଠନ କରିବାକୁ ଆଗଭର ହେଲେ । ଏଥିପାଇଁ “ ଗୋଟିଏ ଇଟା, ଗୋଟିଏ ଟଙ୍କା ” ସିଦ୍ଧାନ୍ତର ଅୟମାରମ୍ଭ କରିଥିଲେ । ମହାରାଜା ଶ୍ରୀଅଗ୍ରସେନ ଏହିଭଳି “ ଗୋଟିଏ ଇଟା, ଗୋଟିଏ ଟଙ୍କା ” ସିଦ୍ଧାନ୍ତ ସଂପୂର୍ଣ୍ଣ ରୂପେ ସ୍ନେହ, ସଦ୍ଭାବନା, ସମତା, ସମ୍ମାନ, ସମକକ୍ଷତା, ସଂଗଠନ ଏବଂ ପୁର୍ନବାସର ଏକ ଅନନ୍ୟ ସିଦ୍ଧାନ୍ତ ଅଟେ । ଯାହାକି ଅଦ୍ୟାବଧି ଏକ ଐତିହାସିକ ଉଦାହରଣ ଓ ଭବିଷ୍ୟତ ପାଇଁ ପ୍ରେରଣାର ସ୍ରୋତ ଅଟେ । ଏହି ଯୁଗସ୍ରଷ୍ଟା, ବୈଶ୍ୟ ସମାଜର ଆଦିପୁରୁଷ, ଅଗ୍ରୱାଲ ସମାଜର ଜନ୍ମଦାତା ଓ ସଂରକ୍ଷକ ପ୍ରାତଃ ସ୍ମରଣୀୟ ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମ ଭଗବାନ ମର୍ଯ୍ୟଦା ପୁରୁଷୋତମ ଶ୍ରୀରାମଙ୍କ ୩୪ ତମ ପିଢ଼ୀରେ ସୂର୍ଯ୍ୟବଂଶୀ କ୍ଷତ୍ରୀୟ କୁଳର ମହାରାଜ ବଲ୍ଳଭସେନଙ୍କ ଘରେ ହୋଇଥିଲା । କୁହାଯାଏ ଦ୍ୱାପର ଯୁଗର ଅନ୍ତିମ ଚରଣରେ ଏବଂ କଳିଯୁଗର ପ୍ରାରମ୍ଭର ପ୍ରାୟ ୮୫ବର୍ଷ ପୂର୍ବେ, ଅର୍ଥାତ୍ ଆଜକୁ ୫୨୦୦ ବର୍ଷ ପୂର୍ବେ ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମ ହୋଇଥିଲା । ମହାରାଜ ବଲ୍ଳଭସେନ ଯେତେବେଳେ ନିଜ ଜ୍ୟେଷ୍ଠପୁତ୍ର ଅଗ୍ରସେନ ରାଜ୍ୟଭାର ଗ୍ରହଣ ପାଇଁ ସବୁ ଦିଗରୁ ସୁଯୋଗ୍ୟ ବୋଲି ଅନୁଭବ କଲେ , ସେତେବେଳେ ୨୫ ବର୍ଷ ବୟସ୍କ ଅଗ୍ରସେନଙ୍କୁ ନିଜ ରାଜ୍ୟ ଅଗ୍ରଜନପଦର ରାଜ୍ୟଭାର ଅର୍ପଣ କରିଥିଲେ । ପରେ ନିଜେ ବାନପ୍ରସ୍ଥ ଗ୍ରହଣ କରି ତପସ୍ୟା କରିବାକୁ ଚାଲିଗଲେ । ଯେତେବେଳେ ଦେଶବିଦେଶରେ ରାଜାମାନେ ନିଜର ପ୍ରତିପତି ବଢ଼ାଇବା ପାଇଁ ଯୁଦ୍ଧରେ ବ୍ୟସ୍ତ ରହିଥିଲେ, ସର୍ବତ୍ର ଅଶାନ୍ତି, ଅରାଜକତା, ଖାଦ୍ୟାଭାବ, ଦାରିଦ୍ରତା ଦେଖାଦେଇଥିଲା , ସେତେବେଳେ ଆବଶ୍ୟକତାଥିଲା ଜଣେ ଯୁଗାବତାରୀ ମହାପୁରୁଷଙ୍କ, ଯିଏ ଏ ସମସ୍ତ ଅବ୍ୟବସ୍ଥା ଦୂର କରି ରାଷ୍ଟ୍ରର ପୁନଃନିର୍ମାଣ କରିପାରିବ । ମହାରାଜା ଶ୍ରୀଅଗ୍ରସେନ ସମୟର ଓ ସମାଜର ଆବଶ୍ୟକତାକୁ ଅନୁଭବ କରି ସନାତନ ବୈଦିକ ବ୍ୟବସ୍ଥା ଅନୁସାରେ ସମାଜରେ ଏକ ସଂଗଠନର ସ୍ଥାପନା କଲେ । ଯେଉଁ ସଂଗଠନ ରାଷ୍ଟ୍ରିୟ ସୁରକ୍ଷା ସାଙ୍ଗକୁ କୃଷି, ଉଦ୍ୟୋଗ, ବାଣିଜ୍ୟର ବିକାଶ ସାଙ୍ଗକୁ ଲୋକତାନ୍ତ୍ରୀକ ଏବଂ ସମାଜବାଦୀ ବ୍ୟବସ୍ଥାର ନିର୍ବାହ କରିବା ସହ ନୈତିକ ମୂଲ୍ୟର ପୁନଃ ପ୍ରତିଷ୍ଠା ସହ ଶାନ୍ତି ସ୍ଥାପନା କରିପାରିଥିଲା । ସେ ସମୟରେ ଧର୍ମ, ସିଦ୍ଧି, ସୁଖ, ସମୃଦ୍ଧି ଏବଂ କାର୍ଯ୍ୟସିଦ୍ଧି ପାଇଁ ରାଜା ମହାରାଜା ମାନେ ଧର୍ମ ଅର୍ଜନ ନ୍ତିମନ୍ତେ ବଡ ବଡ ଯଜ୍ଞ ଏପରିକି ଅଶ୍ୱମେଧ ଆଦି ଯଜ୍ଞମାନ ଆୟୋଜନ କରୁଥିଲେ । ମହାରାଜ ଅଗ୍ରେସନ ମଧ୍ୟ ମାନବ କଲ୍ୟାଣ ହେତୁ ୧୮ ଟି ଯଜ୍ଞର ଆୟୋଜନ କରିଥିଲେ । ୧୭ ଟି ଯଜ୍ଞ ସଂପୁର୍ଣ ବିଧି- ବିଧାନ ସମାପ୍ତ ହେବାପରେ ୧୮ ତମ ଯଜ୍ଞର ପ୍ରଥମ ପର୍ଯାୟରେ ମହାରାଜାଙ୍କର ଜ୍ଞାନୋଦୟ ହୋଇଥିଲା , ସେ ହୃଦବୋଧ କଲେଯେ ଯଜ୍ଞରେ ଦିଆଯାଉଥିବା ପଶୁ ବଳୀ ହିସାଂରୂପୀ ପାପ ଅଟେ । ସେ ୧୮ ତମ ଯଜ୍ଞ ବିନା ପଶୁବଳୀରେ ସଂପୂର୍ଣ୍ଣ କରିଥିଲେ । ମୂକ ଓ ନିରିହ ପଶୁ ମାନଙ୍କର ହତ୍ୟା କରାଯିବା ଅନୁଚିତ ଅନୁଭବ କରି ବଂଶଜ ଏବଂ ରାଜ୍ୟବାସୀଙ୍କୁ ଜୀବହତ୍ୟା ବନ୍ଦ କରିବା ସହ ଅଂହିସାର ମନ୍ତ୍ର ପ୍ରଦାନ କରିଥିଲେ । କ୍ଷତ୍ରୀୟ ମହାରାଜା ଶ୍ରୀଅଗ୍ରସେନଙ୍କ ଏହି ମହତ୍ୱପୂର୍ଣ୍ଣ ବିଚାରର ପ୍ରଭାବ ବୈଶ୍ୟଜାତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥିଲା । ମହାରାଜଙ୍କ ବିଚାରଧାରାର ପ୍ରଭାବରେ ହିଁ ଆଜି ଅଗ୍ରୱାଲା ସମାଜ ଶାକାହାରୀ, ଅଂହିସା ବାଦୀ ଏବଂ ଧର୍ମ ପରାୟଣ ଜାତି ରୁପେ ପ୍ରତିଷ୍ଠା ଲାଭ କରିଛି ।

ଜିଲା ପ୍ରତିନିଧି, ପ୍ରସାର ଭାରତୀ, ବୌଦ୍ଧ – ୭୬୨୦୧୪, ମୋ- ୯୯୩୭୦୬୦୧୯୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ