ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀରେ : ଅନୁରାଗ ସିଂ ଠାକୁର

ଭୁବନେଶ୍ବର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ମଧ୍ୟ ଦେଖିଥିଲେ। ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍ ଷ୍ଟାଡିୟମ ଏବଂ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି । ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି । ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ବସ୍ତରୀୟ ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ। ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତାରେ ତିନି ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଏବଂ ସ୍ପେନ୍ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଅନ୍ୟପକ୍ଷରେ କାନାଡା, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଜାପାନ ସବୁଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ଭାଗ ନେବାର ରେକର୍ଡ ବଜାୟ ରଖିଛନ୍ତି ।ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି । ୨୦୧୭ରେ ୧୭ ବର୍ଷରୁ କମ୍ ପୁରୁଷ ଫୁଟବଲ ବିଶ୍ବକପ ପରେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ ରଖିଛି । ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ