କୋରାପୁଟ ମାଟିର ଉଜ୍ଜ୍ୱଳ ପ୍ରତିଭା ୰ ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଓଡ଼ିଶା ମାଟିରେ ବହୁ ପ୍ରତିଭା ନିଜର ଜ୍ଞାନ, କର୍ମ, ଆଚରଣ, କର୍ତବ୍ୟନିଷ୍ଠା, ଅଧ୍ୟବସାୟ ଦ୍ୱାରା ଓଡିଶାର ତଥା ରାଷ୍ଟ୍ରର ବିକାଶରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । ଓଡ଼ିଶାର ଗୌରବ ଓ ସମ୍ମାନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବାରେ ପ୍ରମୁଖ ଭୂମିକା ନେଇ ଆସିଛନ୍ତି । ସମ୍ବାଦ ଓ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟକରି ପ୍ରଶଂସିତ ହୋଇଛନ୍ତି । ସେହିପରି ଜଣେ ଦୀପ୍ତିମନ୍ତ, ପ୍ରଜ୍ଞାଦୀପ୍ତ, ସରଳ, ମିଷ୍ଠଭାଷୀ, ଭାରତ ସରକାରଙ୍କର ପୂର୍ବତନ ବରିଷ୍ଠ ସୂଚନା ସେବା ଅଧିକାରୀ, ସାମ୍ବାଦିକ, ସମାଜସେବୀ, ସାଇ ଭକ୍ତ, ପରୋପକାରୀ ତଥା ଭାରତ ସରକାରଙ୍କର ଉପମହାନିର୍ଦ୍ଦେଶକ ଡିଏଭିପି (ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ) ହେଉଛନ୍ତି ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀ । କୋରାପୁଟ ଜିଲ୍ଲା କୁମୁଲିଠାରେ ୧୯୪୭ ମସିହା ଏପ୍ରିଲ ମାସ ୧୫ ତାରିଖରେ ସେ ଭୂମିଷ୍ଠ ହୁଅନ୍ତି । ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ପିଲାଟି ଦିନରୁ ଜଣା ପଡିଯାଇଥିଲା । ପିଲାଦିନର ବାଲ୍ୟ ସାଥୀ ନାରାୟଣ ପଣ୍ଡାଙ୍କ ସହିତ ମିଶି କୋରାପୁଟ ଜିଲ୍ଲା ଓ ଓଡିଶାର ସର୍ବାଙ୍ଗ ଉନ୍ନତି ପାଇଁ ଚିନ୍ତନ କରୁଥିଲେ । ବିଦ୍ୟାଳୟରେ ସବୁବେଳେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେଉଥିଲେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏହି ପିଲାଟି ଯେ ଏତେ ବଡ ପଦବୀକୁ ଉଠିପାରିବ ତାହା କେହି କେବେ କଳ୍ପନା କରି ନଥିଲେ । ପ୍ରାଥମିକ ବିଦ୍ୟାଳୟ ତାଙ୍କର କୋରାପୁଟ ଜିଲ୍ଲାରେ ସମାପ୍ତ ହୋଇଥିଲା । ପରେ ବିକ୍ରମଦେବ କଲେଜରୁ ସ୍ନାତକୋତ୍ତରରେ ଉତୀର୍ଣ୍ଣ ହୋଇଥିଲେ । ଧୀରେ ଧୀରେ ତାଙ୍କର ପ୍ରତିଭା ବିକଶିତ ହେବାକୁ ଲାଗିଲା । କେନ୍ଦ୍ର ସରକାରଙ୍କର ସୂଚନା ସେବା ଅଧିକାରୀ ଭାବେ ସେ ନିଯୁକ୍ତି ପାଇଥିଲେ । ପ୍ରାଥମିକ ସ୍ତରରେ ଆକାଶବାଣୀର ଆସିଷ୍ଟାଣ୍ଟ ନିଉଜ୍ ଏଡିଟର ଏବଂ ପରେ ମୁଖ୍ୟ ସଂପାଦକ ଭାବରେ ଦୀର୍ଘ ବର୍ଷ କାଳ କାର୍ଯ୍ୟ କରିଥିଲେ । କିପରି ଆକାଶବାଣୀ ଓ ଦୂରଦର୍ଶନ ସେବା ଘରେ ଘରେ ଲୋକଙ୍କ ପାଖରେ ପାଖରେ ପହଂଚିପାରିବ ତାହା ଉପରେ ସେ ସର୍ବଦା ଆଲୋଚନା କରିବା ସହିତ ଏହା କିପରି ଜନକଲ୍ୟାଣ କାର୍ଯ୍ୟରେ ଲାଗିପାରିବ ତାହା ଉପରେ ସର୍ବଦା ଗୁରୁତ୍ୱ ଦେଉଥିଲେ । ସମ୍ବାଦ ପରିବେଷଣ, ସଠିକ୍ ବିଶ୍ଳେଷଣ ଓ ଓଡିଶାର ସ୍ୱରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ଥିଲା ତାଙ୍କର ଲକ୍ଷ୍ୟ । ଆଂଚଳିକ ସମ୍ବାଦ ଉଦ୍‌ଘୋଷକରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉପ-ମହାନିର୍ଦ୍ଦେଶକ ପର୍ଯ୍ୟନ୍ତ ଯାତ୍ରା ବେଶ୍ ରୋମାଚକର ଥିଲା । ଜଣେ ଓଡିଆ ଅଧିକାରୀ ଭାବରେ ତାଙ୍କର ପ୍ରତିଭା ପରିପ୍ରକାଶ ପାଇଥିଲା । ତାଙ୍କର ଜ୍ଞାନ, ପାଣ୍ଡିତ୍ୟ, ବାକ୍‌ପଟୁତା ବଳରେ ସେ ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ଭାବରେ ବିଦେଶ (ଇଉରୋପ) ଗସ୍ତ କରିଥିଲେ । ଜାମ୍ମୁ କାଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦ୍‌ଙ୍କ ସହିତ କଥା ହେବା ପାଇଁ ଓ ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଜାମ୍ମୁ, କାଶ୍ମୀରରେ କିପରି ସୂଚନା ଓ ପ୍ରସାରଣ ସେବା ପହଂଚିପାରିବ ଭାରତ ସରକାରଙ୍କ ପକ୍ଷରୁ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳର ଗଠନ କରାଯାଇଥିଲା । ଯାହାର ନେତୃତ୍ୱ ସେ ନେଇଥିଲେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ଉଚ୍ଚ ପଦସ୍ଥ ଅଧିକାରୀ ପରେ ସରକାର ତାଙ୍କୁ ପଦୋନ୍ନତି ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ (ଡିଏଭିପି) ଭାବରେ ନିଯୁକ୍ତି ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ଉଚ୍ଚପଦସ୍ତ ଅଧିକାରୀଭାବେ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଥିଲେ ଯଥା- ଜାତୀୟ ସାକ୍ଷରତା ମିଶନ, ଜନଗଣନା, ଶିକ୍ଷାବିଭାଗର ଡେପୁଟି ସେକ୍ରେଟାରୀ ପ୍ରମୁଖ ବିଭାଗରେ ବେଶ୍ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ । ସେହିପରି ସମାଜସେବା କ୍ଷେତ୍ରରେ ମଧ୍ୟ ବେଶ୍ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ । ରକ୍ତଦାନକୁ ପ୍ରୋତ୍ସାହନ କରିବା, ବୃକ୍ଷରୋପଣ, ଦରିଦ୍ର ଜନତାଙ୍କୁ ଖାଦ୍ୟ-ବସ୍ତ୍ର ବଂଟନ ପ୍ରମୁଖ ମହନୀୟଗୁଣର ଅଧିକାରୀ ଥିଲେ । ଏହି ବିଭାଗରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିବା ତଥା ପ୍ରଥମ ଓଡିଆ (କୋରାପୁର ଜିଲ୍ଲା) ଉପମହାନିର୍ଦ୍ଦେଶକ ଭାବରେ ଗୌରବ ଅର୍ଜନ କରିଥିଲେ । ଏହା ବ୍ୟତୀତ ଜଣେ ପରୋପକାରୀ, ସାଇଭକ୍ତ, ମେଳାପୀ ଭାବରେ ଓଡିଶା ତଥା ଜାତୀୟ ଓ ରାଷ୍ଟ୍ର ବାହାରେ ମଧ୍ୟ ତାଙ୍କର ବେଶ୍ ନାଁ ଥିଲା । ପ୍ରତିବର୍ଷ ପୁଟାପାର୍ତୀରେ ଥିବା ଶ୍ରୀ ସତ୍ୟ ସାଇବାବାଙ୍କ ଆଶ୍ରମକୁ ଧର୍ମପତ୍ନୀ କାମିନୀ ତ୍ରିପାଠୀଙ୍କ (ଓଡିଆ ସମ୍ବାଦ ଉଦ୍‌ଘୋଷିକା) ସହିତ ଯାଇ ସେଠାରେ କିଛି ଦିନ ରହି ସେବା କାର୍ଯ୍ୟ କରୁଥିଲେ । ଯୁବ ସାମ୍ବାଦିକମାନଙ୍କୁ ସବୁବେଳେ କିଛି ନୂତନ କରିବା ପାଇଁ ପ୍ରୟାସ କରିବାକୁ କହୁଥିଲେ । ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ, ଅହଂକାର ତିଳେ ମଧ୍ୟ କେବେ ଦେଖାଯାଇ ନାହିଁ । ସର୍ବଦା ସୁଖ ଓ ଦୁଃଖରେ ସମଭାବରେ ରହୁଥିଲେ । ସେ ନିଜେ ଥିଲେ ଗୋଟିଏ ଅନୁଷ୍ଠାନ, କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ବାଦ, ସାମ୍ବାଦିକତା ଆଦିକୁ ଭଲ ପାଉଥିବା ମଣିଷଟିଏ ସର୍ବଦା ହସ ହସ ବଦନରେ ସମସ୍ତଙ୍କୁ ସ୍ୱାଗତ, ଅଭ୍ୟର୍ଥନା, ଆପାୟିତ କରୁଥିଲେ । ପ୍ରକୃତରେ କହିବାକୁ ଗଲେ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ସେ । ସର୍ବଦା କର୍ମ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ସହିତ କାର୍ଯ୍ୟକରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଚାହୁଁଚାହୁଁ ସେ ଆମ ସମସ୍ତଙ୍କୁ ଶୋକସାଗରରେ ଭସାଇ ଚାଲିଯାଇଥିଲେ ୨୦୧୫ ସମିହା ଅକ୍ଟୋବର ମାସ ୧୭ ତାରିଖ ଦିନ । ନୂଆଦିଲ୍ଲୀଠାରେ ଥିବା ତାଙ୍କ ବାସଭବନର ଅଳ୍ପବାଟରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆମ ସମସ୍ତଙ୍କଠାରୁ ଅଶ୍ରୁଳ ବିଦାୟ ନେଇ ଚାଲିଯାଇଥିଲେ । ତାଙ୍କ ପରି ଆଦର୍ଶବ୍ୟକ୍ତି୍‌ତ୍ୱ ବିରଳ । ସପ୍ତମ ସ୍ମୃତିଚାରଣ ଦିବସ ଉପଲକ୍ଷେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
ଅରବିନ୍ଦ ତ୍ରିପାଠୀ
ସମ୍ପାଦକ, ଉତ୍କଳ ବୁଲେଟିନ୍‌
ଭୁବନେଶ୍ୱର, ମୋ-୯୯୩୭୬୮୯୬୮୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ