ଦୀପାବଳୀରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ନିମାପଡା, (ସନ୍ତୋଷ ଦାଶ):ଆଜି ଆଲୋକର ପର୍ବ ଦୀପାବଳୀ l ସବୁଆଡେ ଦୀପ, ମହମବତୀ, ରଙ୍ଗୀନ ବିଦ୍ୟୁତ ଆଲୋକ ଜଳାଇ ସାରାଦେଶରେ ଲୋକମାନେ ଦୀପାବଳୀ ଉତ୍ସବ ମନାଉଥିବା ବେଳେ ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଗୋରୋଡ଼ିତୋଟା ଗାଁ ରେ ଆଜି ଏକ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରାଯାଇଥିବା ଦେଖିବାକୁ ମିଳିଛି l ଦେଶର ସୁରକ୍ଷା ପାଇଁ ସୀମା ଓ ବିଭିନ୍ନ ଅଞ୍ଚଳରେ ବୀର ଯବାନମାନେ ବିରତ୍ୱର ସହ ସୁରକ୍ଷା ପ୍ରଦାନ କରୁଥିବାବେଳେ ଅନେକ ସମୟରେ ଯବାନ ମାନେ ସହିଦ ହୋଇଯାଉଛନ୍ତି l ସେହି ସହିଦ ହୋଇଥିବା ଅମର ଯବାନଙ୍କ ସହିତ ଗ୍ରାମର ଜଣେ ସହିଦ ଯବାନ ସୁଶାନ୍ତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗ୍ରାମବାସୀ ମାନେ ଗ୍ରାମର ଆରାଧ୍ୟ ଦେବତା ମହାବୀରଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଭାବେ ଦୀପଜାଳି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦୀପଦାନ କରିଛନ୍ତି l ବାଣ ଫୁଟାଇଲେ ପରିବେଶ ଦୂଷିତ ହେଉଛି ତେଣୁ ଆମ୍ଭେମାନେ ବାଣ ନ ଫୁଟାଇ ଦୀପଜାଳି ପରିବେଶକୁ ସୁସ୍ଥ ରଖିବା ସହିତ ବୀର ଯବାନଙ୍କ ସ୍ମୃତିଚାରଣ କରୁଛୁ ବୋଲି କହିଛନ୍ତି ଗ୍ରାମର ଯୁବତୀ ସ୍ମିତା ବିଶ୍ୱାଳ l ଏହି ନିଆରା କାର୍ଯ୍ୟକ୍ରମକୁ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଲକ୍ଷ୍ମୀଧର ରାଉତ, ଧର୍ମାନନ୍ଦ ବିଶ୍ୱାଳ, ଭକ୍ତବନ୍ଧୁ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ସୁଶାନ୍ତ ମହାନ୍ତି, ମାନସ ଦଳାଇ, ସୁକାନ୍ତ ବିଶ୍ୱାଳ ଦୁଃଶାସନ ପ୍ରଧାନ, ଦେବେନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ମାନେ ଆୟୋଜନ କରିଥିଲେ l