ହ୍ୱାଇଟ ହାଉସରେ ମଧ୍ୟ ଆଲୋକର ପର୍ବ ଦୀପାବଳୀ ପାଳନ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ପବିତ୍ର ପର୍ବ ଦୀପାବଳୀ ସାରା ଦେଶରେ ଧୁମଧାମରେ ପାଳନ କରାଯିବା ସହ ବିଦେଶରେ ମଧ୍ୟ ଏହା ଜୋର ସୋରରେ ପାଳନ ହୋଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଥର ହ୍ୱାଇଟ ହାଉସରେ ବର୍ତମାନ ଯାଏ ସବୁଠାରୁ ବଡ ଦୀପାବଳୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।ଅନ୍ୟ ପକ୍ଷରେ ନ୍ୟୁୟର୍କ ସହରରେ ମଧ୍ୟ ଲୋକ ମାନେ ଦୀପାବଳୀ ପାଳନ କରିଛନ୍ତି । ଏହି ଦୀପାବଳୀ କାର୍ଯକ୍ରମରେ ନ୍ୟୁୟର୍କ ସହରର ମେୟର ଏରିକ ଆଡାମ୍ସ ମଧ୍ୟ ଶାମିଲ ହୋଇଥିଲେ । ଏହି ଅବସରରେ ଆଡାମ୍ସ ଉପସ୍ଥିତ ଲୋକ ମାନଙ୍କୁ କହିଥିଲେ ଯେ ପ୍ରଭୁ ଶ୍ରୀରାମ ଯେଉଁ ରାସ୍ତା ଆମକୁ ଦେଖାଇଛନ୍ତି, ସେହି ରାସ୍ତାରେ ଚାଲିଲେ ଘୃଣା ସମାପ୍ତ ହେବ ।ସେ ଆହୁରି କହିଛନ୍ତି ଯେ ସମସ୍ତଙ୍କୁ ଆଲୋକବର୍ତିକା ସାଜିବାକୁ ହେବ । ସେ ମାତା ସୀତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ମଜବୁତ ମହିଳା ଥିଲେ । ସେ କୌଣସି ପ୍ରକାର ପ୍ରଲୋଭନ ଆଗରେ ମୁଣ୍ଡ ନୂଆଇଁ ନ ଥିଲେ । ସେ ଜଣେ ଦୃଢ ଓ ପ୍ରତିବଦ୍ଧ ମହିଳା ଥିଲେ ବୋଲି କହିଛନ୍ତି ଆଡାମ୍ସ । ଆଡାମ୍ସଙ୍କ ସରକାରୀ ଘରେ ଏହି ଦୀପାବଳୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଡାମ୍ସ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ – ଆସନ୍ତୁ ଆମେ ଶ୍ରୀରାମଙ୍କ ପରି ଜୀବନ ଜୀଇଁବା, ସୀତାଙ୍କ ପରି ଜୀବନ ଜୀଇଁବା ।ଦୀପାବଳୀ ଆମ ସମସ୍ତଙ୍କୁ ଏକାଠି ବସିବା, କଥାବାର୍ତା କରିବା ଓ ଘୃଣିତ ଅପରାଧକୁ ସମାପ୍ତ କରିବାର ପବିତ୍ର ପର୍ବ ଅଟେ । ଅନ୍ଧକାର ଯଦିଓ ଖୁବ ଅଧିକ ଅଛି, ହେଲେ ଆମକୁ ଦୀପର କିରଣ ସାଜିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଭାରତର ମହାବାଣିଜ୍ୟିକ ଦୂତ ରଣଧୀର ଜାୟସୱାଲ ଓ ନ୍ୟୁୟର୍କର ଆସେମ୍ବଲୀର ସଦସ୍ୟ ଜେ ରାଜକୁମାର ମଧ୍ୟ ଉପସ୍ଥିତ ଥିଲେ । ସେ କହିଥିଲେ ଯେ ଯଦି ଆମେ କେବଳ ଗୋଟିଏ ଦିନ ପାଇଁ ଅନ୍ଧକାର ଦୂର କରିବାକୁ ଏହି ଉତ୍ସବ ପାଳନ କରନ୍ତି ତେବେ ଆମେ ଦୀପାବଳୀର ସିଦ୍ଧାନ୍ତ ପ୍ରତି ବିଶ୍ୱାସଘାତକତା କରୁଛନ୍ତି । ଆମକୁ ବର୍ଷର ପ୍ରତ୍ୟେକ ଦିନ ସେହି ପରିମାଣ ଓ ସେହି ଉଚ୍ଚତାର ସହ ରହିବାର ଆବଶ୍ୟକତା ରହିଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ନ୍ୟୁୟର୍କ ସହରର ସ୍କୁଲ ମାନଙ୍କରେ ଦୀପାବଳୀକୁ ଛୁଟି ବୋଲି ଘୋଷଣା କରାଯିବାକୁ ଅନେକ ବର୍ଷ ଧରି ଦାବି ହୋଇ ଆସୁଥିଲା ।ଭାରତୀୟ ବଂଶୋଦ୍ଭବ ନ୍ୟୁୟର୍କ ଆସେମ୍ବଲିର ସଦସ୍ୟ ଜେ ରାଜକୁମାର ଦୀପାବଳୀ ଅବସରରେ ସାର୍ବଜନୀକ ଅବକାଶ ଘୋଷିତ କରିବାକୁ ଏକ ବିଲ ଆଣିଥିଲେ । ମେୟର ଆଡାମ୍ସ ନ୍ୟୁୟର୍କ ସହରର ସ୍କୁଲ ମାନଙ୍କରେ ଆଗାମୀ ବର୍ଷ ଠାରୁ ଦୀପାବଳୀ ଅବସରରେ ଛୁଟି ରହିବ ବୋଲି ଘୋଷଣା କରି ସାରିଛନ୍ତି ।