ଦିନକୁ ୧୨ ଘଣ୍ଟା କାମ ଖଟ, ନ ହେଲେ ଘରକୁ ଛଟେଇ …
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଟୁଇଟରରେ କାମ କରୁଥିବା କର୍ମଚାରୀ ଏବେ ହରଡ ଘଣାରେ। କାରଣ ସେମାନଙ୍କ ବୃତ୍ତିଗତ ଅସୁବିଧା ଏବେଠାରୁ ଆରମ୍ଭ ହେଲା ବୋଲି ଧରିନେବାକୁ ପଡିବ। ନିକଟରେ ଏଲ୍ ଏନ୍ ମସ୍କ ଏହି ସାମାଜିକ ଗଣମାଧ୍ୟମ ସଂସ୍ଥାକୁ ୪୪ ବିଲିୟନ ଡଲାରେ କିଣିଥିଲେ। ଆଉ ଏବେ କମ୍ପାନୀ ହାତକୁ ଆସିବା ପରେ ଆମୂଳଚୁଳ ପରିବର୍ତ୍ତନରେ ଲାଗିଛନ୍ତି ମସ୍କ। ପ୍ରଥମେ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆଉ ଏବେ ଘୋଷଣା କରିଛନ୍ତି ଅଫିସ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ ବରଖାସ୍ତ ହେବ। ଯଥା ଅଫିସରେ କାମ କରିବା ବେଳେ ମିଳୁଥିବା ମାଗଣା ଖାଇବା ଏବଂ ରୁମ୍ ବାବଦକୁ ହେଉଥିବା ଖର୍ଚ୍ଚ ହଟେଇ ଦିଆଯିବ।ତା ମାନେ ପୂର୍ବରୁ ଯେଉଁ କର୍ମଚାରୀ ଅଫିସରେ ରହିବା ଓ କାର୍ଯ୍ୟ ସମୟରେ ଭୋଜନ ସେବା ପାଉଥିଲେ ଏବେ ସେମାନଙ୍କୁ ଆଉ ସେ ସବୁ ମିଳିବନି। ଖାଲି ସେତିକି ନୁହେଁ, କାର୍ଯ୍ୟ ଅବଧିକୁ ବଢାଇବାକୁ ମଧ୍ୟ ଯୋଜନା କରିଛନ୍ତି ମସ୍କ।ଦୈନିକ ଆଠ ଘଣ୍ଟା ବସାଉଠା କରି କାମ କରୁଥିବା କର୍ମଚାରୀ ଏଣିକି ୧୦ରୁ ୧୨ ଘଣ୍ଟା କାଳ ଅଫିସରେ ଖଟିବେ। କାରଣ କମ୍ କର୍ମଚାରୀଙ୍କୁ ନେଇ ଆଠ ଡଲାର ସବସ୍କ୍ରିବସନ ଫି ବ୍ୟବସ୍ଥାକୁ ଆଗକୁ ନେବାକୁ ପଡିବ। ଏହି ଟାର୍ଗେଟକୁ ଆଧାର କରି ସାଧାରଣରେ ଏହା କୁହାଯାଇପାରେ ଯେ, ୧୨ ଘଣ୍ଟା ବି କମ୍ ପଡିବ।ପୂର୍ବରୁ ଅଧା କର୍ମଚାରୀଙ୍କୁ ଛଟେଇ କରାଯାଇଥିବାରୁ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା ସମ୍ଭବପର ହେବନାହିଁ। ତଥାପି ମାଲିକଙ୍କ ଚେତାବନୀ ମାନିବାକୁ ପଡିବ। ନ ମାନିଲେ ଚାକିରି ହରେଇବାକୁ ପଡିବ। ମସ୍କଙ୍କ ଏହି ପଦକ୍ଷେପରୁ ଆଉ ଗୋଟିଏ ହେଉଛି ଓ୍ବାକ ଫ୍ରାମ ହୋମ ଉଚ୍ଛେଦ। ପୂର୍ବରୁ କରୋନା ମହାମାରି ବେଳେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀ ଭଳି ଟୁଇଟର ଗ୍ରୁପ ମଧ୍ୟ ନିଜ କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ପାଇଁ ଓ୍ବାର୍କ ଫ୍ରମ ହୋମ ଆରମ୍ଭ କରିଥିଲେ। କର୍ମଚାରୀମାନେ ଘରୁ ବସି କାମ କରୁଥିଲେ। କିନ୍ତୁ ଏବେ ସେମାନଙ୍କୁ ଅଫିସ ଆସିବାକୁ ପଡିବ ବୋଲି କୁହାଯାଇଛି। ମାସ୍କ ଖୋଲାଖୋଲି କହିଛନ୍ତି ଯେ, ଯେଉଁ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ ସେମାନେ କାର୍ଯ୍ୟରେ ନାହାନ୍ତି ବୋଲି ଧରିନେବାକୁ ପଡିବ।ସୂଚନାଯୋଗ୍ୟ, ପୂର୍ବରୁ ଭାରତରେ ମଧ୍ୟ ଟୁଇଟର ଗ୍ରୁପ୍ ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିସାରିଛି। ଯାହା ଭିତରେ ରହିଛନ୍ତି ଟୁଇଟରର ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲ ମଧ୍ୟ ରହିଛନ୍ତି।