ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ, କାରଣ ଅଷ୍ପଷ୍ଟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଥରେ ନୁହଁ ଦୁଇ ଦୁଇଥର ପ୍ରଚଣ୍ଡ ବିଷ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ । ଆଜି ଦିନ ୧୦ଟା ୩୪ମିନିଟ ସମୟରେ ଥରେ ଓ ଏହାର ୧୦ମିନିଟ ପରେ ପୁନର୍ବାର ଆଉଥରେ ପ୍ରଚଣ୍ଡ ଶବ୍ଦ ଶୁଣା ଯାଇଥିଲା । ପ୍ରଥମ ବିଷ୍ଫୋରଣ ଶବ୍ଦ ଏକ ବୋମା ଫୁଟିବା ଭଳି ଲାଗିଥିବାବେଳେ ଦ୍ୱିତୀୟ ଥର ଅଧିକ ଶକ୍ତିଶାଳୀ ଥିଲା ଏହି ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଘର ଗୁଡିକ ଦେହଳି ଉଠିଥିବାବେଳେ କବାଟ ଝରକା ସବୁ ଥରି ଉଠିଥିଲା । ସତେ ଯେପରି ଭୁମିକମ୍ପ ହେଲା ଭାବି ଅନେକ ଘର ବାହାରକୁ ଦୌଡି ପଳାଇ ଆସିଥିବାବେଳେ ଆଉ କିଛି ବାହାରକୁ ଆସି କେଉଁଠୁ ଶବ୍ଦ ଆସିଲା ସେ ଆଡକୁ ଅନାଇ କାରଣ ଖୋଜିଲେ । ଠିକ ଏହି ସମୟରେ ଆକାଶରେ ଏକ ଜେଟ ବିମାନ ଯିବାର ଶବ୍ଦ ଶୁଣା ଯାଇଥିଲା । ଏପରି କି ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ସାମାଜିକ ଗଣମାଧ୍ୟମରେ କିଏ ବିମାନ ଖସିପଡିଲା ତ ଆଉ କିଏ କହିଲା ରକେଟ ମାଡ ହେଲା, ଆଉ କିଏ ଭୁମିକମ୍ପ ବୋଲି ଗୁଜବ ମାନ ପ୍ରଚାର କରିଦେଲେ । ଠିକ ଗତ ୫ବର୍ଷ ପୁର୍ବେ ଏହିପରି ଆକାଶରେ ଉତ୍ତର ପଟେ ଏକ ପ୍ରଚଣ୍ଡ ବିଷ୍ଫୋରଣ ଘଟିଥିଲା । ଯାହାକୁନେଇ ଦିନ ତମାମ ଲୋକମାନେ ବଉଳା ପାହାଡଠାରୁ ଆରମ୍ଭ କରି ହଦଗଡ ପର୍ଯ୍ୟନ୍ତ ଧାଁ ଧପଡ କରି ବିଷ୍ଫୋରଣର ଉତ୍ପତିସ୍ଥଳ ଓ କାରଣ ଖୋଜିବାକୁ ଲାଗି ପଡିଥିଲେ । ମାତ୍ର ତାର କାରଣ କିଛି ଜଣାପଡି ନଥିଲା କି ପ୍ରଶାସନ ମଧ୍ୟ ନେଇ କୌଣସି ଷ୍ପଷ୍ଟ କରିନଥିଲା । ଆଜିର ଏହି ବିଷ୍ଫୋରଣ ନେଇ ମଧ୍ୟ ପ୍ରଶାସନ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ସେମାନେ ଯାହା କୁହନ୍ତି- ବିନୟ କୁମାର ନାୟକ- ଏପରି ପ୍ରଚଣ୍ଡ ଶୁଣିବା ପରେ ଆମେ ଘର ପାଖରେ କିଏ ଗୋଟେ ବଡ ବମ ଫୁଟାଇଲା ବୋଲି ଭାବିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ବିଷ୍ଫୋରଣ ହେଲା ଓ ଘର ଗୁଡିକ ଦୋହଲିଗଲା ତେଣୁ ଭୁମିକମ୍ପ ହେଲା ବୋଲି ଭାବି ବାହାରକୁ ଦୌଡି ଆସିଲୁ । ସୁବାସ ଚନ୍ଦ୍ର ଓଝା-ଆମେ ଦୋକାନ ବାହାରେ ଠିଆ ହୋିଥିବାବେଳେ ପ୍ରଥମ ବିଷ୍ଫୋରଣ ଶୁଭିଲା, ଓ ତାହାର ଠିକ ୧୦/୧୫ମିନିଟ ପରେ ଦ୍ୱିତୀୟ ବିଷ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ହେଲା । ଠିକ ସେହି ସମୟରେ ଗୋଟିଏ ବିମାନ ଯିବାର ଶବ୍ଦ ମଧ୍ୟ ହେଲା । ତେଣୁ ଏହି ବିମାନ ସହିତ ଆଉ କେଉଁ ବିମାନର ଧକ୍କା ହେଲା କି ଏହି ବିମାନରୁ କିଛି ବୋମା ପକାଗଲା ତାହା ଭାବି ଆମେ ଶବ୍ଦ ଦିଗକୁ ଅନାଇଲୁ । ଖାଲି ମୁଁ ନୁହଁ ଶହଶହ ଦୋକନୀ ବି ବାହାରକୁ ଆସି ଶବ୍ଦ ଆସିଥିବା ଦକ୍ଷିଣ ଦିଗକୁ ଚାହିଁ ରହିଲେ । ଅବିନାଶ ପ୍ରଧାନ- ଗତ ୫/୬ବର୍ଷ ପୁର୍ବେ ରାତିରେ ଆମେ ଏହିପରି ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିଲୁ । ଘର ଗୁହିକ ଦୋହଲି ଯାଇଥିଲା । ଭୟଭୀତ ହୋଇ ଘରୁ ମଧ୍ୟ ଦୌଡି ବାହାରକୁ ପଳାଇ ଆସିଥିଲୁ । କିନ୍ତୁ ପରେ ଜାଣିଲୁ ଯେ ଏହା ଏକ ଭୁମିକମ୍ପ ଥିଲା । ତେଣୁ ଆଜିବି ଯାହା ହେଲା ଏହା ବି ଏକ ଭୁମିକମ୍ପ ହୋଇଥିବ ବୋଲି ଅନୁମାନ କରିଥିଲୁ । ସୁଶାନ୍ତ ବିଶ୍ୱାଳ, ଭୁତତ୍ୱବିଦ୍‌- ଆଜିର ଯେଉଁ ବିଷ୍ଫୋରଣ ସଦୃଶ ଶବ୍ଦ ହେଲା, ତାହା ଅତ୍ୟନ୍ତ ଭୟଙ୍କର ଓ ବିଷ୍ମୟକର ଥିଲା । ଏହାର ପରିଧି ଯାଜପୁର, ଆନନ୍ଦପୁର ଓ ଭଦ୍ରକର କିଛି ଅଞ୍ଚଳକୁ ଯାଇଛି । କୌଣସି ବିଷ୍ଫୋରକ ଯଦି ହୋଇଥାନ୍ତା ତେବେ ବିଷ୍ଫୋରଣ ସ୍ଥାନ ଚିହ୍ନଟ ଅତି ସହଜ ହୋଇଥାନ୍ତା । ତେଣୁ ଏହା କୌଣସି ମହାଜାଗତିକ ଶବ୍ଦ ହୋଇପାରେ । ସେହିପରି ଯଦି ଏହା ଭୁମିକମ୍ପ ତାହାର କେନ୍ଦ୍ର ସ୍ଥଳ ଚିହ୍ନଟ କରିପାରିଥାନ୍ତା । ମାତ୍ର ତାହାର କୌଣସି ସୁଚନା ମିଳିଲାନି । ମାତ୍ର ଆଜିର ଏହି ବିଷ୍ଫୋରଣ ଶବ୍ଦର ତୀବ୍ରତା ଏତେ ଥିଲା ଯେ ଘର ଗୁଡିକ କିଛି ସ୍ଥାନରେ ଭୁମିକମ୍ପ ଭଳି ଥରିଥିଲା । ତେଣୁ ଏହାର କାରଣ କଣ ଓ ଶବ୍ଦ କେଉଁଠୁ ଆସିଲା ତାହା ପ୍ରମାଣ କରିବାର ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ