ଭାଷା ଓ ସଂସ୍କୃତି ପ୍ରାଣ ନରସିଂହ ନନ୍ଦ ବିମଳା ସିଂହ

ଭାଷା ହେଉଛି ଏକ ଜାତିର ପରିଚୟ । ଯେଉଁ ଭାଷା ଯେତେ ଅଗ୍ରଗତି କରିଛି, ସେ ଜାତି ସେତିକି ଉପରକୁ ଉଠିଛି । ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ଭଲ ପାଇବା ପ୍ରତ୍ୟେକ ବ୍ୟକ୍ତିର ପ୍ରଧାନ କର୍ତ୍ତ୍ୟବ୍ୟ । ଏହା ଦ୍ୱାରା ଭାଷା ଓ ସଂସ୍କୃତିର ଧାରା ଗତିଶୀଳ ହୋଇଥାଏ । ଜଣେ ଭଲ ମଣିଷର ମନ ସବୁବେଳେ ବିଳପି ଉଠିଥାଏ ନିଜ ଭାଷାର ସୁରକ୍ଷା କରିବା ପାଇଁ, ଯଦ୍ୱାରା ଏ ସମାଜ ଉପକୃତ ହୋଇଥାଏ । ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ । ସେ ସମାଜ ଭିତରେ ଜନ୍ମ ନିଏ ଏବଂ ନିଜର କର୍ମ ସମ୍ପାଦନ କରି ପୁଣି ବାହୁଡ଼ି ଯାଏ ଏଇ ସମାଜ ଭିତରେ । ତେଣୁ ସେ ସାମାଜିକ ପ୍ରାଣୀର ଆଖ୍ୟା ଲାଭ କରିଛି । ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜର ଧର୍ମ, କର୍ମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । କୋଟି କୋଟି ବର୍ଷର ଏଇ ସମାଜ ବକ୍ଷରେ କେତେ ଆସିଛନ୍ତି, କେତେ ଯାଇଛନ୍ତି ତା’ର ସତ୍ତା ନାହିଁ । କିନ୍ତୁ କିଛି ସଫଳ ବ୍ୟକ୍ତିତ୍ୱ ଯଶୋଦେହେ ଆୟୁଷ୍ମାନ ହୋଇଛନ୍ତି, ନିଜର ସ୍ୱଧର୍ମ ପାଳନ ଓ ସୁକର୍ମ ସମ୍ପାଦନ କରିଯାଇଥିବାରୁ । ଏହି କ୍ରମରେ ଯଦି ଆମେ ଦେଖିବା ମନେ ପଡ଼ନ୍ତି ମୋ ଜୀବନ ଯାତ୍ରାର ପଥେ ମୁଁ ଭେଟିଥିବା ଏବଂ ଏ ସମାଜ ମଧ୍ୟ ଭେଟିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ଯେଉଁ ମାନଙ୍କ ପ୍ରତ୍ୟେକ କର୍ମ ଥିଲା ଏ ସମାଜ ପାଇଁ ଏକ ଆହ୍ୱାନ ଏବଂ ଆଦର୍ଶ । ଆଜି ଏହି କ୍ରମରେ ମନେ ପଡ଼ନ୍ତି ମୋ ସାହିତ୍ୟ ଜୀବନ କ୍ଷେତ୍ରରେ ଭେଟିଥିବା, ଯାହାଙ୍କର ଧୀର ଚାଲି, ହସ ହସ ମୁହଁରେ ଦି’ ପଦ କଥା, ସେହି ମହାନ୍ ଭାଷା ଓ ସଂସ୍କୃତି ପ୍ରାଣ ଶ୍ରୀ ନରସିଂହ ନନ୍ଦ ମହାଶୟଙ୍କୁ, ଯାହାଙ୍କୁ ମୁଁ ‘ମଉସା’ ବୋଲି ଡାକୁଥିଲି । ଗୋଦାବରୀଶ ସାହିତ୍ୟ ସଂସଦର କବିତା ଆସରରେ ତାଙ୍କ ସହ ଯେତେବେଳେ ଭେଟ ହୁଏ ମୁଁ ପ୍ରଣାମ କରେ ଓ ସେ ପଚାରନ୍ତି “ଭଲ ଅଛୁ?” ସେହି କଥା ପଦକରେ ମୁଁ ଅନୁଭବ କରେ ତାଙ୍କ ଆତ୍ମୀୟତା । ସମସ୍ତଙ୍କୁ ପାଛୋଟି ନିଅନ୍ତି ସଭାଗୃହକୁ ଏବଂ ଶୃଙ୍ଖଳାର ସହ ବସିବାକୁ କହିଥାନ୍ତି । ସେଇ ଗୋଦାବରୀଶ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ଥିଲେ । ଏକଥା ମୁଁ ବହୁତ ପଛରେ ଜାଣିଲି । ତାଙ୍କ ସମୟରେ ଯାଉଥିଲି ବିଭିନ୍ନ କାର୍ଯ୍ୟକ୍ରମରେ ସଂସଦର ଡାକରାରେ ଯୋଗଦେବାକୁ । ସେ କାଳ ପଖାଳ ଏବେ ଆଉ ନାହିଁ । ନିଜ ଭାଷାକୁ ସେ ଯେ ଭଲ ପାଉଥିଲେ କେବଳ ତାହା ନୁହେଁ, ସେ ଥିଲେ ଜଣେ ସୁସଙ୍ଗଠକ, ସଂସ୍କୃତି ପ୍ରେମୀ ଓ ଜଣେ ବରିଷ୍ଠ ସାହିତ୍ୟିକ । ସାହିତ୍ୟ କ୍ଷେତ୍ରରେ କେବଳ କବିତା ଭିତରେ ସେ ନିଜକୁ ସୀମାବଦ୍ଧ କରି ରଖି ନଥିଲେ । ତାଙ୍କ କଲମ ମୁନରୁ ଝରି ଆସିଥିଲା କବିତା ଗୁଚ୍ଛ ସହ ଅନେକ ନାଟକ, ଜୀବନ କାହାଣୀ, ପତ୍ରିକାର ସମ୍ପାଦନା, ଅନୁବାଦ କରିବା ସହ ଗଢ଼ିଥିଲେ ଅନେକ ସାହିତ୍ୟ ଅନୁଷ୍ଠାନ । ନିଜକୁ ହଜାଇ ଦେଇଥିଲେ ରାଜଧାନୀ ଭୁବନେଶ୍ୱରର ଛାତି ଭିତରେ । ଭୁବନେଶ୍ୱରର ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଯେତେ ସବୁ ଅନୁଷ୍ଠାନ ଆମେ ଦେଖୁଛେ, ସବୁଥିରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏତଦ୍ ବ୍ୟତୀତ ‘ଧରିତ୍ରୀ’ ଖବର କାଗଜର ସାହିତ୍ୟ ବିଭାଗରେ ମଧ୍ୟ ସେ ସମ୍ପାଦନା କରୁଥିଲେ । ତାଙ୍କ ଜୀବଦ୍ଦଶାରେ ସେ ଅତିକମ୍‌ରେ ୪୦ଟି ସାମାଜିକ ଅନୁଷ୍ଠାନ, ଧର୍ମାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଯେଉଁଠି ଆଜି ବି ଗୁଞ୍ଜରିତ ହୁଏ ତାଙ୍କ ପଦଧ୍ୱନି । ନିଜ ପ୍ରଚେଷ୍ଟାରେ ସେ ଗଢ଼ି ଯାଇଛନ୍ତି ଅନେକ ଅନୁଷ୍ଠାନ ଏଇ ରାଜଧାନୀ ବକ୍ଷ ଉପରେ ।
ତାଙ୍କର ଧାର୍ମିକ ମନ ଅହରହ ଧାଉଁଥିଲା କାଳିଆ ସାଆନ୍ତଙ୍କ ପାଖକୁ । ତେଣୁ ସେ ଗଢ଼ିଥିଲେ ଭଗବତ୍ ଲୀଳା ପ୍ରଚାର ସମିତି, ସଚ୍ଚିନନ୍ଦନ ସଂକୀର୍ତ୍ତନ ପରିଷଦ, କଳ୍ପତରୁ ସେବା ସଂଘ (ବାୟାବାବା ମଠ), ପ୍ରଭୁ ଶ୍ୟାମାନନ୍ଦୀ ଭକ୍ତ ପରିଷଦ ଇତ୍ୟାଦି ଇତ୍ୟାଦି । ପ୍ରତିବର୍ଷ ଯେଉଁ ସଂକୀର୍ତ୍ତନ ଦଳ ପୁରୀ ପାଦରେ ଚାଲି ଚାଲି ଯାଆନ୍ତି ସେଥିରେ ସେ ମୁଖ୍ୟ କର୍ଣ୍ଣଧାର ଥିଲେ । ଈଶ୍ୱର ବିଶ୍ୱାସୀ, ସଂସ୍କୃତି ପ୍ରେମୀ, ଭାଷା ପ୍ରେମୀ ଏକାଧାରାରେ ଏସବୁର ସମାହାର ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନହେଲେ ମଧ୍ୟ ସେ ସମ୍ଭବ କରିଯାଇଛନ୍ତି ଓ ଆଗାମୀ ପିଢ଼ିକୁ ବାର୍ତ୍ତା ଦେଇ ଯାଇଛନ୍ତି “କପଟହୀନ ମନ, ସମସ୍ତଙ୍କୁ ଭଲ ପାଇବାର ଆବେଗ, ଆଉ ସମାଜ ପାଇଁ କିଛି କରିବାର ନିଷ୍ଠା ରଖିଲେ ଭଗବାନ ଖୁସି ହୁଅନ୍ତି ଓ ଅସମ୍ଭବକୁ ସମ୍ଭବ କରିବାରେ ସହାୟକ ହୁଅନ୍ତି ।” ଏଭଳି ଜଣେ ଦୂରଦ୍ରଷ୍ଟା, ଭାଷା ଓ ସଂସ୍କୃତି ପ୍ରାଣଙ୍କ ସଂସ୍ପର୍ଶରେ ମୁଁ ଆସିଛି ଭାବି ନିଜକୁ ଧନ୍ୟ ମନେ କରେ ଏବଂ ତାଙ୍କର ଆଦର୍ଶରେ ମୁଁ ଅନୁପ୍ରାଣିତ ହୋଇଛି । ମୋର ସୌଭାଗ୍ୟ ମୁଁ ତାଙ୍କୁ ‘ମଉସା’ ଡାକୁଥିଲି ଏବଂ ଆମ “ଗୋଧୂଳି ସାହିତ୍ୟ ସଂସଦ” ସହଯୋଗରେ ତାଙ୍କ ସ୍ମୃତି ସଭା ତାଙ୍କର ସୁପୁତ୍ରମାନେ କରୁଛନ୍ତି । ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ଧାରା ଆଜି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ବଦଳି ଯାଇଛି । ଯଦି ଆମେ ନରିସଂହ ନନ୍ଦଙ୍କ ଠାରୁ ଆରମ୍ଭ କରି ଡକ୍ଟର ସାତକଡ଼ି ହୋତା, ଡକ୍ଟର ରମାକାନ୍ତ ରଥ, ଶାନ୍ତନୁ ଆଚାର୍ଯ୍ୟ, ପ୍ରଫେସର ଶରତ ଚନ୍ଦ୍ର ରଥ, ପ୍ରଫେସର ସଂଘମିତ୍ରା ମିଶ୍ର, ବିଭୁତି ପଟ୍ଟନାୟକ, ପ୍ରଫେସର ନିତ୍ୟାନନ୍ଦ ଶତପଥି, ଏକାଦଶୀ ପ୍ରସାଦ ବୋଇତାଇ ପ୍ରମୁଖଙ୍କୁ ଆଖି ଆଗକୁ ଆଣିବା, ଏମାନେ କେବଳ ସାଧନାରେ ମଗ୍ନ ସିନା ନିଜ ଗତିପଥ ବଦଳାଇ ନାହାଁନ୍ତି । ଏଥିପାଇଁ ସେମାନେ ପ୍ରଣମ୍ୟ । ସାହିତ୍ୟ ଓ ସଂସ୍କୃତିକୁ ସେମାନେ ଜାବୁଡ଼ି ଧରିଛନ୍ତି, ସମାଜ ପାଇଁ କିଛି କରିବା, କିଛି ଭଲ ଛାଡ଼ି ଦେଇଯିବା ଆଗାମୀ ପିଢ଼ି ପାଇଁ ପୁରସ୍କାର ଠାରୁ ବହୁ ଦୂରରେ ଥାଇ । ସେମାନେ ଅଦୃଶ୍ୟ ଶକ୍ତି ଦ୍ୱାରା ସ୍ୱପ୍ରତିଭାର ବିକାଶ ପାଇଁ ଯଥେଷ୍ଟ ସମ୍ମାନ ପାଇଛନ୍ତି ଉଚ୍ଚ ମାନସିକତାର ପଥର ପଥିକ ହୋଇ । କାହାରି ଗୋଡ଼ାଣିଆ ସାଜି ନାହାଁନ୍ତି । ଏ ସମାଜକୁ ଦେଇ ଯାଇଛନ୍ତି ବାର୍ତ୍ତା ଯେ କାମ କରିି ଚାଲ, ନିଜ ଭାଷା ଓ ସଂସ୍କୃତି ସହ ନିଜ ପ୍ରତିଭାକୁ କାହା ପାଖରେ ନୀଚ୍ଚ ବୋଲି ସ୍ୱୀକାର କରନାହିଁ । ଠିକ୍ ଯେମିତି ଥିଲେ ‘ନରସିଂହ ନନ୍ଦ’ ଓ ତାଙ୍କ ସମସାମୟିକ ସାହିତ୍ୟ ସଂସ୍କୃତି ପ୍ରେମୀଗଣ । ମଣିଷ ଜନ୍ମ ଭଗବାନ ଦେଇଛନ୍ତି, କିଛି ଭଲ କରିବା ଏ ସମାଜ ପାଇଁ । ଏହି ଲକ୍ଷ୍ୟ ନେଇ ଆସନ୍ତୁ ଆଗେଇ ଯିବା ଆଜିର ଏଇ ଏକାଦଶତମ ଶ୍ରାଦ୍ଧ ଦିବସରେ ଭାଷା ଓ ସଂସ୍କୃତିର ପ୍ରାଣ ନରିସଂହ ନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ