ଅଖିଳ ଭାରତ କୃଷକ ସଭା ଏବଂ ରାମଚଣ୍ଡୀ କୃଷକ ସଭା ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତ କୃଷକ ସଭା ଏବଂ ରାମଚଣ୍ଡୀ କୃଷକ ସଭା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ କୃଷକ ସମାବେଶର ଆୟୋଜନ କରାଯାଇ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ୮୦ଶତାଂଶ ଲୋକେ କୃଷି କାର୍ଯ୍ୟରେ ସଂପୃକ୍ତ ଥରବା ସତ୍ୱେ ଏହା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା ।ଜମିଜମା ସମସ୍ୟା ସାଙ୍ଗକୁ ଜଳସେଚନ ଓ ନିଷ୍କାସନରେ ଅବ୍ୟବସ୍ଥା, କୃଷି ଭିତ୍ତିଭୂମିର ଅଭାବ, ଆବଶ୍ୟକ ସମୟରେ ସାର, ବିହନ, କୀଟନାଶକ, କୃଷି ଯନ୍ତ୍ରପାତି ନମିଳିବା, ଖାଦ୍ୟ ଶସ୍ୟ ସଂରକ୍ଷଣ ଓ ବଜାରର ଅଭାବ, ସର୍ବୋପରି ଫସଲର ଲାଭ ଦାୟକ ମୂଲ୍ୟ ଅଭାବରୁ କୃଷି ଅର୍ଥନୀତି ଜିଲ୍ଲା ବିକାଶରେ ଅନ୍ତରାୟ ହୋଇ ଠିଆ ହୋଇଛି । ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭା, ବତୀଘର ପକ୍ଷରୁ ପ୍ରସ୍ତାବିତ ଇସ୍ପାତ କାରାଖାନା ଯୋଗୁ କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରରୁ ନିଯୁକ୍ତି ଓ ଜମିର ଉପଯୁକ୍ତ ମୂଲ୍ୟ ପ୍ରଦାନ, କନ୍ଧଚାଷୀଙ୍କୁ ସେମାନଙ୍କ ଚାଷ ଜମିର ପଟ୍ଟା ପ୍ରଦାନ, ସେମାନଙ୍କୁ ସରକାର ଦେଇଥିବା କେ. ଫର୍ମ ପଟ୍ଟାକୁ ଖତିୟାନ ଭାବେ ଗ୍ରହଣ କରାଯିବା, ସଂପୃକ୍ତ ଇସ୍ପାତ କାରାଖାନା କତ୍ତୃପକ୍ଷଙ୍କ ଦ୍ୱାରା ସିଧାସଳଖ ଲୋକଙ୍କ ଠାରୁ ଜମି କିଣାଯିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ସମସ୍ତ ଚାଷୀଙ୍କ ଠାରୁ ମାଧ୍ୟମରେ ଖାଦ୍ୟଶସ୍ୟ ସଂଗ୍ରହ କରାଯିବା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା ଧାର୍ଯ୍ୟ କରାଯିବା, ୬୦ବର୍ଷ ପରେ ସମସ୍ତ କୃଷକଙ୍କୁ ୬ହଜାର ଟଙ୍କା ପେନସନ ପ୍ରଦାନ, ଜନ ବିରୋଧୀ ବିଦ୍ୟୁତ ସଂଶୋଧନ ବିଲ-୨୦୨୦କୁ ପ୍ରତ୍ୟାହାର କରାଯିବା, ପେଟ୍ରୋଲ, ଡିଜେଲ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯିବା ପ୍ରଭୃତି ଦାବି କରାଯାଇଛି । ଏହି ଉପଲକ୍ଷେ ଗୋପଛକ ଠାରୁ ଉଭୟ ସଂଗଠନର ସଭ୍ୟସଭ୍ୟାମାନେ ଏକ ବିଶାଳ କୃଷକ ଶୋଭାଯାତ୍ରାରେ ବାହାରି ନାରାବାଜି ଦେଇ ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଅଖିଳ ଭାରତ କୃଷକ ସଭାର ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ସାଥି ସୀତାକାନ୍ତ ନାୟକ, ସଂଯୁକ୍ତା ରାଉତ, ସୋହାନା ବେଗମ, ଭଜହରି ପ୍ରଧାନ, ଅକ୍ଷୟ ମଲିକ, କାନ୍ତିପ୍ରଭା ନାୟକ ଓ ନନ୍ଦିନୀ ନାୟକ ପ୍ରମୁଖ ନେତୃତ୍ୱ ଦେଇଥିଲେ । ଏହି ସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ସାଥି ଅଭୟ ସାହୁ ବିକ୍ଷୋଭକାରୀଙ୍କୁ ସମ୍ବୋଧିତ କରି ସେମାନଙ୍କ ଦାବି ଗୁଡିକ ପାର୍ଟିର ନୈତିକ ସମର୍ଥନ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ରାପଡା ଜିଲ୍ଲା ତା’ର ଆର୍ଥିକ ପଛୁଆପଣରୁ ଆଗକୁ ଯିବା ପାଇଁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାକୁ ତାଙ୍କ ପାର୍ଟି ସ୍ୱାଗତ କରେ । ମାତ୍ର ଶିଳ୍ପ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ସେମାନଙ୍କର ଜୀବିକାର ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ ଓ ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂଦେଓ କୃଷକ ସମାଜର ମୈାଳିକ ଦାବି ଗୁଡିକୁ ହାସଲ କରିବା ପାଇଁ କୃଷକ ଆନ୍ଦୋଳନ ଗୁଡିକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପରସ୍ପର ସହ ସମ୍ପର୍କ ରଖି ଗୋଟିଏ ଧାରାରେ ପରିଚାଳିତ ହେବାକୁ ଆହ୍ୱାନ ଦେଇଥିଲେ । ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ରାମଚଣ୍ଡୀ କୃଷକ ସଭାର ସମ୍ପାଦକ କୈଳାସ ସାହୁ, ସହ ସମ୍ପାଦକ ହରେକୃଷ୍ଣ ମାଝୀ, ଅଖିଳ ଭାରତ କୃଷକ ସଭା, କେନ୍ଦ୍ରାପଡାର ଆବାହକ ପଦ୍ମନାଭ ଦାସ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, ରାମଚନ୍‌ଡୀ କୃଷକ ସଭାର ଉପସଭାପତି ଧିରେନ୍ଦ୍ର ସାମଲ, ବିକାଶ ଚନ୍ଦ୍ର ବେଉରା, ସୁବାସିନୀ ଭଦ୍ର, ବସନ୍ତ ଖଟେଇ ପ୍ରମୁଖ ବକ୍ତବ୍ୟ ରଖି କୃଷକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ୧୧ଦଫା ସମ୍ବଳିତ ଦାବିପତ୍ର ବିକ୍ଷୋଭକାରୀଙ୍କ ଠାରୁ ସଭା ସ୍ଥଳରୁ ଗ୍ରହଣ କରିଥିଲେ । ଏହି ସମାବେଶରେ ୫ହଜାରରୁ ଅଧିକ କୃଷକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ