ଶିକ୍ଷକଙ୍କୁ ହତ୍ୟା ଘଟଣାରେ ପୁଲିସକୁ ମିଳିଲା ବଡ ସଫଳତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୧୭ଦିନ ବିତିବା ପରେ ଆଜି ନନ୍ଦିପଦା ପୁଲିସକୁ ଏକ ବଡ ସପଳତା ମିଳିଛି । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅପରାଧି ଭାବେ ଜଣେ ଯୁବକକୁ ଗତକାଲି ରାତିରେ ସୋସୋ ଥାନା ଢ଼େଙ୍କା ପଞ୍ଚାୟତର କଣିଆରୀ ଗାଁରୁ ଧରିବାରେ ସଫଳ ହୋଇଛି । ଯଦିଓ ପୁଲିସ ଏନେଇ କୌଣସି ଷ୍ପଷ୍ଟ ସୁଚନା ଦେଇ ନାହିଁ ତଥାପି ଏହି ଯୁବକ ଜଣକ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ସନେ୍ଦହ କରି ଯୁବକ ଜଣକୁ ଜେରା କରୁଥିବା ଜଣେ ଅଧିକାରୀ ପରୋକ୍ଷରେ ପ୍ରକାଶ କରିଛନ୍ତି । ଧରାପଡିଥିବା ଏହି ଯୁବକ ଜଣକ ମୃତ ଶିକ୍ଷକଙ୍କ ପୁରାତନ ଛାତ୍ର ଓ ସେ ରାଜ୍ୟ ବାହାରେ ରହୁଥିବାବେଳେ ଏବେ ତିନି ମାସ ହେଲା ଘରକୁ ଆସି ଘରେ ରହୁଥିଲା । ମୃତ ଶିକ୍ଷକଙ୍କ ସହିତ ତାର ଦୀର୍ଘଦିନ ହେବ ସମ୍ପର୍କର୍ ମଧ୍ୟ ଥିଲା । ପୁଲିସ ଅନେକ ଅନୁସନ୍ଧାନ ପରେ କିଛି ସୁରାକ ପାଇବାପରେ ଏହି ଯୁବକ ଜଣକୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରୁ ଉଠାଇ ଆଣିବାରେ ସଫଳ ହୋଇଥିଲା । ଏହି ଯୁବକଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ନା ସିଏ ଏକା ଏହି ହତ୍ୟାକାଣ୍ଡରେ ସଂପୃକ୍ତ ତାହାକୁ ନେଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଓ ନନ୍ଦିପଦା ଥାନା ଆଇ.ଆଇ.ସି ଗଗନ ବିହାରୀ ବିଶ୍ୱାଳ ସଂପୃକ୍ତ ଯୁବକଙ୍କୁ ବିଭିନ୍ନ ଦିଗରୁ ପଚରା ଉଚରା କରିବାରେ ଲାଗିଛନ୍ତି । ଏହି ଘଟଣାର ୧୪ଦିନ ପରେ ହାଟଡିହ ଅଗ୍ନିଶମ ବିଭାଗ ସହାୟତାରେ ସଢ଼ା କେନାଲ ଭିତରୁ ପୁଲିସ ସ୍କୁଟିକୁ ଉଦ୍ଧାର କରିଥିବାବେଳେ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନଥିଲା । ହତ୍ୟାକାରୀ ଅତି ଚାଲାକ ଥିବାରୁ ହତ୍ୟାକାଣ୍ଡ ସ୍ଥଳରେ କୌଣସି ସୁରାକ ଛାଡି ନଥିବାରୁ ପୁଲିସ ହତ୍ୟାକାଣ୍ଡ ଉପରୁ ରହସ୍ୟ ଭେଦ କରିବା ସମ୍ଭବପର ହୋଇପାରୁ ନଥିଲା । ଗତ ନଭେମ୍ବର ମାସ ୧୩ତାରିଖ ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ହତ୍ୟାକାରୀ ହତ୍ୟାକାଣ୍ଡ ସ୍ଥଳରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ଏକ ହାତରେ ପିନ୍ଧା ଷ୍ଟିଲ ବଳା ଛାଡି ଦେଇ ଯାଇଥିବାରୁ ତାହାକୁ ନେଇ ତଦନ୍ତକୁ ଆଗେଇଥିଲା । ଏହି ଛୁରୀଟି ଅନଲାଇନ ମାଧ୍ୟମରେ ମଗାଯାଇଥିବା ପୁଲିସକୁ ସୁଚନା ମିଳିବାପରେ ତାହାକୁ ଆଧାରକରି ପୁଲିସ ତଦନ୍ତକୁ ଆଗେଇଥିଲା । ହତ୍ୟାକାରୀ ଯେବି ହେଉନା କାହିଁକି ଶିକ୍ଷକଙ୍କ ଅତି ପରିଚିତ ଓ ଜଣାଶୁଣା ବୋଲି ପୁଲିସ ଅନୁମାନ କରୁଥିଲା । ପରେ ପୁଲିସ ଏକ ବିଶେଷ ସୁତ୍ରରୁ ଖବର ପାଇବାପରେ ସଂପୃକ୍ତ ଶିକ୍ଷକଙ୍କ ଏହି ଘନିଷ୍ଠ ଛାତ୍ରଙ୍କ ଉପରେ ସନେ୍ଦହ ପ୍ରକଟ କରିଥିଲା ।ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି ।ସେ ଗତ ୧୩ ତାରିଖ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କ ବେକକୁ କାଟିବା ସହିତ ପେଟକୁ ଛୁରୀ ଭୁଷି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପୁଲିସ ସେହିଦିନ ଠାରୁ ହତ୍ୟାକାରୀକୁ ଠାବ କରିବାପାଇଁ ଦିନରାତି ଏକ କରି ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ