ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦୂର୍ଗା ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଠାରୁ ଆରମ୍ଭକରି ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (ନାକୋ) ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂଗଠନ(ଓସାକ)ଭଳି ସରକାରୀ ଅନୁଷ୍ଠାନ ଓ ବେସରକାରୀ ସଂଗଠନର ମିଳିତ କାର୍ଯ୍ୟକ୍ରମ ଯୋଗୁ ଏଚ୍‌.ଆଇ.ଭି/ଏଡସ୍ ପରି ମହାମାରୀ ତଥା ଭୟ ଉଦ୍ରେକକାରୀ ବିରୁଦ୍ଧରେ ସଂଗ୍ରାମକରି ଆମେ ଅନେକାଂଶରେ ସଫଳତା ପାଇବା ସତ୍ୱେ ସଚେତନତା ଅଭାବରୁ ଆମେ ସମ୍ପୂର୍ଣ୍ଣ ସଫଳତା ପାଇପାରିନାହୁଁ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ । କିଶୋର ଓ ନିଶାସକ୍ତ ଯୁବକମାନେ ଏଡସ୍ ଫାଶରେ ପଡିଥିବା ଦେଖାଯାଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱର ପ୍ରାୟ ୪କୋଟି ଲୋକ ଏଚ୍‌.ଆଇ.ଭି./ଏଡସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୨୧ଲକ୍ଷ କିଶୋର ଏଡସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ୨୦୧୨ ସର୍ବେକ୍ଷଣ ଅନୁଯାୟୀ ସମଗ୍ର ଭାରତରେ ୧୦ହଜାର ବ୍ୟକ୍ତିଙ୍କ ମଧ୍ୟରେ ୩୫ଜଣ ଏଡସ୍ ସଂକ୍ରମିତ ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୧ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୩୩ହଜାର ୫୧୫ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ଏଚ୍‌.ଆଇ.ଭି. ପରୀକ୍ଷା, ଚିକିତ୍ସା ଓ ପ୍ରତିଷେଧକକରେ ନିରନ୍ତର ଗୁଣାତ୍ମକ ସେବା ଉପଲବ୍ଧ କରାଇବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ ହୋଇଥିବାବେଳେ ଏହି ମହାମାରୀ ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଓ ସଂକ୍ରମିତ ମଣିଷଟି ସାମନା କରୁଥିବା ଆର୍ଥିକ, ସଂସ୍କୃତିକ, ଆଇନଗତ ଅସମାନତାକୁ ଶେଷ କରିବାହିଁ ଆଜିର ଦିବସ ପାଳନର ମୂଳଲକ୍ଷ୍ୟ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ସମସ୍ତେ ମିଳିମିଶି ଏଚ୍‌.ଆଇ.ଭି. ବିରୁଦ୍ଧରେ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ସମସ୍ତେ ସଚେତନ ଓ ସତର୍କ ରହି ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଦିଗରେ ବାର୍ତ୍ତାବହ ହୋଇ ଆଗାମୀ ଦିନରେ ଏଡସ୍ ମୁକ୍ତ ସ୍ୱପ୍ନକୁ ସାକାର କରିବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ୍ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶ୍ୱ ଏଡସ୍ ଦିବସ ପାଳନ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗୀତାରେ ତୁଳସୀ ମହିଳା ମହାବିଦ୍ୟାଳୟର ୬ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏ.ଏନ.ଏମ. ଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ଏଡସ୍ ଦିବସ ପାଳନର ବିଷୟ ବସ୍ତୁ ‘ସମାନତା’ ଉପରେ ପ୍ରଦର୍ଶିତ ଅଭିନୟ ହୃଦୟସ୍ପର୍ଶୀ ହୋଇଥିଲା ଓ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡା. ପି. କେ ବେହେରା, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଡି.ପି.ଏମ. ଗୀତାଞ୍ଜଳି ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ଡି.ପି.ସି. ମନୋରଞ୍ଜନ ଦାସ, ଏ.ଏନ.ଏମ. ଛାତ୍ରୀବୃନ୍ଦ, ତୁଳସୀ କ୍ଷେତ୍ର କିନ୍ନର ସଂଘର ସଭାନେତ୍ରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ । ଶେଷରେ ଡି.ପି.ଏଚ.ସି. ଓ. ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ