ପଦମପୁର କାହାର?
ବରଗଡ, (ଯୁଗାବ୍ଦ ନ୍ୟୁଜ):ଆଜି ରାଜ୍ୟ ରାଜନୀତି ପାଇଁ ବଡ଼ ଦିନ । ଆସିବ ପଦମପୁର ଉପନିର୍ବାଚନ ଫଳାଫଳ । ଏହି ରେଜଲ୍ଟ ହିଁ ସୂଚାଇ ଦେବ କେଉଁ ଆଡ଼କୁ ଯାଉଛି ରାଜ୍ୟ ରାଜନୀତି । ପଦମପୁରରେ କିଏ ମାରିବ ବାଜି ତା ଉପରେ ନିର୍ଭର କରୁଛି ରାଜ୍ୟର ଭବିଷ୍ୟତ । ପଦମପୁର ରେଜଲ୍ଟରୁ ମିଳିବ ୨୦୨୪ ପାଇଁ ରାଜ୍ୟବାସୀଙ୍କ ମୁଡର ସଂକେତ ।ଧାମନଗରକୁ ଛାଡ଼ି ସମସ୍ତ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତି ଆସିଥିବା ବିଜେଡି ପାଇଁ ଏହି ଉପନିର୍ବାଚନ କିନ୍ତୁ ଏସିଡ ଟେଷ୍ଟ ସାବ୍ୟସ୍ତ ହୋଇଛି । ୬୦ ବିଧାୟକ, ୧୫ ମନ୍ତ୍ରୀ ମାସେରୁ ଅଧିକ ସମୟ ପଦମପୁରରେ କ୍ୟାମ୍ଫ କରିଥିଲେ।ତେବେ ହାର ଜିତ ନୁହେଁ ବିଜୟ ବ୍ୟବଧାନ ବି ଦେବ ଭବିଷ୍ୟତ ରାଜନୀତିର ଇସାରା । ଉପନିର୍ବାଚନରେ ପଦମପୁରକୁ ଜିଲ୍ଲା ମାନ୍ୟତା, ଇନପୁଟ୍ ସବସିଡି, ଫସଲ ବୀମାରେ ଘୋଟାଲା, ସ୍ବାସ୍ଥ୍ୟ ଓ ଦାଦନ ସମସ୍ୟା ବଡ଼ ପ୍ରସଙ୍ଗ ହୋଇଥିଲା । ଏସବୁ ପ୍ରସଙ୍ଗରେ ଗ୍ରାଉଣ୍ଡରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଭୋଟରେ ତାର କିପରି ପ୍ରତିଫଳନ ହୋଇଛି ତାହା ଜଣାପଡ଼ିବ ରେଜଲ୍ଟରୁ।ସେପଟେ ଫଳାଫଳ ପୂର୍ବରୁ ନବୀନ ନିବାସରେ ବିଜେଡିର ବଡ ବୈଠକ । ୫୦ ରୁ ଉର୍ଦ୍ଧ୍ବ ନେତାଙ୍କୁ ସୁପ୍ରିମୋଙ୍କ ଡକରା । ପଦମପୁର ଠୁ ନେଇ ରାଜ୍ୟ ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେଉଥିବା ଜନ ଅସନ୍ତୋଷର କାରଣ ନିରାକରଣ କୁ ନେଇ ଘମାଘୋଟ ମାନସ ମନ୍ଥନ । ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ।ବିଜେଡି ପଦମପୁରରେ ବାଜିମାତ କରିବାର ଦମ୍ଭୋକ୍ତି ବାଢୁଥିବା ବେଳେ ବିଜେପି ବି ଜିତବାର ଦାବି କରୁଛି” । ହେଲେ କଂଗ୍ରେସ ଫଳାଫଳ ଆଗରୁ ପରାଜୟ ସ୍ବୀକାର କରି ସାରିଛି। ଅନ୍ୟପଟେ ପଦମପୁର ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜିସକାଳ ୮ ଟାରୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ୨୯୬ ପୋଷ୍ଟାଲ ଵାଲାଟ ପେପେର ଭୋଟ ଗଣା ହେବ । ଏହା ପରେ ୮.୩୦ ରୁ ଇଭିଏମ କାଉଣ୍ଟିଙ୍ଗ ଆରମ୍ଭ ହେବ । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୧୪ ଟି କାଉଁଟିଙ୍ଗ ଟେବୁଲ ଏବଂ ଗୋଟେ ଆରଓ ରହିବେ । ପ୍ରତ୍ୟେକ କାଉଣ୍ଟିଙ୍ଗ ଟେବୁଲରେ ୩ ଜଣ ଷ୍ଟାଫ ରହିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପଦମପୁର ଫଳାପଳ ଉପରେ ରାଜ୍ୟବାସୀଙ୍କ ନଜର । କୁହାଯାଉଛି ୨୪ ପୂର୍ବରୁ ପଦମପୁର ଫଳାଫଳ ବଡ ସଙ୍କେତ ଦେବ । ରାଜ୍ୟ ରାଜନୀତିର ଭାଗ୍ୟ ନିର୍ଦ୍ଧାରଣ କରିବ ପଦମପୁର ଫଳାଫଳ ।