ସ୍ୱାବଲମ୍ବୀ କରାଇଛି ଗୋଲାପ ଚାଷ

ପ୍ରବଳ ଇଛାଶକ୍ତି ଓ ଦୃଢ ଆତ୍ମବିଶ୍ୱାସ ଯେ ସଫଳତା ଆଣି ଦିଏ ତାହାର ସଦ୍ୟ ଉଦାହରଣ ହେଉଛନ୍ତି କୁଚିଣ୍ଡା ଉପଖଣ୍ଡ ମିକ୍ତିମାଲ ଗାଁର ସୋଭାଗ୍ୟ ନାଏକ । ଦୁଇ ଏକର ଜମିରେ ଗୋଲାପ ଫୁଲ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ନିଯୁକ୍ତି । ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଚାଷରେ ଗାଁର ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇ ପାଲଟି ଯାଇଛନ୍ତି ଉଦାହରଣ । ସେଥିପାଇଁ ତାଙ୍କୁ ସ୍ଥାନୀୟ ଲୋକେ କହୁନ୍ତି ରୋଲ ମଡେଲ ରୋଜ ବୟ ।
କୁଣ୍ଡରେ ସଜା ହୋଇଥିବା ଗୋଲାପ ଫୁଲ ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ବି ସେତିକି ସଂଘର୍ଷମୟ । ଆଜିର ପ୍ରଗତିଶୀଳ ଦୁନିଆରେ ଚାକିରି ପଛରେ ନଦୌଡି ଗୋଲାପ ଫୁଲ ଚାଷ ପାଇଁ ମନ ବଳାଇଥିଲେ ସମ୍ବଲପୁର ବାମରା ବ୍ଲକ ନିକ୍ତିମାଲ ଗାଁର ଯୁବ ଚାଷୀ ସୌଭାଗ୍ୟ ନାୟକ । ପ୍ରେମର ସ୍ୱରୂପ ଫୁଲ ଗୋଲାପକୁ ପ୍ରେମୀ ଯୁଗଳ ଯେତିକି ଭଳ ପାଆନ୍ତି ଗୋଲାପ ଚାଷକୁ ତାଠୁ ଢେର ଅଧିକ ଭଲପାଆନ୍ତି ସୌଭାଗ୍ୟ । ପଲ୍ଲୀହାଉସ ମାଧ୍ୟମରେ ୩ ବର୍ଷ ତଳୁ ୨ ଏକର ଜମିରେ ଗୋଲାପ ଫୁଲ ଚାଷ କରୁଛନ୍ତି ଯୁବଚାଷୀ ସୌଭାଗ୍ୟ । ଆଉ ଏବେ ଦିନକୁ ୩୦୦୦ରୁ ୫୦୦୦ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ସଂଗ୍ରହ କରୁଛନ୍ତି । ଆଉ ସେହି ସବୁ ଫୁଲକୁ ପ୍ୟାକିଂ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବରଗଡ଼, କେନ୍ଦୁଝର ସହରକୁ ବିକ୍ରି ପାଇଁ ପଠାଉଛନ୍ତି ଗୋଲାପ ଚାଷୀ ସୌଭାଗ୍ୟ । ଗୋଟିଏ ଫୁଲକୁ ୬ ଟଙ୍କାରେ ବିକ୍ରି କରୁଥିବା ଏହି ସଫଳ ଚାଷୀ ମାସିକ ଲକ୍ଷାଧିକ ଚଙ୍କା ଲାଭ ପାଉଛନ୍ତି । ଗୋଲାପ ଚାଷ କରି ସୌଭାଗ୍ୟ ନିଜେ ସ୍ୱାବଲମ୍ବୀ ହେବା ସହ ନିକ୍ତିମାଲ ଗାଁର ୧୦ ଜଣ ଶ୍ରମିକଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେଇଛନ୍ତି । ତାଙ୍କ ଗୋଲାପ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ମାସିକ ୭ରୁ ୮ ହଜାର ଟଙ୍କାର ପାରିଶ୍ରମିକ ଦେଉଛନ୍ତି ସୌଭାଗ୍ୟ । ସୌଭାଗ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଶ୍ରମିକମାନେ ସକାଳୁ ସଂଧ୍ୟା ଗୋଲାପ ଗଛଗୁଡ଼ିକର ଯତ୍ନ ନେଉଛନ୍ତି । ଆଉ ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର । ଜାତୀୟ ଉଦ୍ୟାନ ବିଭାଗର ପରାମର୍ଶକ୍ରମେ ଗୋଲାପ ଫୁଲ ଚାଷ କରି ପ୍ରେରଣାର ଉତ୍ସ ପାଲଟିଥିବା ସୋଭାଗ୍ୟଙ୍କ ଏହି ଫୁଲ ଚାଷ ଅନେକ ଯୁବପୀଢିଙ୍କୁ ଚାଷ ପ୍ରତି ଆକୃଷ୍ଟ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ