ଗଞ୍ଜେଇ କାରକୁ ଗୋଡ଼ାଇ ପୁଲିସ ଗାଡି ଦୁର୍ଘଟଣା: ଏଏସଆଇ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନାର ଏଏସଆଇ ଗଞ୍ଜେଇ ବୋଝେଇ କାର ସହ ମାଫିଆକୁ ଧରିବାକୁ ଯାଇ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି. ସୂଚନାନୁସାରେ ୧୧୨ ଗାଡି ଯୋଗେ ଥାନା ଏଏସଆଇ ଏଲଭିପ୍ରସାଦ ଓ ଗାଡି ଚାଳକ ସନ୍ତୋଷ ଦଳେଇ ଗଞ୍ଜେଇ ବୋଝେଇ କାରଟିକୁ ଧରିବା ପାଇଁ ଗୋଡ଼ାଇଥିଲେ. ପଛରୁ ପୁଲିସ ଗାଡି ଆସୁଥିବା ଦେଖି କାର ଚାଳକ ଗାଡିର ବେଗକୁ ବଢ଼ାଇ ଦେଇଥିଲେ. ଯାହା ଫଳରେ ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ହେବାରୁ ପୁଲିସ ଗାଡିର ଚାଳକଙ୍କୁ ଆଉ ରାସ୍ତା ଦେଖା ଯାଇନଥିଲା. ଏଣୁ ପୁଲିସ ଗାଡିର ଚାଳକ ବ୍ରେକ ମାରିବାରୁ ବାଧ୍ୟ ହୋଇଥିଲେ. ଗାଡି ଭରସାମ୍ୟ ହରାଇ ସ୍ଥାନୀୟ ବ୍ଲକ ପିଣ୍ଡିକି ପଞ୍ଚାୟତ ଅଧୀନ ରାକେଶପଙ୍କା ଗ୍ରାମ ନିକଟରେ ଓଲଟି ପଡିଥିଲା. ଏହି ଘଟଣାରେ ମୋହନା ଥାନା ଏଏସଆଇ ଏଲଭିପ୍ରସାଦଙ୍କ କନ୍ଧରେ ଗଭୀର ଆଘାତ ଲାଗିଛି. ଏଲଭିଙ୍କୁ ସେଠାରୁ ଗ୍ରାମବାସୀ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି. ଚାଳକ ଦଳେଇ ସାମାନ୍ୟ ଆହତ ହୋଇଛନ୍ତି. ଗଞ୍ଜେଇ ବୋଝେଇ କାରଟି ଘଟଣା ସ୍ଥଳରୁ ଚନ୍ଦ୍ରଗିରି ଅଞ୍ଚଳକୁ ଚମ୍ପଟ ମାରି ଚାଲି ଯାଇଛି