ଆଜି ଦେଶର ବଜେଟ : ଗୁଳି ଆଉ ଶୁଳିର ବଜେଟ

ମାୟାଧର ନାୟକ
ରାତ୍ର ୧୨…. ରକ୍ତନଦୀରେ ଜୀବନ ଜୁଆର । ଅଗଷ୍ଟ ୧୫…. ମଶାଲ ଲିଭିଯିବା ପରେ ଘଣ୍ଟାର କଣ୍ଟା ପାଖରେ କିନ୍ତୁ ଅଣ୍ଟ ନୂଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟାକଣ୍ଟାରେ ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ରାଜନେତାମାନଙ୍କ ମଧ୍ୟରାତ୍ରିର ମହୋତ୍ସବରେ ପାଳିତ ହୋଇସାରିଛି ସ୍ୱାଧୀନତାର ପର୍ବ । ଏବେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଦେଶସାରା ମହା ଧୁମ୍‌ଧାମରେ ପାଳିତ ହୋଇଯାଇଛି । ଏଇ ଅମୃତ ମହୋତ୍ସବରେ ଭାରତ ମନ୍ଥନରୁ ଯେଉଁ ଅମୃତ ବାହାରିଲା ତାକୁ ୭୫ବର୍ଷ ହେଲା ଦେଶର ୧୪୨କୋଟି ୮୦ ଲକ୍ଷରୁ ମାତ୍ର ୧୦ ଭାଗ ୧୪ କୋଟି ୨୮ ଲକ୍ଷ ଅମୃତ ପିଇ ପିିଇ ଚାଲିଛନ୍ତି ବାକି ୯୦ ଭାଗ ୧୨୮ କୋଟି ୫୨ ଲକ୍ଷ ହତଭାଗ୍ୟ ଭାରତବାସୀ ବିଷ ପିଇ ମର୍‌ମର୍ ।ମହାମାରୀ କୋଭିଡ଼ ସିନା ସାରା ବିଶ୍ୱର ୮୦୦କୋଟି ମଣିଷଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି-ଟିକେ କୋହଳ ହେବାରୁ ବିଶ୍ୱ ଫୁଟବଲ ମ୍ୟାଚ୍‌, ବିଶ୍ୱ କ୍ରିକେଟ ମ୍ୟାଚ୍ ଏବଂ ଏଇ ଜାନୁୟାରୀ ମାସରେ ଆମ ପ୍ରିୟ ଧନୀ ଓଡ଼ିଶାର ଗରୀବ ଲୋକଙ୍କ ଆଖି ଝଲସିଯିବା ଭଳି ବିଶ୍ୱ ହକି ଖେଳ ଅନୁଷ୍ଠିତ ହୋଇଯାଇଛି । ରାଜକୋଷରୁ କୋଟି କୋଟି ଡ଼ଲାର ଓ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ୱ ଠାରୁ ରାଜ୍ୟ ପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଖେଳ ଦେଖି ବିଶ୍ୱବାସୀ, ଭାରତବାସୀ, ଓଡ଼ିଶାବାସୀ ଖୁସିରେ ଗଦ୍‌ଗଦ୍ ହୋଇପଡ଼ିଛେ । ଏଣେ ବର୍ଷେ ପାଖାପାଖି ରୁଷ-ୟୁକ୍ରେନ ଭୟଙ୍କର ରୁକ୍ତମୁଖା ଯୁଦ୍ଧ ଚାଲିଛି । ପୁଣି ୨୦୨୫ରେ ଆମେରିକା-ଚୀନ୍ ଯୁଦ୍ଧ ଲାଗିବ ବୋଲି ଏବେଠୁ ଭବିଷ୍ୟତବାଣୀ ଶୁଣାଗଲାଣି । ଯୁଦ୍ଧ ମଣିଷ ସମାଜକୁ ଧ୍ୱଂସମୁଖୀ କରାଏ । ଯୁଦ୍ଧାସ୍ତ୍ର ଶିଶୁମାନଙ୍କ ହାତରେ ପଡ଼ିଲେ ସେମାନେ ଖେଳନା ବନ୍ଧୁକ ଭଳି ଖେଳନ୍ତି । ଏଣେ ୧୭ ଲକ୍ଷ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଅପେକ୍ଷା କରିଛନ୍ତି ସମସ୍ତ ବିଶ୍ୱକୁ ଗ୍ରାସ କରିବାକୁ । ଗୋଟିଏ କ୍ଷୁଦ୍ରଭୂତାଣୁ କୋଭିଡ଼-୧୯ କରୋନାର ଖେଳାଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଥରଥର କରି ଚାଲିଛି । ଏ ବିଶ୍ୱରେ ଆଗକୁ ଭୟଙ୍କର ପ୍ରାକୃତିକ, ମନୁଷ୍ୟକୃତ ବିପତ୍ତି, ଦୁର୍ଭିକ୍ଷ, ମହାମାରୀ ପଡ଼ିବ । ପୃଥିବୀରୁ ୭ଶହ କୋଟି ୨୦ ଲକ୍ଷ ମଣିଷ ପୋକମାଛି ଭଳି ମରିଯିବେ । ପଶୁପକ୍ଷୀଙ୍କ କଥା ପଚାରେ କିଏ! ଏ ଘୋର କଳିକାଳ ଯୁଗରେ କଳିଆ, ଠକ, ପାଜି, ଅତ୍ୟାଚାରୀ, ଶୋଷକ, ଯୌନ ବ୍ୟଭିଚାର, ନାରୀ ଧର୍ଷଣକାରୀ, ରାଜକୋଷ ଲୁଟେରାଙ୍କ ମୁଣ୍ଡ ଆଗେ ଗଡ଼ିବ । ଆମେ କିନ୍ତୁ ଟିକେ ଭାରତ ଆଡ଼କୁ ନଜର ପକାଇବା । ୨୦୨୩ ମସିହା ଅତି ଭୟଙ୍କର ବର୍ଷ ହେବାକୁ ଯାଉଛି । ୨୦୨୪ରେ କେନ୍ଦ୍ର ଓ ବହୁ ରାଜ୍ୟରେ କ୍ଷମତା ଦଖଲ ପାଇଁ ଭୋଟ ହେବ । ଆମେ ଭିକାରି ଠାରୁ ମହାମହା ଶିଳ୍ପପତି ପର୍ଯ୍ୟନ୍ତ ଖଣ୍ଡେ ଖଣ୍ଡେ ଭୋଟ ଦେଇ ଆମ ପ୍ରଭୁମାନଙ୍କୁ ଗାଦିନସୀନ କରାଇବା । ସେମାନେ ଆମର ସବୁ ଦୁଃଖ ହରଣ କରି ଆମକୁ ଘିହମହୁରେ ଭସାଇଦେବେ । ଆମେ ସବୁ ଘିଅ ପିଇବା ଆଶାରେ କୋଉଦିନଠୁ ଚାତକ ଭଳି ଚାହିଁ ରହିଛେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ