ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ରୋଡ଼ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱର ଶାଖା ମୁଖ୍ୟ ପରିଚାଳକ ଜୟନ୍ତ ସିଂହ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶିକ୍ଷା ଗ୍ରହଣ ସାଙ୍ଗକୁ ଉତ୍ତମ ଚରିତ୍ର ଗଠନ ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଫକୀର ମୋହନ ମହାବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ରଂଜନ କୁମାର ସାହୁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମାତୃଭାଷା ସାଙ୍ଗକୁ ଜାତୀୟ ତଥା ଆନ୍ତର୍ଜାତିକ ଯୋଗଯୋଗ କ୍ଷେତ୍ର ପାଇଁ ଆବଶ୍ୟକ ଇଂରାଜୀ ଭାଷାରେ ନିପୁଣ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ‘ସମୟର ଚକ୍ର’ ପତ୍ରିକା ସମ୍ପାଦକ ସର୍ବେଶ୍ୱର ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ମୁଖ୍ୟ ପରିଚାଳକ ବିଶ୍ୱଜିତ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷାଦାନ ଧାରା ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ସାମ୍ପ୍ରତିକ ଶିକ୍ଷାନୀତିରେ ବଢ଼ି ଚାଲିଥିବା ଟ୍ୟୁସନ ବ୍ୟବସ୍ଥା ଉଚ୍ଛେଦ ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଏକ ଶୈକ୍ଷିକ ପରିବେଶ ମଧ୍ୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ କରାଗଲେ ଛାତ୍ରଛାତ୍ରୀଙ୍କୁ ଆଦୌ ଟ୍ୟୁସନର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ବିଦ୍ୟାଳୟ ପରିଚାଳିକା ସୀମାରାଣୀ ପାତ୍ର ଏହି ଉତ୍ସବରେ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ପ୍ରସନ୍ନ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକଙ୍କ ଦିବଂଗତ ପିତାଙ୍କ ଉଦ୍ଦେଶ୍ୟରେ ସାମୂହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏଥିରେ ‘ବିଭିନ୍ନତା ମଧ୍ୟରେ ଏକତା’ ଶୀର୍ଷକ ଭିତ୍ତିରେ ଛାତ୍ରଛାତ୍ରୀମାନେ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ । ଅରୁଣ କୁମାର ନାୟକ, ବିବେକାନନ୍ଦ ପ୍ରଧାନ, ଶୁଭସ୍ମିତା ପଣ୍ଡା, ସସ୍ମିତା କର, କେ ଅନ୍ୱେଷା, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ