ନିର୍ମାଣ ଶ୍ରମିକଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶ୍ରମକାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପ୍ରତି ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କରାଯାଉଥିବା ଅନ୍ୟାୟର ପ୍ରତିବାଦରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ବୁଧବାର ଆରମ୍ଭ କରାଯାଇଛି । ସେମାନଙ୍କ ଦାବି ହେଉଛି ଜିଲ୍ଲାରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକମାନେ ପଞ୍ଜିକୃତ ହେବାପାଇଁ ଜିଲ୍ଲା ଶ୍ରମକାର୍ଯ୍ୟାଳୟରେ ୨୦୧୮ ମସିହାରୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ପଞ୍ଜିକୃତ ଶ୍ରମିକ କାର୍ଡ ପ୍ରଦାନ କରାଯାଉ ନାହିଁ । ଶ୍ରମ କାର୍ଯ୍ୟାଳୟରେ ଟୁଲସ ଓ ସାଇକେଲ ସହାୟତା ପାଇଁ ପଡି ରହିଥିବା ୨୦ହଜାର ଦରଖାସ୍ତକୁ ବିଚାରକୁ ନିଆଯାଇନାହିଁ । ଗତ ୨୦୧୮ ମସିହାରୁ ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଆବେଦନ ପତ୍ରଗୁଡିକୁ ବିଚାରକୁ ନିଆଯାଉନଥିବା ବେଳେ ୨୦୨୨-୨୩ ମସିହାର ଆବେଦନ ପତ୍ରକୁ କେଉଁ ଆଧାରରେ ଗ୍ରହଣ କରାଯାଇ ପଞ୍ଜିକରଣ କାର୍ଡ ପ୍ରଦାନ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ବ୍ୟତିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ପଡିରହିଥିବା ୧୪ଶହ ବିବାହ ସହାୟତା, ୩୧୪ ମୃତ୍ୟୁ କାଳୀନ ସହାୟତା, ପ୍ରସୂତି ସହାୟତା, ଶିକ୍ଷା ସହାୟତା, ୧୯୫୦ ବ୍ୟାକ୍‌ଲଗ୍ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ “ମୋ ସେବା କେନ୍ଦ୍ର”ର ମାଲିକମାନେ ପହଞ୍ôଚ ଉତ୍କଚ ଦେଇ କେବଳ ଯାହା କାମ କରାଇନେଉଛନ୍ତି । ତେଣୁ ତୁରନ୍ତ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ କରାଯିବାକୁ ଦାବିକରି ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ପୂର୍ବରୁ ଜିଲ୍ଲା ଶ୍ରମ ଅଧିକାରୀ, ପ୍ରଭାଗୀୟ ଶ୍ରମକମିଶନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସମସ୍ୟା ଗୁଡିକର କୌଣସି ସମାଧାନ ହୋଇନପାରି ବାରୁ ଆମରଣ ଅନଶନ କରାଯାଇଛି । ତେଣୁ ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ଦାବିରେ ଜିଲ୍ଲାର ଶ୍ରମିକ ଟ୍ରେଡ୍ ୟୁନିୟନ ଗୁଡିକର ପ୍ରତିନିଧିମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିରହିଛନ୍ତି । ଆଇ.ଏନ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ସିଟୁର ଜଗତଜୀବନ ଦାଶ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ଆଇଏନଟିୟୁସିର ମୁକ୍ତାର ଖାଁ, କଳିଙ୍ଗ ଭାରତ ଶ୍ରମିକ ସଙ୍ଘର ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା ନିର୍ମାଣ ମଜଦୁର ସଭାର ତ୍ରିଲୋଚନ ଦାସ ପ୍ରମୁଖ ଏହି ଅନଶନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ