ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) : କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ସୋମବାର ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ପଂଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। କଳିଙ୍ଗ ନଗର ଏବେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଥିଲେ। ତେଲିବାହାଳୀ ଗ୍ରାମର ମା ‘ମହାପାଟ ପଡ଼ିଆ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ ଆୟୋଜନ କରାଯାଇଛି । ଆଜିଠାରୁ ୧୩ ତାରିଖ ଦୀର୍ଘ ୫ ଧରି ଏହି ଉତ୍ସବ ପାଳନ କରାଯିବା ନେଇ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପାଳନ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ଚଳିତ ବର୍ଷ ମହୋତ୍ସବକୁ ଉତ୍ସର୍ଗ କରାଯାଇଛି । ପାଞ୍ଚ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ, ସ୍ଥାନୀୟ ଶିଳ୍ପ କାରଖାନା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ, ବାଲୁକା କଳା ପ୍ରଦର୍ଶନ, ଫୁଡ୍ ଷ୍ଟଲ୍, ମୀନା ବଜାର ସାଙ୍ଗକୁ ଏମ୍ ଏସ୍ ଏମ୍ ଇ ବିଭାଗର ଷ୍ଟାର୍ଟ ଅପ୍ ଷ୍ଟଲ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଚୟନ, ହସ୍ତତନ୍ତ ଷ୍ଟଲ ରହିଛି।ଏହି ଉଦଘାଟନ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ବରୀ ବିଧାୟିକା ସୁନନ୍ଦା ଦାସ,କୋରେଇ ବିଧାୟକ ଅଶୋକ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ଜିଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି,କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର, ଯାଜପୁର ଜିଲ୍ଲାର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ରାଜ୍ୟର ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଉଛି। ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।