ବିଜୟପୁର ଗ୍ରାମରେ ପାଣିର ଘୋର ଅଭାବ, ଦୂଷିତ ପାଣି ପିଇ ଷ୍ଟୋନ ରୋଗରେ ଆକ୍ରାନ୍ତ ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ସ୍ଵଚ୍ଛ ନିର୍ମଳ ପାନୀୟ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମୋହନା ଅଞ୍ଚଳର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ମୋହନା ବ୍ଲକ ଠାରୁ ମାତ୍ର ୨ କିମି ଦୂର ବିଜୟପୁର ଗ୍ରାମ ପାନୀୟ ଜଳ ଅଭାବରୁ ଦୀପ ତଳ ଅନ୍ଧାର। ଗ୍ରାମରେ ୧୫ ଘର ଥିବା ବେଳେ ଲୋକ ସଂଖ୍ୟା ୮୦ରୁ ଉର୍ଦ୍ଧ୍ବ । ଗ୍ରାମରେ ରହିଛି ୨ଟି ନଳକୂପ । ଗୋଟିଏ ଅଚଳ ହୋଇ ପତି ରହିଥିବା ବେଳେ ଅନ୍ୟଟିରେ କଳଙ୍କିଯୁକ୍ତ ଦୂଷିତ ପାଣି ବାହାରୁଛି। ଗ୍ରାମରେ ରହିଥିବା ଏକ ପରିତ୍ଯକ୍ତ କୂଅରେ ପାଣି ନାହିଁ। ମାଟି ଦିଶୁଛି। ଗ୍ରାମବାସୀ ନିକଟସ୍ଥ ନଦୀର ଦୂଷିତ ଗୋଳିଆ ପାଣିକୁ ଭରଷା କରି ସେହି ପାଣି ପିଇ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିକଟସ୍ଥ ପାହାଡ଼ରୁ ପାଇପ ବିଛାଇ ଟାଙ୍କି ନିର୍ମାଣ କରି ଗ୍ରାମକୁ ପାଣି ଆଣି ବ୍ଯବହାର କରୁଥିଲେ। କିନ୍ତୁ ଖରାଦିନେ ପାହାଡି ପାଣି ଶୁଷ୍କ I ଏନେଇ ଗ୍ରାମବାସୀ ବାରମ୍ଵାର ବିଡ଼ିଓ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ, ସରପଞ୍ଚଙ୍କୁ ଗୁହାରି କରି ଥକି ଗଲେଣି କିନ୍ତୁ ସେମାନଙ୍କ ଗୁହାରି କେହି ଶୁଣୁ ନାହାଁନ୍ତି। ଦୂଷିତ ପାଣି ପିଇ ଗ୍ରାମର ୩ ଜଣ ନମିତା ଶବର,ସୁମିତ୍ରା ଶବର ସୁବାଷ ଶବରଙ୍କ ପେଟରେ ଷ୍ଟୋନ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ନମିତା ଅପରେସନ୍ ହୋଇ ଆସି ଘରେ ରହି ଔଷଧ ସେବନ କରୁଥିବା ବେଳେ ସୁମିତ୍ରା ମଧ୍ୟ ବ୍ରହ୍ମପୁର ଯାଇ ଚିକିତ୍ସା ହେବା ପରେ ସେ ମଧ୍ୟ ଘରେ ରହି ଔଷଧ ସେବନ କରୁଥିବା କହିଛନ୍ତି ।କିନ୍ତୁ ସୁବାଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି । ଲୋକଙ୍କ ବାରମ୍ଵାର ଅଭିଯୋଗ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ମୋହନା ବ୍ଲକ ପ୍ରଶାସନର ତତ୍ପରତା ନଥିବା କହିଛନ୍ତି ଗ୍ରାମର ଏଲିସାୟ ଶବର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ