ସକାଳୁଆ ଅଫିସର ବାସ୍ତବ ସ୍ଥିତି
ବାଲେଶ୍ୱର, (ସରୋଜ ପଣ୍ଡା):ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ସକାଳିଆ ଅଫିସ । ନିୟମ ଅନୁସାରେ ସକାଳ ୭ ଟାରୁ କାର୍ଯ୍ୟାଳୟ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବା କଥା । ଏହି କ୍ରମରେ ବାଲେଶ୍ୱର ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ୯ ଟା ପୂର୍ବରୁ ଅଫିସ ଅସୁନଥିବା ଅଭିିଯୋଗ ହୋଇଛି । ବିଶେଷ କରି ଜିଲାର ସଦର ମହକୁମାରେ ସମୟାନୁବର୍ତ୍ତିତାର ଘୋର ଅନିୟମିତତା ପରିଲକ୍ଷିତ ହେଉଥିବା ଆରୋପ ଉଠିଛି । ଦୂରଦୂରାନ୍ତରୁ ନିଜର କାର୍ଯ୍ୟ ପାଇଁ ବିଭିନ୍ନ ସରକାରୀ ଅଫିସକୁ ଆସୁଥିବା ସାଧାରଣ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଟେବୁଲ ନିକଟରେ ନ ପାଇ ହନ୍ତସନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ଟେବୁଲ ଉପରେ ଥିବା ଚଷମା, ଛତା ଓ ହେଲମେଟ ପ୍ରଭୃତି ଅଧିକାରୀଙ୍କ ଉପସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଟିଏ କୌଣସି କାର୍ଯ୍ୟାଳୟର କର୍ମଚାରୀଙ୍କ ଟେବୁଲ ପାଖକୁ ଯାଇ କେବଳ ହେଲମେଟ୍ କିମ୍ବା ଛତା ବା ଚଷମାକୁ ଦେଖୁଛନ୍ତି । ଅଧିକାରୀଙ୍କ ସମ୍ପର୍କରେ ଜାଣିବା ପାଇଁ ପିଅନ କିମ୍ବା ଅନ୍ୟ କର୍ମଚାରୀଙ୍କୁ ଏ ବାବଦରେ ପଚାରିଲେ ଗୋଟିଏ ଉତ୍ତର ମିଳୁଛି ‘ସାର ଏବେ ଥିଲେ ତ, ଏଇ ପାଖରେ କେଉଁଠିକୁ ଯାଇଥିବେ’ । ବିଚରା ଲୋକଟି ଦୀର୍ଘ ସମୟ ଅପେକ୍ଷା କରିବା ପରେ ସମ୍ପୃକ୍ତ ଅଧିକାରୀ ଜଣକ ଆସିବା ପରେ ପିଅନଙ୍କଠାରୁ ସୂଚନା ପାଇ ବୋଝେ ଫାଇଲ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଚାଲିଯାଉଛନ୍ତି । ସେଠାରୁ ଫେରିବା ପରେ ଚା’ ଆସର ସାଙ୍ଗକୁ ଅନ୍ୟାନ୍ୟ ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ବ୍ୟସ୍ତ ରହିଯା’ନ୍ତି । ସାଧାରଣ ଲୋକଟି ନିଜର କାର୍ଯ୍ୟ ସମ୍ପର୍କରେ ପଚାରିଲେ ତାଙ୍କ ଉପରେ ଉତକ୍ଷିପ୍ତ ହେବା ସହ ଅମୁକ ଦିନ ଆସିଲନି କାହିଁକି ବୋଲି ଓଲଟି ପାଟି କରନ୍ତି ।ଏପରି କ୍ଷେତ୍ରରେ ବିଚରା ବଡ଼ିଭୋର ଅଖିଆ ଅପିଆ ଆସିଥିବା ଲୋକଟି କାନମୁଣ୍ଡ ଆଉଁସି ଡାହା ଖରାରେ ପୁଣି ଘରକୁ ଚାଲିଯାଉଛି । ଆଉ କେତେକ ଅଫିସରେ ଅଧିକାରୀଙ୍କୁ ଖୋଜିଲେ କର୍ମଚାରୀମାନେ ଗୋଟିଏ ଉତ୍ତର ଦେଉଛନ୍ତି ‘ସାର ଜିଲ୍ଲାପାଳଙ୍କ ମିଟିଂରେ ଅଛନ୍ତି’ । ଅନ୍ୟପକ୍ଷରେ ଅପରାହ୍ନ ୫ଟା ପରେ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀମାନେ କାର୍ଯ୍ୟକରୁଥିବା ଜଣାପଡ଼ିଛି । ତେବେ ସେବା ଅଧିକାର ଅଇନ ପ୍ରଣୟନ ସହ କାର୍ଯ୍ୟକାରୀ ପାଇଁ ଜିଲା ସ୍ତରରେ କର୍ମଶାଳା ଆଦି ଅନୁଷ୍ଠିତ ହେଉଥିଲେ ବି ଅଧିକାରୀ ଓ କର୍ମଚାରୀଙ୍କ ଠାରେ ସେଭଳି ସଚେତନତା ପରିଲକ୍ଷିତ ହେଉନଥିବା ଜଣାଯାଇଛି । ଏନେଇ ସ୍ୱତନ୍ତ୍ର ଟିମ ଗଠନ ସହ ପ୍ରତ୍ୟେକ ଅଫିସକୁ ଅଚାନକ ପରିଦର୍ଶନ ସାଙ୍ଗକୁ ଉପସ୍ଥାନ ସମୟ ପାଇଁ ବାୟୋମେଟ୍ରିକ ଯନ୍ତ୍ରର ସଂଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।