ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଲାଗି ଜଳଯାତ୍ରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଗ୍ରାମରେ ବିଜେ ଶ୍ରୀଶ୍ରୀ ବାବା ବାଲୁଙ୍କେଶ୍ୱର ମନ୍ଦିର ଜୀର୍ଣ୍ଣଦ୍ଧାର ପ୍ରତିଷ୍ଠା ଉତ୍ସବ ଏକ ଭବ୍ୟ,ଆଧ୍ୟାତ୍ମିକ,ଭକ୍ତିମୟ ପରିବେଶରେ ଗୁରୁବାର ଠାରୁ ଶୁଭାରମ୍ଭ ହୋଇଛି।ପଞ୍ଚ ଦିନାତ୍ମକ ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସର ପ୍ରାତଃ ସମୟରେ ଋଷିକୂଲ୍ୟା ନଦୀ ତଟରୁ କଳସରେ ପବିତ୍ର ଜଳ ଧରି ଗ୍ରାମବାସୀ ସାମୁହିକ ଭାବେ ପ୍ରଭୁଙ୍କ ନିକଟରେ ଜଳାଯାତ୍ରା ନୀତି ସମ୍ପନ୍ନ ସହ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ ନୀତି ସମାପନ ହୋଇଥିଲା।ଦ୍ଵିତୀୟ ଦିବସରେ ବନଯାଗ, ରତ୍ନମୁଦ,ନାମଯଜ୍ଞ,ତୃତୀୟ ଦିବସରେ କର୍ମାରମ୍ଭ,ଅଗ୍ନିସ୍ଥାପନ, ଧାନ୍ୟାଧିବାସ,ଚତୁର୍ଥ ଦିବସରେ ଦେବତା ଅଧିବାସ,ମହାସ୍ନାନ ଓ ପ୍ରାଣପ୍ରତିଷ୍ଠା ନୀତି ସମ୍ପନ୍ନ ହେବ। ଅନ୍ତିମ ଦିବସରେ ଦେବତା ନଗର ଭ୍ରମଣ,ସିଂହାସନ ରୋହଣ,ଧ୍ୱଜ ଭ୍ରମଣ,ପୂର୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ମୁଖ୍ୟ ପୁରୋହିତ ଭାବେ ପଣ୍ଡିତ ସଙ୍କର୍ଷଣ ତ୍ରିପାଠୀ ଓ ସହଯୋଗୀଙ୍କ ତତ୍ତ୍ୱାବଧାନରେ କର୍ତ୍ତା ବଂଶୀଧର ସାହୁ ଏବଂ ବାସନ୍ତୀ ସାହୁ ଦେବତା କାର୍ଯ୍ୟ ଓ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ନିର୍ବାହ କରୁଥିବା ବେଳେ ପ୍ରତିଷ୍ଠା ଉତ୍ସବରେ ସାମୁହିକ ଭାବେ ଗ୍ରାମବାସୀ ସହଯୋଗ ଜାରୀ ରଖିଛନ୍ତି।ପ୍ରତିଷ୍ଠା ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ପାଇଁ ସ୍ଥାନେ ସ୍ଥାନେ ବିଭିନ୍ନ ମନଲୋଭା କଳାକୁଞ୍ଜ,ସାଂସ୍କୃତିକ କାର୍ଯ୍ୟକ୍ରମ,ମୀନା ବଜାର ଆଦି ଆୟୋଜନ ହୋଇଛି।ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଯାଇଛି।କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ଓଡିଶା ରାଜ୍ୟ କୃଷି ବିପଣନ ନିଗମ ଉପଦେଷ୍ଟା ତଥା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସମେତ ସରପଞ୍ଚ,ବିଶିଷ୍ଟ ବ୍ୟକ୍ତି,ପ୍ରଶାସନିକ ଅଧିକାରୀ,ଦଳୀୟ ନେତା, କର୍ମୀଙ୍କ ସମେତ ଦୂର ଦୁରାନ୍ତରୁ ଗ୍ରାମବାସୀ ନିକଟ ସମ୍ପର୍କୀୟ,ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି।ଗ୍ରାମରେ ଶାନ୍ତି ଶୃଙ୍ଖଳା ସହ ଭାଇଚାରା ବଜାୟ ରଖି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ଆରମ୍ଭ ହୋଇଛି ବୋଲି ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟି ବୃନ୍ଦ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ