ରାସ୍ତା ନିର୍ମାଣକୁ ନେଇ ଦୁଇ ଗ୍ରାମ ଭିତରେ ଉତ୍ତେଜନା

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଧୁରଗଡିଆରେ ଏକ ରାସ୍ତା ନିର୍ମାଣକୁ ନେଇ ମଧୁରଗଡିଆ ଓ ଜାମିତୀରା ଗ୍ରାମ ଭିତରେ ଉତ୍ତେଜନା ଦେଖାଦେଇଛି । ଏପରିକି ଅଁରା ରାଜସ୍ୱ ଗ୍ରାମର ଏହି ଦୁଇ ଗ୍ରାମ ପଡାଗ୍ରାମ ହୋଇଥିବା ବେଳେ ପୁର୍ବରୁ ଭାଇଚାରା ବଜାୟ ରହିଥିଲା । କିନ୍ତୁ ଗତ ୬/୭ଦିନ ହେଲା ରାସ୍ତା ବିବାଦକୁ ନେଇ ଦୁଇ ଗ୍ରାମ ଭିତରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇଗ୍ରାମ ଭିତରେ ଥିବା ଭାଇଚାରା କ୍ଷୁର୍ଣ୍ଣ ହେବା ସହ ପରଷ୍ପର ଭିତରେ ବିବାଦ ଚରମ ସୀମାରେ ପହଞ୍ଚିଛି । ମଧୁରଗଡିଆ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ୧୯୯୯ ମସିହାରେ ମଧୁରଗହିଆ ଗ୍ରାମବାସୀମାନେ ନିଜ ଉଦ୍ୟମରେ ଭଦ୍ରକ ଜିଲ୍ଲାର ବନ୍ତ ଓ କୁମ୍ଭକରାଳ ଗ୍ରାମକୁ ଯିବାକୁ ଏକ ରାସ୍ତା ନିର୍ମାଣ କରିଥିଲେ । ଏହି ରାସ୍ତାଦେଇ ଆଖପାଖ ୭ଟି ପଞ୍ଚାୟତର ଲୋକମାନେ ଯିବା ଆସିବା କରିଆସୁଥିଲେ । ଏପରିକି ପରବର୍ତ୍ତୀ ସମୟରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦିଆଯାଇ ସବୁଦିନିଆ ମୋରମ ରାସ୍ତା ନିର୍ମାଣ ହୋଇଥିଲା । ଏବେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଭତ୍ତି କରାଯାଇ ଜିଲ୍ଲା ସଂଯୋଗୀ କରଣ ରାସ୍ତା ନିର୍ମାଣ କରାଯିବାର ସ୍ଥିର ହୋଇଛି । କିନ୍ତୁ ଯାମତୀରା ଗ୍ରାମବାସୀ ମାନେ ଏହାକୁ ବିରୋଧ କରି ଅନ୍ୟ ରାସ୍ତାଦେଇ ଜିଲ୍ଲା ସଂଯୋଗୀ କରଣ ରାସ୍ତା ନିର୍ମାଣ କରିବାକୁ ଦାବି କରୁଛନ୍ତି । ଏହା ଏକ ଗ୍ରାମ୍ୟ ଜଂଗଲ ହୋଇଥିବାରୁ ଏଥିରେ ରାସ୍ତା ନିର୍ମାଣ ନକରିବାକୁ ସେମାନେ ଦାବି କରୁଛନ୍ତି । ଗତ କିଛିଦିନ ତଳେ ମଧୁରଗଡିଆ ଗ୍ରାମବାସୀମାନେ ନିଜେ ଚାନ୍ଦାକରି ଏହି ରାସ୍ତାଟିକୁ ସଂପ୍ରସାରଣ କରୁଥିବାବେଳେ ଜାମିତୀରା ଗ୍ରାମବାସୀମାନେ ପହଞ୍ଚି ବନ୍ଦ କରିବାରୁ ଦୁଇ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜାମିତୀରା ଗ୍ରାମବାସୀମାନେ ଏନେଇ ତହସିଲଦାର, ପୁଲିସ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଜି ମଧୁରଗଡିଆ ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ମେ ମାସରେ ଏନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ଉଭୟ ଗ୍ରାମର ଭଦ୍ରବ୍ୟକ୍ତି ଓ ଓରାଳି ଓ ଅଁରା ପଞ୍ଚାୟତର ସରପଞ୍ଚ, କୁମ୍ଭକରାଳ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ମଧୁରଗଡିଆ ରାସ୍ତାଦେଇ ନୁତନ ରାସ୍ତା ନିର୍ମାଣ ହେବାକୁ ସ୍ଥିର ହୋଇଥିବାବେଳେ ଏବେ କାହିଁକି ଜାମିତୀରା ଲୋକମାନେ ବିରୋଧ କରୁଛନ୍ତି ତାହାକୁ ନେଇ ମଧୁର ଗଡିଆ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିବାଦର ସମାଧାନ କରିବା ସହିତ ଉଚିତ ସ୍ଥାନରେ ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁ ବୋଲି ଭରତ ଚନ୍ଦ୍ର ଶଙ୍ଖୁଆ, ପୁର୍ଣ୍ଣଚନ୍ଦ୍ର ଶଙ୍ଖୁଆ, ଆନନ୍ଦ ଜେନା, ହଳଧର ଜେନା, ତୋଫାନ ଜେନା, ବାବନ ଜେନା, ରଙ୍ଗାଧର ଜେନା, ପ୍ରଶାନ୍ତ ଜେନା, ମୁକ୍ତିକାନ୍ତ ଦାସ, ପାଗଳ ସେନାପତି, ଦେବେନ୍ଦ୍ର ଦାସ, ଅମରେନ୍ଦ୍ର ଦାସ ପ୍ରମୁଖ ମଧୁରଗଡିଆ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ