କାର୍ଯ୍ୟକ୍ଷମ ହେବାନେଇ ସନେ୍ଦହରେ ମେଗା ପାନୀୟ ଜଳ ପ୍ରକଳ୍ପ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଘରକୁ ଘର ପାନୀୟଜଳ ଯୋଗାଇ ଦେବାପାଇଁ ଆରମ୍ଭ ହୋଇଛି ଦୁଇ ଦୁଇଟି ପାନୀୟଜଳ ପ୍ରକଳ୍ପ । କିନ୍ତୁ ସରକାରଙ୍କ ଦୁରଦୃଷ୍ଟିର ଅଭାବ ଓ ଠିକାସଂସ୍ଥାର ମନମାନି ପାଇଁ ଏହି ପ୍ରକଳ୍ପ ଦୁଇଟି କାର୍ଯ୍ୟକ୍ଷମ ହେବାନେଇ ସନେ୍ଦହ ପ୍ରକାଶ ପାଇଛି । ଏପରିକି ଏଥିପାଇଁ ଖର୍ଚ୍ଚ କରାଯାଇଥବବା ୩୨୬କୋଟି ଟଙ୍କା ପାଣିରେ ପଡିବା ନେଇ ଆଶଙ୍କା ଉପୁଜିଛି । ପ୍ରଥମେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ଶଙ୍ଖଣା ଠାରେ ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ଟି ଗାଁକୁ ବିଷୁଦ୍ଧ ପାନୀୟଜଳ ଯୋଗାଇଦେବାପାଇଁ ୨୦୧୮ମସିହାରେ ଏକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୨୦୨୦ ସୁଧା ଏହି ପ୍ରକଳ୍ପରୁ ସମସ୍ତ ଗାଁକୁ ପାନୀୟଜଳ ଯୋଗାଇ ଦିଆଯିବାର ଲକ୍ଷ ରଖାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତ ଗାଁକୁ ପାନୀୟଜଳ ଯୋଗାଇ ଦିଆଯାଇ ପାରିଲାନାହିଁ । କିନ୍ତୁ କାଗଜ କଲମରେ ସମସ୍ତ ୧୯ଟି ଯାକ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଇଛି ବୋଲି ଦର୍ଶାଯାଇଛି । ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗାଁରେ ୩ବର୍ଷ ହେଲା ପାଇପ ବିଛା ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ଲୋକେ ପାଣିଟୋପେ ପାଇ ପାରିଲେ ନାହିଁ । ଗାଁର ବ୍ରହ୍ମଣ ସାହିରେ ଶତାଧିକ ପରିବାର ବସବାସ କରୁଥିବାବେଳେ ଦୁଇଟି ସରକାରୀ ନଳକୂପ ଥିବାବେଳେ ତାହା ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡି ରହିଛି । ଉକ୍ତ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଉଛି ବୋଲି କାଗଜକଲମରେ ଦର୍ଶାଯାଇଥବବାରୁ ଆଉ ନଳକୂପ ମରାମତି କରାଗଲା ନହିଁ । ଫଳରେ ଦୀର୍ଘ ୩ବର୍ଷ ହେଲା ଗାଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଏ ନଇରୁ ପାଣି ଆଣି ବ୍ୟବହାର କରୁଛି ତ ଆଉ କିଏ ବ୍ୟକ୍ତିଗତ ନଳକୂପରୁ ପାଣି ଆଣି ଚଳୁଛନ୍ତି । ସେହିପରି କାହାଳିଆଗଡିଆ, ଝୁଣାବାଡି, ଆତୁରିକୋଣା, ଡାହିସାହି ଆଦି ଗ୍ରାମର ଲୋମାନେ ବିଶୁଦ୍ଧ ପାନୀୟଜଳରୁ ବଞ୍ଚିତ ହୋଇ ରହିଛନ୍ତି । ଯେଉଁ କିଛି ଗାଁକୁ ପାଣି ଯାଉଛି ସେହି ଗ୍ରାମର ପଚାଶ ଭାଗ ଲୋକବି ଏହି ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାନ୍ତି । ଆଉ କିଛି ଲୋକ ଏହି ପାଣିର ଅପଚୟ ମଧ୍ୟ କରୁଛନ୍ତି । ସେହିପରି ୨୦୧୯ରେ କାଳୀଆମ୍ବ ନିକଟରେ ଆରମ୍ଭ କରାଯାଇଥିଲା ଆଉ ଏକ ମେଗା ୱାଟର ପ୍ରୋଜେକ୍ଟ । ଯେଉଥିରୁ ବ୍ଲକର ଅବଶିଷ୍ଟ ୨୦୦ଗାଁକୁ ପାନୀୟ ଜଳ ଯୋଗାଣ କରିବାପାଇଁ ଲକ୍ଷ ରଖାଯାଇଥିଲା । ୨୦୨୨ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଲକ୍ଷ ରଖାଯାଇଥିବାବେଳେ କରୋନା ପାଇଁ ଏହାର ଅବଧିକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା । ୨୦୨୩ ଡିସେମ୍ବରରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଉଛି । କିନ୍ତୁ ଘରେ ନପସୁଣୁ ଚାଳ ବାଜିବା ପରି ପ୍ରଥମରୁ ଏହି ପ୍ରକଳ୍ପ ଦ୍ୱାରା ହଦଗଡ ଡ୍ୟାମ ନିକଟରୁ ପାଣି ଅଣାଯିବାକୁ ନିଷ୍ପତି ହୋଇ ପାଇପ ବିଛା ସରିଥିଲା । କିନ୍ତୁ ବନବିଭାଗର ଅନୁମତି ନମିଳିବାରୁ ଏହାର ସ୍ଥାନ ପରିବର୍ତ୍ତନ କରାଯାଇ ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜରୁ ପାଣି ଅଣାଯିବାକୁ ସ୍ଥିର ହୋଇ କାର୍ଯ୍ୟ ଆଗେଇ ଚାଲିଛି । ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜରୁ ଚାଷୀ ମାନଙ୍କ ପାଇଁ ପାଣି ନିଅଣ୍ଟ ପଡୁଥିବାବେଳେ କିପରି ସେଠାରୁ ପାଣି ଅଣାଯାଇ ୩୦/୪୦ କିଲୋମିଟର ଦୁରତାରେ ଥିବା ୨୦୦ଗ୍ରାମକୁ ପିଇବା ପାଣି ଯୋଗାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଏବେ ମଧ୍ୟ ସମସ୍ତ ଗ୍ରାମକୁ ପାଇପଲାଇନ ସଂଯୋଗ କାମ ସରି ନାହିଁ । ଯେଉଁଠି ବି ପାଇପ ବିଛା ଯାଇଥିଲା କେଉଁଠି ତାହା ନଷ୍ଟ ହୋଇ ଯାଇଛି ତ ଆଉ କେଉଁଠି ଲୋକମାନେ କାଟି ନେଇ ଯାଇଛନ୍ତି । ଏପରିସ୍ଥଳେ କିପରି ଏହି ମେଗା ୱାଟର ପ୍ରୋଜକ୍ଟ ଚାଲିବ ତାହା ସମସ୍ତଙ୍କୁ ସନେ୍ଦହରେ ପକାଇଛି । ଏହାକୁନେଇ ଅନେକ ଲୋକ ସ୍ୱର ଉତ୍ତୋଳନ କରୁଥିଲେବି ଭୟରେ ମୁହଁ ଖୋଲିପାରୁ ନାହାନ୍ତି । ଆସନ୍ତା ୧୧ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ ଏହି ପାନୀୟଜଳ ପ୍ରକଳ୍ପ ବୁଲି ଦେଖିବାର କାର୍ଯ୍ୟକ୍ରମ ଥିବାବେଳେ ସେ ଏହି ପ୍ରକଳ୍ପର କାର୍ଯ୍ୟକ୍ଷମ ନେଇ କେତେଦୁର ପଦକ୍ଷେପ ନେଉଛନ୍ତି ତାହାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ