ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ
ଭୂବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱ ପ୍ରଭାବିତ ହେବାକୁ ଯାଉଥିବା ବେଳେ, ଓଡିଶାର କୃଷି ଓ କୃଷକ ମଧ୍ୟ ପ୍ରଭାବିତ ହେବା ସ୍ୱାଭାବିକ। ତେବେ, ପରିବର୍ତ୍ତିତ ପରିସ୍ଥିତିରେ ଖାଦ୍ୟସୁରକ୍ଷା ଏକ ବିରାଟ ସମସ୍ୟାଭାବେ ଦେଖାଦେବାକୁ ମୁଣ୍ଡଟେକିଲାଣି। ଏହା କୃଷି ବୈଜ୍ଞାନିକ ତଥା ଆମ ସମସ୍ତଙ୍କ ପାଇଁ ବିରାଟ ଆହ୍ୱାନ। ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ସ୍ମାରକୀ ବକ୍ତୃତାରେ ସଭାପତିୟ ଅଭିଭାଷଣରେ ଏହା କହିଛନ୍ତି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ମୃତି ସଂସଦର ଅଧ୍ୟକ୍ଷ ଡ଼ଃ ଗୋବିନ୍ଦ ଭୂୟାଁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ପରେ ପ୍ରତିଷ୍ଠାନର ପୃଷ୍ଠପୋଷକ ନଟବର ଖୁଣ୍ଟିଆ ସ୍ମାରକୀ ବକ୍ତୃତାର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ Iକାର୍ଯ୍ୟକ୍ରମର ଆବାହକ ଜଗଦୀଶ ପ୍ରଧାନ ଦାରିଙ୍ଗିବାଡ଼ି ବ୍ଲକର ସ୍ୱୟଂ ସହାୟିକା ତଥା ଆଦର୍ଶ ମହିଳା କୃଷକ ପ୍ରଭାସିନୀ ପ୍ରଧାନ ଓ ପିପିଲି ବ୍ଲକର ଦିବ୍ୟାଙ୍ଗ ଯୁବ ପଶୁ-ସ୍ୱାସ୍ଥ୍ୟକର୍ମୀ ବିଜୟ କୁମାର ବେହେରାଙ୍କ ପରିଚୟ ପ୍ରଦାନ କରିଥିଲେ I ଦୁହିଁଙ୍କୁ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିନା ଦିଆ ଯାଇଥିଲା I ସ୍ତମ୍ଭକାର ନଟବର ଖୁଣ୍ଟିଆଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ଫାର୍ମ ଇକୋନମି ଅଫ ଓଡିଶା’ର ଉନ୍ମୋଚନ ଓ ଲୋକାର୍ପଣ କରିଥିଲେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ I ସେ ପୁସ୍ତଟିର ସମୀକ୍ଷା କରି ଓଡ଼ିଶାର ଚାଷୀର ଆୟ ବଢାଇବା ପାଇଁ ସବୁ କ୍ଷେତକୁ ଜଳସେଚନ ଉପରେ ପ୍ରାଧାନ୍ୟ ଦେଇଥିଲେ I ନଟବର ବାବୁ କେବଳ ଜଣେ ସୁଲେଖକ ନୁହନ୍ତି ବରଂ କୃଷି ବିଜ୍ଞାନୀରୁ ଚାଷୀ ପାଲଟିଥିବା ଜଣେ ଦରଦୀ ମଣିଷ ବୋଲି କହିଥିଲେ I ମୁଖ୍ୟ ବକ୍ତା ବିଶିଷ୍ଟ ପାଣିପାଗବିତ ଡ଼ଃ ଶରତ ଚନ୍ଦ୍ର ସାହୁ କହିଲେ ଯେ, ବିଶ୍ଵ-ତାପମାନ ବୃଦ୍ଧି ଘଟିଥିବାରୁ ଓଡିଶା ସମେତ ସମଗ୍ର ବିଶ୍ବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି I ଓଡ଼ିଶାରେ ବିଗତ ୪-୫ ବର୍ଷ ହେଲାଣି ଅନିୟମିତ ମୌସୁମୀବର୍ଷା ହେଉଛି I ସବୁଆଡେ ସମାନ ବର୍ଷା ହେଉନି, କେଉଁଠି ବନ୍ୟା ହେଲାବେଳେ, ଆଉ କେଉଁଠି ମରୁଡି ପରିସ୍ଥିତି I ଫସଲଚାଷ କ୍ଷତିଗ୍ରସ୍ତ ହେବାର ପ୍ରମୁଖ କାରଣ ଜଳବାୟୁରେ ପରିବର୍ତ୍ତନ I ଏଭଳି ଲାଗି ରହିଲେ, ସମଗ୍ର ବିଶ୍ବରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ, ଓଡିଶା ଏଥିରୁ ବାଦ ପଡ଼ିବନି I ଜନସଂଖ୍ୟା ବଢ଼ୁଥିବାରୁ, ପରିବେଶ ବିପଦରେ I ମାଟି ଉପର ଓ ତଳେ ଥିବା ଜଳ ବିପଦରେ I ଜଳସ୍ରୋତ କମିଛି, ଅତଡ଼ା ବା ଭୂସ୍ଖଳନ ହେଉଛି, ମୃତ୍ତିକା କ୍ଷୟ ହୋଇଚାଲିଛି I ଜନମଙ୍ଗଳ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ କିଭଳି ଏଭଳି ବିପର୍ଯ୍ୟୟକୁ ରୋକାଯାଇ ପାରିବ, ଧନ,ଜୀବନ ଓ ଜୀବିକା ରକ୍ଷାକାରାଯାଇ ପାରିବ ଏବଂ ପରିବର୍ତ୍ତିତ ପରିବେଶ ସହ ବଞ୍ଚିରହିବାକୁ ହେବ ସେହି ଦିଗରେ ସଚେତନ କରିବା ଅତ୍ୟାବଶ୍ୟକ ହେଵାପଡିଲାଣି I କେବଳ ସରକାର ନୁହନ୍ତି, ଅଣ-ସରକାରୀ ସଙ୍ଗଠନ, ସ୍ଥାନୀୟ ପ୍ରଶାସନ – କେନ୍ଦ୍ର-ରାଜ୍ୟ-ଜିଲ୍ଲା-ପଞ୍ଚାୟତ ପକ୍ଷରୁ ସମ୍ମିଳିତ ଉଦ୍ୟମ ଲୋଡ଼ା Iଭୁବନେଶ୍ୱର ସ୍ଥିତ ଭାରତୀୟ ଜଳପରିଚାଳନା ପ୍ରତିଷ୍ଠାନର ପ୍ରଧାନ ବୌଜ୍ଞାନିକ ତଥା ଅନ୍ୟତମ ବକ୍ତା ଡ଼ଃ ପ୍ରମୋଦ କୁମାର ପଣ୍ଡା କହିଲେ ଯେ, ବିଶ୍ବ ତାପମାନ ବଢିଲେ ଜଳବାୟୁରେ ଯେଉଁ ପରିବର୍ତ୍ତନ ଆସିବ, ତାହାସହ ତାଳ ଦେଇ ଆମକୁ ପରିବର୍ତ୍ତିତ ପାଣିପାଗରେ ଅଧିକ ଅମଳ ଦେଉଥିବା ଫସଲକିସମ, ପଶୁଧନ ଓ ମତ୍ସ୍ୟ ସମ୍ପଦ ପରିଚାଳନାରେ ପରିବର୍ତ୍ତନ ଆଣିବାକୁ ପଡିବ I ଜଳବାୟୁ ସହିଷ୍ଣୁ ଜ୍ଞାନକୌଶଳ ବିକାଶକରି ପ୍ରଭାବୀ କୃଷିକୁ ଆପଣେଇ ଚାଷୀଙ୍କୁ ସଚେତନ କରିବାକୁ ପଡିବ Iଉତ୍କଳ ବିକାଶ ପରିଷଦର ମହାସଚିବ ଋଷି ଗୁମାନ ସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ, କାର୍ଯ୍ୟକ୍ରମ ନିଷ୍ପାଦନରେ ସଚିନ ମହାପାତ୍ର, ସୁଦତ୍ତା ଖୁଣ୍ଟିଆ, ମହେନ୍ଦ୍ରନାଥ ନାୟକ, ପ୍ରକାଶ ଚନ୍ଦ୍ର ବେହେରା ଓ ଅଭିରାମ ଦାସ ସହଯୋଗ କରିଥିଲେ I