ପୁଲୱାମା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ, ୪୪ ସିଆରପିଏଫ୍‍ ଯବାନ ସହିତ, ଶତାଧିକ ଗୁରୁତର

ଶ୍ରୀନଗର(ଏଜେନ୍ସି): ଜାମ୍ମୁକାଶ୍ମୀରର ପୁଲୱାମା ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ ସିଆରପିଏଫ୍ ଯବାନ ସହିଦ୍ ହେବାସହ ଶତାଧିକ ଗୁରୁତର ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାକୁ ଚାରିଆଡୁ ତୀବ୍ର ସମାଲୋଚନା କରାଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳଗୁଡିକ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ସହିଦ୍ ଓ ଆହତ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି । ଏହି ସମୟରେ ସମଗ୍ର ଦେଶ ସେମାନଙ୍କ ସହ ରହିଛି ବୋଲି ବରିଷ୍ଠ ନେତୃବୃନ୍ଦ କହିଛନ୍ତି ।

କେମିତି ଥିଲା ଆତଙ୍କବାଦୀଙ୍କ ପ୍ରସ୍ତୁତି
ଅପରାହ୍ନ ସାଢ଼େ ୩ଟା ବେଳେ ୭ଠରୁ ଅଧିକ ବସ୍ ଯୋଗେ ମୋଟ୍ ୨୫୪୭ ସିଆରପିଏଫ୍ ଯବାନ ଏକ ଟ୍ରାଞ୍ଜିଟ୍ କ୍ୟାମ୍ପରୁ ଫେରୁଥିବା ବେଳେ ପୁଲୱାମାର ଅୱନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ । ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ହୋଇଥିବା ଏକ ମହିନ୍ଦ୍ରା ସ୍କର୍ପିଓକୁ କିଛି ଆତଙ୍କବାଦୀ ଜାଣିଶୁଣି ଆଣି ସିଆରପିଏଫ୍ ଯବାନ ବସିଥିବା ବସ୍ରେ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହେବା ସହ ପାଖାପାଖି ଦୁଇଟି ସିଆରପିଏଫ୍ ବସ୍ ଆଖି ପିଛୁଳାକେ ଧ୍ୱଂସ ପାଇଯାଇଥିଲା । ମିିଳିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସିଆରପିଏଫ ବସରେ ୩୯ ଯବାନ ଥିଲେ । ଏହି ଘଟଣାରେ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ହାତ ଥିବା ସ୍ପଷ୍ଟ ହୋଇଛି । ଆକ୍ରମଣ ପରେ ସଂଗଠନ ପକ୍ଷରୁ ଜାରି ଏକ ଭିଡିଓରେ ଆଦିଲ ମହମ୍ମଦ ଡାର ନାମକ ଜଣେ ଜୈସ ଆତଙ୍କବାଦୀ ଏହି ଘଟଣା ପାଇଁ ନିଜକୁ ଦାୟୀ କରିବା ଏବଂ ଶତାଧିକ ଭାରତୀୟ ଯବାନଙ୍କୁ ନିହତ କରାଯାଇଥିବା ନେଇ ଦାବି କରୁଥିବା ଦେଖିବାକୁ ମିଳିଛି । ସେ ନିଜେ ସ୍କର୍ପିଓରେ ବିସ୍ଫୋରକ ଖଞ୍ଜି ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିବା ଖୁଲାସା କରିଛି ।

୭ଦିନ ପୂର୍ବରୁ ଏପ୍ରକାର ଏକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ବୋଲି କୁହାଯାଇଛି । ସଂସଦ ଭବନ ଉପରେ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ଓ ଜେକେଏଲ୍ଏଫର ସଂସ୍ଥାପକ ମହମ୍ମଦ ମକବୁଲ ଭଟ୍ଟର ଫାଶି ଦିଆଯିବା ଘଟଣାର ବର୍ଷ ପୂର୍ତ୍ତି ଥିବାରୁ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଗୁଇନ୍ଦା ଦର୍ଶାଇଥିଲା । ଏଥିରେ ସମସ୍ତ ସିଆରପିଏଫ କ୍ୟାମ୍ପ ଓ ଜାମ୍ମୁକାଶ୍ମୀର ପୁଲିସ୍ ଉପରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିବା ସମ୍ଭାବନା ଥିବା ଦର୍ଶାଯିବା ସହ ସମସ୍ତ ସୁରକ୍ଷାବଳ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଥିଲା । ଗୁଇନ୍ଦା ବିଭାଗ ନିଜ କାମ ଠିକ୍ ଭାବେ କରିଥିଲେ ମଧ୍ୟ ଦେଶକୁ ଏତେବଡ କ୍ଷତି ସହିବାକୁ ପଡିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ