ବଉଳାର ଆତ୍ମକାହାଣୀ
ସୁବାଷ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪
ମୁଁ ଗୋଟିଏ ଗାଈ । ମୋର ନାମ ବଉଳା । ମୋ ଜାତି ଗୋଜାତି, ମୋର ପରିଚୟ ଗୋମାତା, ଗୃହପାଳିତ ପଶୁ । ଶାସ୍ତ୍ର ଅନୁସାରେ ଯିଏ ସକାଳୁ ଉଠି ଗୋମାତାଙ୍କୁ ସ୍ପର୍ଶ କରେ ସେ ସକଳ ପାପରୁ ମୁକ୍ତି ପାଇଥାଏ । ବେଦରେ ଗୋମାତାଙ୍କ ମହିମା ବହୁତ ଉଚ୍ଚରେ ରହିଛି । ଏପରିକି ଗୋମାତାଙ୍କ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ଦିବ୍ୟଶକ୍ତି ବାସ କରନ୍ତି । ଗୋମାତାଙ୍କ ଗୋବରରେ ମାତା ଲକ୍ଷ୍ମୀ, ଗୋମୁତ୍ରରେ ମା ଭବାନୀ, ଚରଣର ଅଗ୍ରଭାଗରେ ଦେବତା ଥାଆନ୍ତି । ଗୋମାତାଙ୍କ ମୁଖରେ ସମୁଦ୍ର ପ୍ରତିଷ୍ଠିତ ହୋଇ ରହିଅଛି । କଥାରେ ଅଛି ଗୋମାତା ଚରଣ ସ୍ପର୍ଶ କରିଥିବା ମାଟିକୁ ନିଜ ମଥାରେ ଲଗାଇଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଗୋମାତାଙ୍କ କ୍ଷୀର ଗୋବର ଶୁଭ କାମରେ ଲାଗିଥାଏ । ପଦ୍ମପୁରାଣ ଅନୁସାରେ ଗୋମାତାଙ୍କ ମୁଖରେ ଚାରୋଟି ବେଦଙ୍କର ନିବାସ ହୋଇଥାଏ । ଶିଙ୍ଗରେ ଭଗବାନ ଶଙ୍କର ଏବଂ ନାରାୟଣ ବିରାଜମାନ କରିଥାନ୍ତି, ମସ୍ତକରେ ଭଗବାନ ବ୍ରହ୍ମାଙ୍କ ନିବାସ ହୋଇଥାଏ, କାନରେ ଅଶ୍ୱିନୀ ଏବଂ ନେତ୍ରରେ ସୂର୍ଯ୍ୟ, ଚନ୍ଦ୍ରମା ରହିଥାନ୍ତି । ଦାନ୍ତରେ ଭଗବାନ ଗରୁଡ଼, ଜିଭରେ ମାତା ସରସ୍ୱତୀ, ମୁତ୍ର ସ୍ଥାନରେ ଗଙ୍ଗାମାତା ଏବଂ ମୁଖ ଭିତରେ ଗନ୍ଧର୍ବ ରହିଥାନ୍ତି । ଗୋମାତା ଯେଉଁଠାରେ ବାସ କରନ୍ତି, ସେ ସ୍ଥାନର ଶୋଭା ବଢିବା ସଙ୍ଗେ ସଙ୍ଗେ ଯଦି କୌଣସି ବ୍ୟକ୍ତି ନାନା ପ୍ରକାର ସମସ୍ୟା ଦେଇ ଗତି କରୁଥାଏ, ସେହି ସ୍ଥାନରେ କିଛି ସମୟ ବିଶ୍ରାମ ନେଲେ ମନକୁ ଶାନ୍ତି ମିଳିଥାଏ । ପାପ କରିଥିବା ବ୍ୟକ୍ତିର ପାପ ମଧ୍ୟ ଦୂର ହୋଇଥାଏ । ଜପ, ତପ, ଦାନ, ତୀର୍ଥସ୍ଥାନ ଭ୍ରମଣ କଲେ ଯେତିକି ପୂଣ୍ୟ ମିଳିଥାଏ, ଗୋମାତାଙ୍କୁ ଘାସ ଖାଇବାକୁ ଦେଲେ ସେତିକି ପୂଣ୍ୟ ମିଳିଥାଏ । ଗୋସେବା କଲେ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଘରେ ସର୍ବଦା ଶାନ୍ତି ବରାଜମାନ ହୁଏ । ମନୁଷ୍ୟ ଭୋଜନ କରିବା ପୂର୍ବରୁ ଗୋମାତାଙ୍କ ପାଇଁ ଅନ୍ନ କିମ୍ବା ଖାଦ୍ୟର ବ୍ୟବସ୍ଥା କଲେ ଜୀବନରେ କୌଣସି ଅସୁବିଧା ଘଟିନଥାଏ । ଗୋମାତାଙ୍କ ଶିଙ୍ଗ ଦୁଇଟିକୁ ଛୁଇଁଲେ ଦୁଃଖ ଦାରିଦ୍ର୍ୟ ଦୂର ହୋଇଥାଏ ଏବଂ ଗୋମାତାଙ୍କ ଶିଙ୍ଗ ଏବଂ ମଥାକୁ ଛୁଇଁ ପ୍ରଣାମ କଲେ କୋଟି ପୂଣ୍ୟର ଫଳ ମିଳିଥାଏ । ହେଲେ ଏସବୁ ସତ୍ତ୍ୱେ ସ୍ୱାର୍ଥବାଦୀ ମଣିଷମାନେ ଆମ ଗୋମାତାଙ୍କ ପ୍ରତି ଏତେ ନିଷ୍ଠୁର ପ୍ରଦର୍ଶନ କରୁଛନ୍ତି କାହିଁକି? ଗୋଜାତି ପ୍ରତି ଏତେ ଅବିଚାର କରୁଛନ୍ତି କାହିଁକି? ଆମ ଗୋମାତା ଏତେସବୁ ସେବାରେ ଆସୁଥିଲେ ମଧ୍ୟ ଲୋକମାନେ ଘରେ ଗୋମାତାଙ୍କୁ ରଖିବା ବଦଳରେ କୁକୁର ପାଳିବାକୁ ବେଶୀ ପସନ୍ଦ କରନ୍ତି । ସେମାନଙ୍କ ପାଇଁ ବିଡ଼ା ବିଡ଼ା ଟଙ୍କା ଖର୍ଚ୍ଚ କରି ଆନନ୍ଦ ପାଆନ୍ତି । ଘରୁ ବଜାରକୁ ଗଲେ ଗାଡ଼ିରେ କୁକୁରକୁ ସାଙ୍ଗରେ ନେବାକୁ ସଉକ ମନେ କରନ୍ତି । ଦିନ ଥିଲା କୁକୁରମାନେ ଘରେ ପଶିଗଲେ, ଲୋକମାନେ ଘରକୁ ଧୋଇ, ଗୋବର ପାଣି ଛିଞ୍ଚନ କରି ଘରକୁ ପବିତ୍ର କରୁଥିଲେ । ଏବେ ସମୟର ପରିବର୍ତ୍ତନ ଘଟିଛି, ବଦଳିଛି ଜନସାଧାରଣଙ୍କ ମାନସିକତା । କୁକୁର ଏବେ ଲୋକଙ୍କ ବିଶ୍ୱସ୍ତ ପ୍ରାଣୀ ହୋଇଥିବା ବେଳେ ଗୋମାତା ଏକ ଆଲୋଡ଼ା ପଶୁ ହୋଇଯାଇଛି । ମୁଁ ଯେତେବେଳେ ଛୋଟ ଥିଲି, ମୋ ମା’ଠାରୁ ଆନନ୍ଦରେ କ୍ଷୀର ପିଉଥିଲି, ଡ଼ିଆଁଡ଼ିଇଁ କରୁଥିଲି । ମାଲିକ ମଧ୍ୟ ମୋ ମା’ର ବହୁତ ଯତ୍ନ ନେଉଥିଲେ । ଯେତେବେଳେ ସାମାନ୍ୟ ବଡ଼ ହେଲି ମୋ ମାଲିକ ମୋତେ ମା’ ପାଖରୁ କ୍ଷୀର ପିଇବା ବନ୍ଦ କରିଦେଇ, କ୍ଷୀରକୁ ନେଇ ବଜାରରେ ବିକ୍ରି କଲେ । ମୋ ଭାଇ (ବଳଦ)କୁ ନିଜ ଜମିରେ ଖଟାଇ ଭଲ ଫସଲ ଅମଳ କରୁଥିଲେ । ଧୀରେ ଧୀରେ ମୁଁ ବଡ଼ ହେଲି, ଗର୍ଭ ଧାରଣ କଲି, ପୁତ୍ରଟିଏ (ଅଣ୍ଡିରା ବାଛୁରୀ) ଜନ୍ମ ଦେଇ ମୁଁ ମଧ୍ୟ ମା’ ହେବାର ସୌଭାଗ୍ୟ ଲାଭ କଲି । କିନ୍ତୁ ମୋ ମା’ ଓ ଭାଇ ପରିଣତ ବୟସରେ ପାଦ ଦେବାରୁ ମାଲିକ ମୋ ମା’ ଓ ଭାଇ ଉପରେ ସବୁବେଳେ ଚିଡ଼ିଚିଡ଼ା ହେଲେ ଏବଂ କଂସେଇ ହାତକୁ ଟେକିଦେଲେ । ମୋ ମା’ ଓ ଭାଇ ମୋ ଠାରୁ ଦୂରେଇ ଯିବାରୁ ମୁଁ ବହୁତ ମନ ଦୁଃଖ କଲି ହେଲେ ମୋ ପ୍ରତି ମାଲିକର ସ୍ନେହଶ୍ରଦ୍ଧା ଦେଖି ସେସବୁ ଦୁଃଖକୁ ଭୁଲିଗଲି । ମାଲିକ ପ୍ରତିଦିନ ସକାଳୁ ମୋତେ ଝଡ଼ାଝଡ଼ି କରନ୍ତି, ଦିନକୁ ଦୁଇବେଳା ଭାତ ତୋରାଣି ଖାଇବାକୁ ଦିଅନ୍ତି ଏବଂ ମୋ ଛୁଆ ସହିତ ମାଲିକର ପୁଅଝିଅ ଖେଳନ୍ତି । ମୋ କ୍ଷୀରକୁ ମାଲିକ ନେଇ ପାଖ ବଜାରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରନ୍ତି । କ୍ରମେ ମୋ ଛୁଆ ବଡ଼ ହୋଇ ଦାମୁଡ଼ିରେ ପାଦଦେଲା ସତ, ହେଲେ ମୋ ମାଲିକ ପାଇଁ ବୋଝ ସାଜିଲା । କାରଣ ସମୟ ଥିଲା ଆମ ଗୋଜାତିର ବଳଦମାନଙ୍କୁ ନେଇ ମାଲିକମାନେ ନିଜ ନିଜ ଜମିରେ ଚାଷ କାମରେ ଲଗାଉଥିଲେ ଓ ଭଲ ଫସଲ ଅମଳ କରୁଥିଲେ । ଏବେ ସମୟ ବଦଳି ଯାଇଛି, ଚାଷଜମିରେ ଆଧୁନିକ ଯନ୍ତ୍ରପାତିରେ ଚାଷକାମ ହେଉଛି ଆଉ ବଳଦମାନେ ଆଜି ମାଲିକମାନଙ୍କ ପାଇଁ ବୋଝ ସାଜିଛନ୍ତି । ଯଦିଓ ଆଧୁନିକ ଯନ୍ତ୍ରପାତିରେ ଚାଷ କଲେ ଅଧିକ ଫସଲ ଅମଳ ହେଉଛି, ହେଲେ ପୂର୍ବଭଳି ସେ ଫସଲରେ ଆଉ ସ୍ୱାଦ ନାହିଁ କେବଳ ବିଷ ହିଁ ଭରିରହିଛି । ଯାହାକୁ ଖାଇ ଲୋକମାନେ ନୂଆ ନୂଆ ରୋଗର ଶିକାର ହୋଇ କମ୍ ବୟସରେ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ମଣିଷମାନେ ହିଁ ଦାୟୀ? ମୋର ପାଞ୍ଚୋଟି ଛୁଆ (ଚାରୋଟି ଅଣ୍ଡିରା ବାଛୁରୀ ଓ ଗୋଟିଏ ମାଈ ବାଛୁରୀ ଥିଲେ । କିନ୍ତୁ ଅଣ୍ଡିରା ବାଛୁରୀ (ଦାମୁଡ଼ିକୁ) ମୋ ମାଲିକ ବୋଝ ଭାବି ସବୁ ଅଣ୍ଡିରା ବାଛୁରୀକୁ ବିକ୍ରି କରିଦେଲେ ଏବଂ ମାଈ ବାଛୁରୀକୁ ଘରେ ରଖି ତାର ଆଦର ଯତ୍ନ ନେଲେ । ମୋର ବୟସ ବଢିବାରୁ ମୋର କ୍ଷୀର ଦେବାର କ୍ଷମତା ଆସ୍ତେ ଆସ୍ତେ କମିଗଲା ଓ ମୋ ମାଲିକ ଗୋଟେ ଲୋକକୁ ବିକ୍ରି କରିଦେଲେ । ସେ ଲୋକ ମୋତେ ଗାଁରୁ ସହରକୁ ନେଇଆସିଲେ ।