ସ୍ୱର୍ଣ୍ଣିମ ଭାରତ : ବିକାଶର ଗତିପଥ
ପ୍ରଦୀପ ସେନାପତି
ବିଦେଶୀ ଶାସନରୁ ଭାରତ ସ୍ୱାଧୀନତା ପାଇବା ଠାରୁ ଏପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ବିକାଶର କେଉଁ ଗତିପଥ ଅନୁସରଣ କରିଛି ତାହାକୁ ନେଇ ଅନେକ ତର୍କବିତର୍କ ହୋଇଛି । ମୌଳିକ ଅର୍ଥରେ ବିକାଶ କହିଲେ ମାନବ ସମ୍ବଳର ବିକାଶକୁ ହିଁ ବୁଝାଯାଏ । ଅର୍ଥାତ୍ ମାନବ ବିକାଶ ହେଉଛି ପ୍ରକୃତ ବିକାଶର ସାରମର୍ମ । ଏହା ମଧ୍ୟରେ ରହିଛି ଏକାଧିକ ମାନକ, ଯେପରି ଦେଶବାସୀଙ୍କର ହାରାହାରି ଆୟୁଷ, ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନତ ବାସଗୃହ ସମସ୍ତଙ୍କ ପାଇଁ କର୍ମ ନିଯୁକ୍ତି ଓ ସ୍ୱଚ୍ଛନ୍ଦ ଚଳଣି ପାଇଁ ସର୍ବନିମ୍ନ ଆୟ, ଉଭୟ ପୁରୁଷ ଓ ମହିଳାଙ୍କର ସଶକ୍ତିକରଣ ଓ ମାନବ ଅଧିକାର ସୁରକ୍ଷା ଇତ୍ୟାଦି । ଏସବୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ହୁଏ ଗମନା ଗମନ, କୃଷି ଓ ଶିଳ୍ପର ବିକାଶ ଓ ଅନ୍ୟାନ୍ୟ ଅନୁସଙ୍ଗିକ ଅର୍ଥନୈତିକ ଭିତ୍ତିଭୂମି । ସ୍ୱାଧୀନତାପ୍ରାପ୍ତି ଗତ ୭୭ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଶ କେତେକାଂଶରେ ସଫଳତା ହାସଲ କରିଥିଲେ ମଧ୍ୟ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିନାହିଁ ବା ଏକ ଉନ୍ନତ ଜୀବନର ମୌଳିକ ଉପାଦାନଗୁଡ଼ିକ ପ୍ରତ୍ୟେକ ଅଧିବାସୀଙ୍କୁ ଉପଲବ୍ଧ ହୋଇପାରିନାହିଁ । ପଛକୁ ଫେରି ଚାହିଁଲେ କେଉଁ ସରକାରଙ୍କ ସମୟରେ କେଉଁ ନୀତି ଅନୁସରରଣ କରାଯାଇଥିଲା ଏବଂ ସେହି ନୀତିଗୁଡ଼ିକ ଫଳପ୍ରଦ ଥିଲା କି ନାହିଁ ସେ ବିଷୟରେ ବିଭିନ୍ନ ମତାମତ ପ୍ରକାଶ ପାଏ । ଅନେକ ସମୟରେ ଶାସନ ମୁଖ୍ୟ ବା ପ୍ରଧାନମନ୍ତ୍ରୀ ମାନଙ୍କୁ ସଫଳତା ବା ବିଫଳତା ପାଇଁ ଶ୍ରେୟ ଦିଆଯାଏ ବା ଦାୟୀ କରାଯାଏ । ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କ ସମୟରେ ଯୋଜନାବଦ୍ଧ ଭାବରେ ଅର୍ଥନୈତିକ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତି ଆରମ୍ଭ ହୋଇଥିଲା । କେଉଁ ପଞ୍ଚବାର୍ଷିକ ଯୋଜନାରେ କୃଷି ପ୍ରତି ଅଧିକ ଧ୍ୟାନ ଦିଆଗଲା ତ ଆଉ କେଉଁ ଯୋଜନାରେ ଭାରି ଶିଳ୍ପ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଗଲା । ଦେଶରେ ବୃହତ ଭାରିଶିଳ୍ପ ବହୁମୁଖୀ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେଲା । ଆଇଆଇଟି ଓ ଆଇଆଇଏମ୍ ପରି ଉଚ୍ଚମାନର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା । ସେହିପରି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମୟରେ କୃଷି ଓ କୃଷକର ବିକାଶ, ତୃତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ରାଜୀବ ଗାନ୍ଧୀଙ୍କ ସମୟରେ ବୈଷୟିକ ଜ୍ଞାନ କୌଶଳର ବିକାଶ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଜାତୀୟ ରାଜପଥ ଓ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତିକରଣକୁ ପ୍ରାଧାନ୍ୟ ଦିଆଯାଇଥିଲା ।ଆମେରିକାର ବିଖ୍ୟାତ ପ୍ରିନସଟନ ବିଶ୍ୱବିଦ୍ୟାଳୟରେ ଅତିଥି ପ୍ରାଧ୍ୟାପକ ଅଶୋକ ମୋଦୀ ତାଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ଭଗ୍ନ ଭାରତ : ଲୋକେ ପ୍ରତାରିତ, ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ’ରେ ଏପର୍ଯ୍ୟନ୍ତ ଶାସନ ଦାୟିତ୍ୱରେ ଥିବା ସବୁ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ଯାହା ଦେଶ ପାଇଁ ସବୁଠାରୁ ବେଶୀ ଆବଶ୍ୟକ ତାହାକୁ ପ୍ରାଥମିକତା ନ ଦେବା ଯୋଗୁଁ ଦେଶର ପ୍ରକୃତ ଏବଂ ନ୍ୟାର୍ଯ୍ୟ ବିକାଶ ହୋଇପାରି ନାହିଁ ଏବଂ ସେହି ଦୃଷ୍ଟିରୁ ସେମାନେ ବିଫଳ ହିଁ ହୋଇଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି । ପ୍ରଫେସର ମୋଦୀଙ୍କ ମତରେ ଜବାହାରଲାଲ ନେହେରୁ ଥିଲେ ଜ୍ଞାନୀ, ଆଦର୍ଶବାଦୀ ଓ ଲୋକପ୍ରିୟ ପ୍ରଧାନମନ୍ତ୍ରୀ । କିନ୍ତୁ ସେ ତାଙ୍କର ଅବଧାରଣା ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାରେ ଥିଲେ ଅସମର୍ଥ । ଯେତେବେଳେ ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାପେକ୍ଷା ଅଧିକ ପ୍ରାଥମିକତା ଦେବା ଉଚିତ ହୋଇଥାନ୍ତା, ସେତେବେଳେ ସେ ବୃହତ୍ ଶିଳ୍ପ ଓ ଉଚ୍ଚମାନର ଆଭିଜାତ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଉପରେ ବେଶୀ ଗୁରୁତ୍ୱ ଦେଇଥିଲେ । ଦେଶ ବିକାଶର ଭିତ୍ତି ହେଉଛି ଏକ ସମର୍ଥ ମାନବ ସମ୍ବଳ ପୃଥିବୀର ପ୍ରାୟ ସବୁ ବିକଶିତ ଓ ସମୃଦ୍ଧ ଦେଶ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ଉଦାହରଣ ରହିଛି । କିନ୍ତୁ ଭାରତରେ ଏହି ବିଷୟ ଗୁଡ଼ିକୁ ଅବହେଳା କରାଯାଇଛି । ଗଣତନ୍ତ୍ରର ପ୍ରତିଷ୍ଠା ଓ ତାର