ଭାରତ ମା’ର ପଣତକାନି

ଅନାମିକା ଦାସ
ଆଶାବାଡି ସାହାରାରେ ମୋ ନିତିଦିନିଆ ଜାଗାକୁ ଯାଉଥିବା ବେଳେ ନଜର ପଡିଲା କ୍ଲବ ଘର ବାହାରେ ଭିଡ ଜମେଇଥିବା କିଛି କୁକୁର, ବୁଲା ଷଣ୍ଢ ଓ ଗାଈଙ୍କ ଉପରେ । ଗୁଡେ ଅଇଁଠା ଖଲି, ବାସି ଫୁଲ ତା’ ସହ ଗତ ରାତିର ବର୍ଷା ସେ ଅଳିଆରୁ ତୀବ୍ର ଦୁର୍ଗନ୍ଧ ଚାରିଆଡେ ଖେଳୁଥିଲା, ମୋ ଭଳି ଅନେକ ସେ ରାସ୍ତାରେ ଯାଉଥିଲେ, ନାକ ହାତ ଦେଇ ଆଗକୁ ବଢ଼ୁଥିଲେ । ମୁଁ କିନ୍ତୁ ବଢ଼ିପାରିଲିନି….ମୋ ଆଖି ରହିଗଲା ସେ ଅଳିଆ ଗଦାରେ ମଇଳା ଘାଟିଂ ହୋଇ ପଡିଥିବା ମେଂଚାଏ ଛୋଟ ପ୍ଲାଷ୍ଟିକ ତ୍ରିରଙ୍ଗା ପତାକା ଉପରେ । ଛାତି ଭିତରଟା ଗୁଳି ମାଡ ଭଳି କଷ୍ଟ ହେଲା । ପାଖ ଦେଇ ଯାଉଥିବା ଜଣେ ଯୁବକକୁ କହିଲି ଭାଇରେ ସେ ପତାକାଗୁଡା କାଢ଼ିଆଣ ସେ ଅଳିଆ ଗଦାରୁ, ସେ ନଜର ପକେଇ ଦେଇ କହିଲା ପାଗଳ ବୁଢ଼ା ମୁଁ ସେ ଆବର୍ଜନାରୁ କାଢ଼ିବି? ମୁଁ ହାତ ଧରି ପକେଇ କହିଲି ବାବୁରେ ସେ ପା’ ଆମ ଦେଶର ଟେକ, ମାନ ମହତ, କାଲି ପନ୍ଦର ଅଗଷ୍ଟରେ ପୂଜା କଲ ଆଜି… ଯୁବକ ଜଣକ ମୋ ହାତ ଛାଟି ଦେଇ କହିଲେ ପାଗଳ ବୁଢ଼ା ଆର୍ମି ଭଳି ଛିଟ ବାଲା ସାର୍ଟଟେ ପିନ୍ଧିଛୁ ବୋଲି ବେଶୀ ଭାଷଣ ମାରୁଛୁ । ଆଉ ଯାଉ ଯାଉ ଗର ଗର ହେଇ କହୁଥାଏ ଗୋଟେ ଗୋଡ ନାହିଁ, ଭିକାରୀଟା ବୋଧେ ଦେଖ କି ସାହସ ।ମୁଁ ସେଇ ଆଶା ବାଡିରେ ଗାଈ-ଷଣ୍ଢଙ୍କୁ ତଡିବାର ବୃଥା ଚେଷ୍ଟା କରି ଗୋଟିଏ ପତାକା ଉଠାଇ ଥିଲି କି ଗାଈ ଲାତରେ ଛାଟି ହେଇ ପଙ୍କ ରାସ୍ତାରେ ପଡିଗଲି, ଗୋଟିଏ ଗୋଡ ତା’ ଉପରେ ବୟସ, ମୁହଁ ମାଡି ତଳେ ପଡି କାଦୁଅରେ ପତାକାଟିକୁ ଟେକି ଧରିଥିଲି । ମୁଁ ଯେ ଦିନେ ସିପାହୀ ଥିଲି । ଦିନ ରାତି କେତେ ପରିଶ୍ରମ କରି ସିପାହୀଟେ ହେଇଥିଲି । ବାପା ବି ମୋର ସ୍ଥଳ ସେନାରେ ଥିଲେ । ମୁଁ ଛୋଟ ଥିଲି ଥରେ ଛୁଟିରେ ଘରକୁ ଆସିଥିଲେ, ତାଙ୍କଠୁ ଶୁଣିଥିବା ସେ ଲଦାଖ ବର୍ଡର ବରଫ ପାହାଡକୁ ଚବିଶ ଘଂଟା ସଜାଗ ସବୁ ଗବ ଭଳି ଲାଗୁଥିଲା । ମୁଁ ବି ଥରେ ପଚାରି ଥିଲି ବାପା ଭାରତ ମା’ କଥା ଏତେ କହୁଛ ତାଙ୍କୁ କେବେ ଦେଖିଛ? ଆଉ ବାପା କହିଥିଲେ ହଁ ସବୁଦିନ, ସବୁ ମୁହୁର୍ତ ତାଙ୍କୁ ଦେଖେ… ତ୍ରିରଙ୍ଗା ପତାକାଟା ପା’ ଭାରତ ମା’ର କାନି, ବରଫ ପାହାଡରେ ଧସିଯାଇଥିବା ମଣିଷଟେ କି ପଶୁଟେକୁ ଭିଡି ଆଣିଲା ପରେ ତା’ ଆଖିର ସେ କରୁଣ, କୃତଜ୍ଞତା ଭରା ଚାହାଣୀରେ ଭାରତ ମା’କୁ ଦେଖିଛି, ତମ ମାନଙ୍କୁ ଛାଡି ଦେଶ ରୂପି ଏ ବଡ ପରିବାରକୁ ଶାନ୍ତିର ପରା ଭାରତ ମା’କୁ ଦେଖିଛି, ଅତ୍ୟାଧିକ ଥଣ୍ଡାରେ ବାହ୍ୟ ଶତ୍ରୁ ହାତରେ ଆମ ସିପାହୀ ଭାଇଟେ ସହିଦ ହେବା ବେଳେ ତା’ ମୁହଁର ସେ ଗୌରବ ଉଜ୍ୱଳ ତେଜରେ ପରା ଭାରତ ମା’କୁ ଦେଖିଛି…. ଏମିତି ଅନେକ କଥା ବାପା କହି ଚାଲନ୍ତି ଆଉ ଶୁଣି ମତେ ଲାଗେ ମୁଁ ବି ବାପାଙ୍କ ସହ ଯାଆନ୍ତି ଭାରତ ମା’କୁ ଦେଖନ୍ତି । ବାପା ମତେ କୁହନ୍ତି ବାବୁରେ ଏଇଠି ରହିବି ତୁ ଭାରତ ମା’କୁ ଦେଖିପାରିବୁ । ଏ ଖୋଲା ଆକାଶ, ମନ ଖୋଲା ବୁଲା, ପର୍ବ-ପର୍ବାଣୀ, ଭାଇଚାରା ଏ ସବୁ ତ ଆମ ସ୍ୱାଧୀନ ଭାରତ ମା’….. ମୁଁ କିଛି ବୁଝି ପାରିନଥିଲି, ଆଉ ବାପା ଥରେ ଛୁଟିରେ ଆସି ଫେରିଲେ ଯେ ନା’ ଚାକିରୀ ଜାଗାରେ ପହଂଚିଲେ ନା’ ଆମ ପାଖକୁ ଫେରିଲେ । ମୋ ମା’ର ଗୋଟି ପୁଅ ତ ସେ ଆଉ ସେନା ଆଡେ ମତେ ଚାହିଁବାକୁ ବି ଦେଲାନି । ହେଲେ ଭାରତ ମା’କୁ ଅନୁଭବ କରିବାର ଯେଉଁ ଆଶାଟା ଥିଲା ସେଟା ଲାଗି ମୋ ଜନ୍ମ କଲା ମା’ ବି ମତେ ରୋକି ପାରିଲାନି । ଆଉ ମୁଁ ଲାଗି ପଡି ସେନାରେ ଭର୍ତି ହେଲି । ବାପା ଯେହେତୁ ଛୁଟିରେ ଆସି ଆଉ ଫେରିନଥିଲେ ତ କୌଣସି ସରକାରୀ ସହାୟତା ଆମକୁ ମିଳିନଥିଲା କି ମୁଁ ଗର୍ବରେ କହିପାରୁନଥିଲି ମୁଁ ସୁବେଦାର ମହାନ୍ତିଙ୍କ ପୁଅ ବୋଲି ।ଚିନ୍ ସୀମାରେ ମୋର ପୋଷ୍ଟିଙ୍ଗ ହେଇଥିଲା । ବହୁତ ଶୁଣିଥିଲି ସେ ସୀମାକୁ ସିପାହୀ ହରଭଜନ ସିଂହ ତାଙ୍କ ମୃତ୍ୟୁ ପରେ ବି ଜଗୁଥିଲେ । ରାତି ଡିୟୁଟି ବେଳେ ସଜାଗ ରହି ଅପେକ୍ଷା କରେ କେବେ ହରଭଜନ ସିଂହ ଦେଖାହୁଅନ୍ତେ କି? ଆଉ ଥରେ ସୀମାରେ ବହୁଳ ଭାବେ ଦେଖାଦେଉଥିବା କୃଷ୍ଣସାର ମୃଗ ଗୋଟେ ସୀମାର ତାର ବାଡରେ ଲାଖିଯାଇଥିଲା, ତା ବିକଳ ଚାହାଣୀ ଦେଖି ମୁଁ ତାକୁ ତାରରୁ ଅଲଗା କରିବା ଲାଗି ବନ୍ଧୁକଟା ରଖି ଚେଷ୍ଟା କରୁଥିଲି । ସେ ବଡ ରଡି ଦେଉଥିଲା, ମୋର ସାଥି ସିପାହୀ ଜଣେ କିଛି ବୁଝି ନପାରି ରାତି ଅନ୍ଧାରରେ ବିପଦ ଭାବି ଗୁଳି ଚଳେଇ ଦେଲେ ଆଉ ମୋ ଗୋଡରେ ଗୁଳି ରହିଗଲା । ମୋ କଷ୍ଟଠାରୁ ସେ ମୃଗଟିର ମୁକ୍ତିର ଆନନ୍ଦ ଦେଖିବା ମତେ ଭଲ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ