ସରଳ, ଅମାୟିକ ବ୍ୟକ୍ତିତ୍ୱ ସାଇଭକ୍ତ ସଦା ସନ୍ତୋଷ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯେଉଁ କେତେ ଜଣ ବ୍ୟକ୍ତିତ୍ୱ ନିଜ କର୍ମ, ନିଷ୍ଠା, ଆଚାର, ବ୍ୟବହାର, ପରୋପକାର ତଥା ଭଗବତ ବିଶ୍ୱାସ ଦ୍ୱାରା ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମାଜସେବାର ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି ସେମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲା ଉତରା ଶାସନ ଅନ୍ତର୍ଗତ ସ୍ୱର୍ଗତ ସନ୍ତୋଷ ଚନ୍ଦ୍ର ତ୍ରିପାଠୀ ଅନ୍ୟତମ । ପିତା ପ୍ରଭାକର ତ୍ରିପାଠୀ ଓ ମାତା ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଔରସରୁ ୧୯୪୩ ମସିହା ମାର୍ଚ୍ଚ ୩ ତାରିଖରେ ଭୂମିଷ୍ଠ ହୋଇଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ସମୟରୁ ତାଙ୍କ ମେଧାର ପରିଚୟ ମିଳିସାରିଥିଲା । ଯୈାଥ ପରିବାରରେ ଜନ୍ମ ହେବା ସହିତ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା । କର୍ମମୟ ଜୀବନ ୧୯୬୬ ମସିହାରେ ପାରାଦୀପ ପୋର୍ଟରୁ ହିଁ ଆରମ୍ଭ ହୋଇଥିଲା । ସେଠାରେ କିଛି ମାସ ଅତିବାହିତ କଲାପରେ ଓଡ଼ିଶା ସରକାରଙ୍କ ସଚିବାଳୟ ସେବାରେ ଯୋଗ ଦେଇଥିଲେ । ତା ପରେ ତାଙ୍କ ସଂଘର୍ଷମୟ ଜୀବନ ଆରମ୍ଭ ହୋଇଥିଲା । ପୁରୁରା, ଝିଆରୀଙ୍କ ପାଠପଢା, ବିବାହ ଆଦି ସାମାଜିକ କାର୍ଯ୍ୟ କରିବା ସହ ନିଜ ସନ୍ତାନ ଦୁଇପୁତ୍ର ଓ ତିନି କନ୍ୟାଙ୍କୁ ଉତମ ଶିକ୍ଷା ଦେବା ସହ ସମାଜରେ ଚଳିବା ପାଇଁ କେଉଁ ଗୁଣର ଆବଶ୍ୟକ ସର୍ବଦା ତାହା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରେରିତ କରିଥିଲେ । ସରକାରଙ୍କ ଗୃହ, ଅର୍ଥ ତଥା ବହୁ ବିଭାଗରେ କାର୍ଯ୍ୟ କରିବା ସହ ନିଷ୍ଠା, ଦକ୍ଷତା, ପରୋପକାର, ସାଇଭକ୍ତି, ସମୟାନୁବର୍ତିତା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଥିଲେ । ଉତରା ଶାସନର ଜଣେ ବରିଷ୍ଠ ନେତୃ ସ୍ଥାନୀୟ ବ୍ୟକ୍ତିତ୍ୱ ତଥା ପରୋପକାରି ଭାବେ ବେଶ୍ ଜଣାଶୁଣା ଥିଲେ । ଯୈାଥ ପରିବାର ସମସ୍ୟାଗୁଡ଼ିକୁ ଅତି ସହଜରେ ସମାଧାନ କରିବାରେ ସିଦ୍ଧହସ୍ତ ଥିଲେ । ଜଣେ ସରଳ, ଅମାୟିକ, ପରୋପକାରୀ ବ୍ୟକ୍ତିତ୍ୱ ଭାବେ ଚାରିଆଡ଼େ ସୁଖ୍ୟାତି ଅର୍ଜନ କରିଥିଲେ । ସନ୍ଥ କବି ଭୀମଭୋଇଙ୍କ ଉକ୍ତି- “ପ୍ରାଣୀଙ୍କ ଆରତ ଦୁଃୁଖ ଅପ୍ରମିତ
ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ,
ଜଗତ ଉଦ୍ଧାର ହେଉ ।”
ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ନିଜର ତିନି ଜାମାତାଙ୍କୁ ନିଜ ପୁତ୍ର ପରି ବ୍ୟବହାର କରିବା ସହ ବହୁ ଆବଶ୍ୟକ ତଥା ମୂଲ୍ୟବାନ ପରାମର୍ଶ ଦେଇଆସୁଥିଲେ । ୧୬ ଅଗଷ୍ଟରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ତିରୋଧାନ ଘଟିଥିଲା । ଦ୍ୱାଦଶ ଅବସରରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଅରବିନ୍ଦ ତ୍ରିପାଠୀ