ଏନ୍.ସି.ସି. ପ୍ରଶିକ୍ଷଣରେ ଭାଗ ନେଲେ ୬୦୦ କ୍ୟାଡେଟ୍
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ,ରାଙ୍କି ପରିସରରେ ୧୪ ଓଡ଼ିଶା ବାଟାଲିୟନ ପକ୍ଷରୁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ୧୦ ଦିନିଆ ଏନ୍.ସି.ସି. ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ,ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେ ଯୋଗ ଦେଇ ଦେଶ ମାତୃକାର ସେବା କରିବା ପାଇଁ ଏନ୍.ସି.ସି. କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ।ଜୁନ୍ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୬୦୦ କ୍ୟାଡେଟ ଯୋଗ ଦେଇ ଶାରୀରିକ ଶିକ୍ଷା,ଡ୍ରିଲ,ମ୍ୟାପ୍ ରିଡ଼ିଂ,ଜାତୀୟ ସଂହତି,ସ୍ଵାସ୍ଥ୍ୟ ସୁରକ୍ଷା,ପ୍ରାଥମିକ ଚିକିତ୍ସା,ବିପର୍ଯ୍ୟୟ ପରିଚାଳନା,ଦକ୍ଷତାବିକାଶ, ଫାୟାରିଂ,ସଡ଼କ ସୁରକ୍ଷା,ସାଇବର ଅପରାଧ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ସୁବେଦାର ନାଦେର ଚାନ୍ଦ ଘୋଷ ସୂଚନା ଦେଇଥିଲେ।୧୦ ଜଣ ଏଏନ୍ଓ,୯ ଜଣ ପି.ଆଇ ଷ୍ଟାଫ୍ କ୍ୟାଡେଟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଉଦଯାପନୀ ଉତ୍ସବରେ କ୍ୟାଡେଟ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କ୍ୟାଡେଟ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।ଗ୍ରୀଷ୍ମ ଅବସରରେ ଏନ୍.ସି.ସି. କ୍ୟାମ୍ପ କରିବା ପାଇଁ ସେବା ଯୋଗାଇଥିବାରୁ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି.ର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ରବିଶଙ୍କର ଚୌଧୁରୀଙ୍କୁ ପୁଷ୍ପ ଗୁଚ୍ଛ ଓ ମାନଫଳକ ପ୍ରଦାନ କରିଥିଲେ।ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ,ଉମାକାନ୍ତ ବେହେରା, ଯୋଗେଶ ମହାକୁଡ଼,ଦିଗମ୍ୱର ରାଉତ,ଏନ୍.ସି.ସି. ଅଫିସର ମାନସ କୁମାର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ପାତ୍ର,ସୁରେନ୍ଦ୍ର କୁମାର ପଇଦା,ବିଜୟ କୁମାର ବେହେରା,ଗଙ୍ଗାଧର ମାଝୀ ପ୍ରମୁଖ ଶିବିର ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ।