ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା
କଟକ, (ଦୀପକ କୁମାର ବେଉରା):ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ କଟକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇ ଅଛି । ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଇପିଏଫ ପେନସନର୍ସ ବିରୋଧି ମନୋଭାବକୁ ଦୃଢ ନିନ୍ଦା କରିବା ସହିତ ଦାବି ପୂରଣ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିଯିବ ଆଲୋଚନା କରିଥିଲେ। ଆସନ୍ତା ୧୫ତାରିଖ ଦିନ ଇପିଏଫ ପେନସନର୍ସ ସଂଘ ପକ୍ଷରୁ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ୨ଲକ୍ଷ ୨୦ ହଜାର ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କର ଆର୍ଥିକ ଦୂରାବସ୍ଥା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଯାହା ଫଳରେ ସ୍ୱଳ୍ପ ପେନସନ ପାଉଥିବା ଏହି ବର୍ଗର ପେନସନଭୋଗୀ ମାନେ ପରିଣତ ବୟସରେ ଆବଶ୍ୟକୀୟ ଖାଦ୍ୟ ଓ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାମୟ ଜୀବନ ବିତାଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦରେ ଇପିଏଫ ପେନସନଭୋଗୀ ମାନେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶାରେ ଥିବା ବ୍ରହ୍ମପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ରାଉରକେଲା ଭବିଷ୍ୟନିଧି ସଂଗଠନ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ରାଜ୍ୟରେ ଥିବା ଅନ୍ୟ ୨୬ଟି ଜିଲ୍ଲା ମୁଖ୍ୟାଳୟ ପାଖରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ସେହି ଦିନ ଅନୁରୂପ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସବୁ ଜିଲ୍ଲାର ସମ୍ପୃକ୍ତ କର୍ମକର୍ତ୍ତାମାନେ ଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କା ସହ ମହଙ୍ଗାଭତ୍ତା ଦେବା ପାଇଁ ଆସୋସିଏସନ୍ ତରଫରୁ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ସେହିଭଳି ଓଡ଼ିଶାରେ ଥିବା ଇପିଏଫ ପେନସନଭୋଗୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ସରକାର ପେନସନର ଭୋଗୀଙ୍କ ଦାବି ପ୍ରତି ଅବହେଳା କରିବା ପ୍ରତିବାଦରେ ବରିଷ୍ଠ ନାଗରିକମାନେ ଏଭଳି ପଦକ୍ଷେପ ନେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବୈଠକରେ ଉପସ୍ଥିତ କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ସର୍ବସମ୍ମତିକ୍ରମେ ଗଣ ଧାରଣା ପାଇଁ ନିଷ୍ପତ୍ତି ନେଇଥିଲେ ।