ହଟିବ ମୋଦି, ହଟିବ ବିଜେପି ରହିବ ଇଣ୍ଡିଆ, ରହିବ ଭାରତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହଟିବ ମୋଦି, ହଟିବ ବିଜେପି, ରହିବ ଇଣ୍ଡିଆ, ରହିବ ଭାରତ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସ୍ଲୋଗାନ ଦେଇଛି । ଆମ ଦେଶର ନାମ ଇଣ୍ଡିଆ, ଡ଼ାକନାମ ଭାରତ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଆମ ଦେଶର ମୌଳିକ ପରିଚୟ ଜନ୍ମିତ ନାମ ହେଉଛି ‘ଇଣ୍ଡିଆ’ । ନରେନ୍ଦ୍ର ମୋଦି ଏବଂ ବିଜେପି ତାଙ୍କ ଜୀବଦ୍ଦଶାରେ ଆମ ଦେଶର ନାମ ଇଣ୍ଡିଆକୁ ହଟାଇ ପାରିବେ ନାହିଁ । ନରେନ୍ଦ୍ର ମୋଦି ଜଣେ ଏକଛତ୍ରବାଦୀ ବ୍ୟକ୍ତି । ତାଙ୍କର ମନ୍ କି ବାତ ସମ୍ପୂର୍ଣ୍ଣ ଏକଛତ୍ରବାଦୀ, ଅସାମ୍ବିଧାନିକ ଏବଂ ବେଆଇନ କାର୍ଯ୍ୟକ୍ରମ । ସମ୍ବିଧାନ ଅନୁଯାୟୀ ଇଣ୍ଡିଆରେ ଲୋକସଭା, ରାଜ୍ୟସଭା ଥିବାବେଳେ ନରେନ୍ଦ୍ର ମୋଦି କାହିଁକି ମନ୍ କି ବାତ କହି ଦେଶର ସମୟ ନଷ୍ଟ କରୁଛନ୍ତି, ତାହାର ଜବାବ ସେ ଦେଶବାସୀଙ୍କୁ ଦେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସଦସ୍ୟାମାନେ ଏବଂ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଇଣ୍ଡିଆକୁ ଶ୍ରେଷ୍ଠ ବିକଶିତ କରିବା ପାଇଁ ଯଦି ଲୋକସଭା ଏବଂ ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖନ୍ତେ ବା ନିଜ ନିଜର ମନ୍ କି ବାତ୍କୁ କୁହନ୍ତେ, ତେବେ ଦେଶବାସୀ ଧୈର୍ଯ୍ୟର ସହିତ ଶୁଣନ୍ତେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ନିଜର ମନ୍ କି ବାତ ଶୁଣାଉଛନ୍ତି ଏବଂ କାହିଁକି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ସଦସ୍ୟା ଏବଂ ସାଂସଦମାନଙ୍କୁ ମନ୍ କି ବାତ୍ କହିବାକୁ ସୁଯୋଗ ଦେଉନାହାଁନ୍ତି ସେ ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ରାଉତ ଦାବି କରିଛନ୍ତି । ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଟି କୋଟି ଭାରତୀୟ କିପରି ଭର୍ତ୍ସନା କରୁଛନ୍ତି ତାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଇଣ୍ଟେଲିଜେନ୍ସ ପୋଲିସ୍ ମାଧ୍ୟମରେ ସଠିକ୍ ଖବର ଜାଣିବା ଦରକାର ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଏବଂ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ମହମ୍ମଦ ବିନ୍ ତୋଗଲକଙ୍କ ଦିଲ୍ଲୀରୁ ଦୌଲତାବାଦ ଏବଂ ଦୌଲତାବାଦରୁ ଦିଲ୍ଲୀକୁ ଯିବା ସହିିତ ସମାନ ବୋଲି ଦେଶବାସୀ ଆଲୋଚନା କରୁଛନ୍ତି ଏବଂ ନରେନ୍ଦ୍ର ମୋଦିଙ୍କୁ ମହମ୍ମଦ ବିନ ତୋଗଲକଙ୍କ ସହିତ ତୁଳନା କରୁଛନ୍ତି ।