ଅସରାଏ ବର୍ଷାରେ ବାଲେଶ୍ୱର ସହର ବେହାଲ

ବାଲେଶ୍ୱର, (ସରୋଜ ପଣ୍ଡା):ବେଙ୍ଗ ମୁତିଲେ ବନ୍ୟା ହୁଏ ଢଗ ପରି ବାଲେଶ୍ୱର ସହରରେ ଆଜିର ଅସରାଏ ବର୍ଷାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଚାରିଆଡେ କୃତ୍ରିମ ବନ୍ୟା ଦେଖାଦେଇଛି । ସହରର ପ୍ରମୁଖ ସ୍ଥାନ ସିନେମା ଛକ, କଂଗ୍ରେସ ଅଫିସ ଗଳି, ଚିଡିଆପୋଲ, ଚର୍ଚ୍ଚ ଲେନ୍‌, ଗୁଡିପଦା, ନୂଆସାହି ଛକ ଏବଂ ବସଷ୍ଟାଣ୍ଡ ପ୍ରଭୃତି ଅଞ୍ଚଳ ଆଜିର ଏହି ଲଘୁଚାପ ବର୍ଷାରେ ବେହାଲ ହୋଇ ନାଳ ପାଣି ରାସ୍ତାର ଉପରେ ଲହଡି ଭାଙ୍ଗିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । କୋଟି କୋଟି ଟଙ୍କାରେ ଟେଣ୍ଡର ହୋଇ ମହାନାଳ କାମ ହେବା ତଥା ଲକ୍ଷାଧିକ ଟଙ୍କାର ବ୍ୟୟରେ ପ୍ରତ୍ୟେକ ବର୍ଷ ବର୍ଷା ଦିନ ପୂର୍ବରୁ ମହାନାଳ ସଫେଇ ହେବା ପରେ ମଧ୍ୟ ଅସରାଏ ବର୍ଷାରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ପରିପ୍ରକାଶ କରିଛନ୍ତି । କୋଟି କୋଟି ଟଙ୍କା କାମରେ ପିସି କାରବାର ହେବା ଏବଂ ମହାନାଳ ସଫେଇ କାମରେ ମଧ୍ୟ ବ୍ୟାପକ ଚଞ୍ଚକତା ହୋଇଥିବା ଯୋଗୁଁ କାମର ମାନ ଉପରେ କୌଣସି ଦୃଷ୍ଟିପାତ ନକରିବା ଫଳରେ ଆଜି ବାଲେଶ୍ୱର ବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଆଜିର ମନୁଷ୍ୟକୃତ ବନ୍ୟାରେ ସରକାରଙ୍କୁ ଟ୍ୟାକ୍ସ ଦେଉଥିବା ଅନେକ ଦୋକାନ, ହୋଟେଲ, ସପିଙ୍ଗ୍ ମଲ ଏବଂ ଅନେକଙ୍କ ଘରେ ପାଣି ପଶିଯାଇ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି ଯାହାର କ୍ଷତିପୂରଣ କିଏ ଦେବ ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଛନ୍ତି । କିଛିଦିନ ପୂର୍ବରୁ ସ୍ୱର୍ଚ୍ଛ ସର୍ବେକ୍ଷଣ ୨୦୨୩ ପାଇଁ ଯେଉଁଭଳି ଭାବରେ ପୌରପାଳିକା ପ୍ରଶାସନ ଅନୈତିକ ଉପାୟରେ ସର୍ଭେ କାର୍ଯ୍ୟ କରିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଆଜିର କୃତ୍ରିମ ବନ୍ୟା ଏହାର ଜ୍ୱଳନ୍ତ ଉଦାହରଣ ଯେ ନାଳ ସଫେଇ ଠୁ ଆରମ୍ଭ କରି ମହାନାଳ ସଫେଇ କାର୍ଯ୍ୟ ପର୍ଯ୍ୟନ୍ତ କୌଣସିଥିରେ ଉଚ୍ଚ ମାନଦଣ୍ଡର କାର୍ଯ୍ୟ ହୋଇନାହିଁ ।ଉପ ନିର୍ବାଚନ ସମୟରେ ବାଲେଶ୍ୱରର ଦାୟିତ୍ୱ ମୋର କହି ବିଜେଡିକୁ ଭୋଟ ଦେବା ପାଇଁ କହିଥିବା ମୁଖ୍ୟମନ୍ତ୍ରୀ ମହୋଦୟ ବାଲେଶ୍ୱରର ଏହି ସମସ୍ୟା ସମ୍ବନ୍ଧରେ ଅବଗତ ଅଛନ୍ତି କି ନାହିଁ?, ସଦର ବିଧାୟକ ନଡିଆ ବାଡେଇବା ଏବଂ ଫଟୋ ଉଠାରେ ବ୍ୟସ୍ତ ଥିବା ବେଳେ ସାମାନ୍ୟ ନାଳ ଓ ମହାନାଳର ସମସ୍ୟାକୁ ସମାଧାନ ନକରି ପାରିବା ଅତ୍ୟନ୍ତ ଲଜ୍ୟାର ବିଷୟ । ଅପରପକ୍ଷରେ ବିଶେଷସୂତ୍ରରୁ ଖବର ଥାଉକି ଯେ ପୌରପାଳିକାର ଅଧ୍ୟକ୍ଷା ମହାନାଳ ସଫେଇ ପାଇଁ କେଉଁଭଳିଆ କାର୍ଯ୍ୟାଦେଶ ଆଗତ କରିଥିଲେ ଏବଂ ପ୍ରଶାସନ ଉକ୍ତ କାର୍ଯ୍ୟକୁ କେଉଁ ଆଧାରରେ ବଣ୍ଟନ କରି କାର୍ଯ୍ୟ କରାଉଥିଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉପନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପାଳନ କରିବାରେ ସଦର ବିଧାୟକ, ପୌରପାଳ, ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଉକ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ଦତ୍ତ ଚରମ ବାଣୀ ଶୁଣାଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ସୁଜିତ ଦେବ, କାଉନସିଲର ନିତ୍ୟଗୋପାଲ ସିଂ, ପ୍ରତିମା ବେହେରା, ନିରୁପମା ଦାଶ ଓ ଭାରତୀ ପାତ୍ର, ରାଜେନ୍ଦ୍ର ଚାଟାର୍ଜୀ ଓ ଅନନ୍ତ ନାୟକ ଉପସ୍ଥିତ ଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀ ସୌରଭ କୁମାର ଚୌଧୁରୀ ଏବଂ ମାୟାଧର ପ୍ରଧାନ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ