କଲେଜ ଗାର୍ଡେନ ପାଚେରୀ ନିର୍ମାଣରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗାର୍ଡେନର ପାଚେରୀ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ମହାବିଦ୍ୟାଳୟ ପରିସରରେ କ୍ୟାଣ୍ଟିନ ସମ୍ମୁଖରେ ଥିବା ଗାର୍ଡେନର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣରେ ୧୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇ ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକୃତରେ ୪ରୁ ୫ଲକ୍ଷ ଟଙ୍କା ସେହି ପାଚେରୀ ନିର୍ମାଣରେ ବ୍ୟୟ ହୋଇଥିବା ବେଳେ ସେହି ଖର୍ଚ୍ଚକୁ ଅଧିକ ଦର୍ଶାଇ ୫ଲକ୍ଷରୁ ଅଧିକ ଅର୍ଥ ହରିଲୁଟ କରିନେଇଥିବା ଅଭିଯୋଗ ହୋଇଛି । ସେହି ପାଚେରୀ ନିର୍ମାଣରେ ସିମେଣ୍ଟ ଓ ବାଲି ଭାଗ ଏଷ୍ଟିମେଟ ଠାରୁ ବହୁ ଅଧିକ ଦିଆଯାଇ ନିମ୍ନମାନର କାର୍ଯ୍ୟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏତଦବ୍ୟତିତ ମହାବିଦ୍ୟାଳୟର ଉଭିଦ୍ଦ ବିଜ୍ଞାନ ବିଭାଗକୁ ମରାମତି ଓ ରଙ୍ଗଦେବା ନାମରେ ପ୍ରାୟ ୮ଲକ୍ଷ ଟଙ୍କା ମିଥ୍ୟା ବିଲ କରିନେଇଥିବା ଅଭିଯୋଗ ହୋଇଛି । ଏହାଛଡା କଲେଜ ପରିସରରେ ଥିବା ଅଧ୍ୟକ୍ଷଙ୍କ ବାସଭବନରୁ ନୂତନ ଭାବେ ଲଗାଯାଇଥିବା ଏସି, ଫ୍ରିଜ, ଆକୁଆଗାର୍ଡ, ଗଦି, ବେଡସିଟ, ତକିଆ ପ୍ରଭୃତି ଲକ୍ଷାଧିକ ଟଙ୍କାର ଆସବାବପତ୍ର କେଉଁଆଡେ ଉଭାନ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମସ୍ତ ଦୁର୍ନୀତି ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଦୈତାରୀ ସେଠୀ, ଶରତ ସିଂ, ଚିନ୍ମୟ ବଳ, ଅଭିନାଶ ମଲିକ, ସତ୍ୟରଞ୍ଜନ ସେନାପତି, ପ୍ରଦୀପ ସାହୁ, ବରଦାପ୍ରସନ୍ନ ମହାନ୍ତି, ମଳୟରଞ୍ଜନ ପରିଡା, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ