ଗଣେଶ ପୂଜା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଶାନ୍ତି କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଆଜି ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡ଼ ଦୁଲାଳସେନ ଜଗତ ଦେଓ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ, ଜିଲ୍ଲା ଗୁଇନ୍ଦା ଡି.ଏସ.ପି ଶ୍ରୀମତୀ ବ୍ରଜେଶ୍ବରୀ ବଳ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୁଲିସ, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଜିଲ୍ଲାରେ କିଭଳି ସୁରୁଖୁରୁରେ ଗଣେଶ ପୂଜା ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଗୁଇନ୍ଦା ଡି.ଏସ.ପି ଶ୍ରୀମତୀ ବଳ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ସେପ୍ଟେମ୍ବର ୧୯ ତାରିଖ ଦିନ ପାଳନ ହେବାକୁ ଥିବା ଗଣେଶ ପୂଜା ଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଂଟ ତିଆରି କରାଯିବା ସହିତ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦିନ ସକାଳ ଘ. ୯ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଭଷାଣୀ ଯାତ୍ରା ପାଇଁ ଧାର୍ଯ୍ୟ କରାଯାଇଛି । ଟ୍ରାଫିକ୍ ଇନ୍ସପେକ୍ଟର ତଥା ସହଦେବଖୁଣ୍ଟା ଆଦର୍ଶ ଥାନା ଆଇ.ଆଇ.ସି ଶ୍ରୀମତୀ ପ୍ରେମ ପ୍ରଜ୍ଞା ମହାନ୍ତି ଟ୍ରାଫିକ୍ ନିୟମାବଳୀ ଉପରେ ସବିଶେଷ ସୂଚନା ଦେବା ସହିତ ଶାନ୍ତିଶୃଙ୍ଖଳା ସହ କିପରି ଜନସାଧାରଣ ଆନନ୍ଦ ଓ ଉଲ୍ଲାସ ସହିତ ପୂଜାକୁ ଉପଭୋଗ କରି ପାରିବେ ସେଥି ପ୍ରତି ସମସ୍ତଙ୍କୁ ସୂଚନା ଦେଇ ଥିଲେ। ବାଲେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏକକ ଝରକା (ସିଙ୍ଗଲ ଓିଣ୍ଡୋ) ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତିଶୂନ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ ସୂଚନା ଦେଇଥିଲେ । ଏଥିଲାଗି ଆସନ୍ତା ସେପ୍ଟେମ୍ବର ୧୩,୧୪,୧୫ ତାରିଖ ଦିନ ଆବେଦନ କରିହେବ । ଅନୁମତିପତ୍ର ପାଇଁ ଆବେଦନ କଲାବେଳେ ପୂଜା କମିଟି କର୍ମକର୍ତାଙ୍କୁ ସରକାରୀ ମାର୍ଗଦର୍ଶିକାର କଡାକଡି ଅନୁପାଳନ ପାଇଁ ଲିଖିତ ପ୍ରତିଶୃତି ଦେବାକୁ ପଡିବ ।ମେଢ଼ର ଉଚ୍ଚତା ୧୨ ଫୁଟ ପର୍ଯ୍ୟନ୍ତ ରହିବ । ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା କୃତ୍ରିମ ଜଳାଶୟ ଯଥା ବାଲିଘାଟ ଓ ନୁନିଆଯୋରିରେ ମୂର୍ତ୍ତି ବିସର୍ଜନ କରାଯିବ । କୌଣସି ଧାର୍ମିକ ଗୋଷ୍ଠୀ ଦ୍ୱାରା କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ଆୟୋଜନ ହୋଇପାରିବ ନାହିଁ । ସରକାରୀ ନିୟମାବଳୀର କିଭଳି ପାଳନ ହୋଇପାରିବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ପୂଜା କମିଟିମାନେ ନେବେ । ବିଦ୍ୟାଳୟ ତଥା ଚିକିତ୍ସାଳୟ ଆଦି ଶୂନ୍ୟଶବ୍ଦ ଅଞ୍ଚଳରେ ଶୋଭାଯାତ୍ରା ଗଲାବେଳେ କୌଣସି ଶବ୍ଦ ଯେପରି ନ ହୁଏ ତାହା ପୂଜା କମିଟି ମାନେ ନିଶ୍ଚିତ କରିବେ। ସମସ୍ତ ନୀତି ନିୟମ ମଧ୍ୟରେ ରହି ଗଣେଶ ପୂଜା ପାଳନ ନିମନ୍ତେ ଉପସ୍ଥିତ ପୂଜା କମିଟି ସଦସ୍ୟମାନଙ୍କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପରାମର୍ଶ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ