ଭୋଟର୍ ସଚେତନତାର ଆମ୍ବାସାଡାର୍ ‘ମୁଁ ବି ମିତା’

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ କହିଥିଲେ ଯେ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟର୍‌ମାନଙ୍କର ପ୍ରମୂଖ ଭୂମିକା ରହିଛି । ତେଣୁ ଭୋଟର୍ ତାଲିକାରେ ସମସ୍ତ ଯୋଗ୍ୟ ନାଗରିକ ନିଜ ନାମ ପଞ୍ଜିକୃତ କରିବା ନିହାତି ବାଂଛନୀୟ । ଏ ଦିଗରେ ସଚେତନନତା ସମୟର ଆହ୍ୱାନ । ଏହି କାର୍ଯ୍ୟକ୍ରମ ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରି ଉପ-ଜିଲ୍ଲାପାଳ ନିରଞ୍ଜନ ବେହେରା କହିଥିଲେ ଯେ ଭୋଟର୍ ସଚେତନତାର ଆମ୍ବାସାଡାର ହେଉଛନ୍ତି ‘ମୁଁ ବି ମିତା । ‘ମିତା’ ଏକ ପ୍ରତୀକ, ଯିଏ ପ୍ରତିଶ୍ରୁତି ବଦ୍ଧ ନିଜ ନାମକୁ ଭୋଟର୍ ତାଲିକାରେ ପଞ୍ଜିକୃତ କରିବା ପାଇଁ ଅଥବା ଅଶୁଦ୍ଧି ରହିଯାଇଥିବା ଭୋଟ୍ ପରିଚୟ ପତ୍ରର ସଂଶୋଧନ ପାଇଁ । ‘ମୁଁ ବି ମିତା’ ଅଭିଯାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ରଥର ଆୟୋଜନ କରାଯାଇଛି । ଏହି ରଥ ଜିଲ୍ଲା ସାରା ପରିକ୍ରମା କରି ସୁଦୃଢ଼ ଗଣତନ୍ତ୍ର ପାଇଁ ଭୋଟରଙ୍କ ଭୂମିକା ଉପରେ ସଚେତନତାର ମନ୍ତ୍ର ବାଂଟିବ । ଏହି ଅଭିଯାନରେ ଯୋଗ ଦେଇଥିଲେ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ କଲେଜ୍ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ । ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟରେ ସ୍ଲୋଗାନ୍ ଦେଇ ସେମାନେ ସଚେତନାର ବାର୍ତ୍ତା ପ୍ରଚାର କରିଥିଲେ । ପରେପରେ ଏକ ରାଲି ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ୍‌ହଲ୍‌ରେ ପହଂଚିଥିଲା । ସେଠାରେ ଏକ ଭବ୍ୟ ସମାରୋହରେ ଯୋଗ ଦେଇ ‘ମୁଁ ବି ମିତା’ ହେବା ପାଇଁ ଉପସ୍ଥିତ ଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ । ଏଇ ଅବସରରେ ବିଭିନ୍ନ କଲେଜ୍‌ରୁ ଆସିଥିବା ଛାତ୍ରୀମାନେ କହିଥିଲେ ସେମାନେ ନିଜ ନାମ ଭୋଟର୍ ତାଲିକାରେ ସାମିଲ୍ କରିବା ସହ ନିଜ ସାଙ୍ଗ ସାଥି, ଗାଁର ଭାଇଭଉଣୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିବାରବର୍ଗଙ୍କ ମଧ୍ୟରେ ଏହି ବାର୍ତ୍ତା ପହଂଚାଇବା ପାଇଁ ନିଷ୍ଠାପର ଉଦ୍ୟମ କରିବେ ଓ ଭୋଟର୍ ସଚେତନତା ପାଇଁ ସାଜିବେ ପ୍ରକୃତ ଆମ୍ବାସାଡାର୍ । କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଦୁଇ ଜଣ ଦୃଷ୍ଟିବାଧିତ ଛାତ୍ର ମହିମା କୁମାର ସାହୁ ଓ ପ୍ରକାଶ କୁମାର ଜେନା ବିଭିନ୍ନ ସ୍ଲୋଗାନ୍ ଦେଇ ସଚେତନତା ସୃଷ୍ଟି କରିଥିଲେ । ଭିନ୍ନକ୍ଷମ ମାନଙ୍କୁ ଭୋଟର୍ ପ୍ରକ୍ରିୟାରେ ସାମିଲ୍ ହେବା ପାଇଁ ସାଙ୍କେତିକ ଭାଷାରେ ଆହ୍ୱାନ ଜଣାଇଥିଲେ କଜଳାସ୍ଥିତ ଦଧିବାମନଜୀୟୁ ବଧିର ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ । ସୂଚନାଯୋଗ୍ୟ ଯେ, ଭୋଟରମାନେ ଅନ୍‌ଲାଇନ୍ ଜରିଆରେ ଅବା ଭୋଟର୍ ହେଲ୍‌ପ ଲାଇନ୍ ଆପ୍ ଜରିଆରେ ସଂଶୋଧନ ଅବା ପଞ୍ଜିକରଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ବିଭିନ୍ନ କଲେଜର ଅଧ୍ୟାପକ ଓ ପ୍ରାଧ୍ୟାପକମାନେ । ‘ମୁଁ ବି ମିତା’ ଅଭିଯାନରେ ସାମିଲ୍ ହୋଇଥିବା ଅତିଥିଙ୍କ ପରିଚୟ ପ୍ରଦାନ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଡେପୁଟି କଲେକ୍ଟର ଅନନ୍ୟା ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ