ସଦର ବ୍ଲକରେ ମନରେଗାରେ ବ୍ୟାପକ ଘୋଟାଲା, ଜିଲ୍ଲାପାଳଙ୍କୁ ଭେଟିଲା ସଦର ବିଜେପି
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ହେରଫେରକୁ ନେଇ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପି ପକ୍ଷରୁ ଠକେଇ ହୋଇଥିବା ହିତାଧିକାରୀଙ୍କୁ ନେଇ ଜିଲ୍ଲାପାଳ ମହୋଦୟଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ନିଃସହାୟ ଲୋକମାନଙ୍କୁ ଗୃହ ବାବଦରେ ୧,୨୦,୦୦୦ ଟଙ୍କା ମିଳିଥାଏ । ଏଥିସହ ସେମାନଙ୍କ ଆକାଉଣ୍ଟକୁ ମନରେଗାରେ ୯୦ ଦିନର ମଜୁରୀ ରାଶି ହାରାହାରି କୋଡିଏ ହଜାର ଟଙ୍କା ମିଳିବା କଥା । ମାତ୍ର ପ୍ରକୃତ ହିତାଧିକାରୀଙ୍କ ଆକାଉଣ୍ଟକୁ ନଦେଇ ଅନ୍ୟ ଆଇଡିକୁ ବ୍ୟବହାର କରି ମନରେଗାରେ ପାଇବାକୁ ଥିବା ଅର୍ଥକୁ ବାଟମାରଣା କରି ଜି.ଆର.ଏସ ମାନେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିଛନ୍ତି । ଉକ୍ତ ବିଷୟକୁ ନେଇ ଆଜି ସଦର ବ୍ଲକର ଛାନୁଆ ପଞ୍ଚାୟତର ଜୟନ୍ତୀ ସରଦାର, ଶକ୍ତିପଦ ମଣ୍ଡଳ, ଭାରତୀ ସରଦାର, ସୁଲେଖା ଭୂୟାଁ, ରୀନାରାଣୀ ସରଦାର ଓ ଦୁବୁଲାଗଡି ପଞ୍ଚାୟତର ସାବିତ୍ରୀ ସିଂ, ବାବୁରାମ ସିଂ ଜିଲ୍ଲାପାଳଙ୍କୁ ଭେଟି ନିଜର ନ୍ୟାୟ ପାଇଁ ଗୁହାରୀ ଜଣାଇଛନ୍ତି । ବାସ୍ତବରେ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ସେମାନଙ୍କର ପ୍ରାପ୍ୟ ଟଙ୍କାକୁ ଜି.ଆର.ଏସ ହଡପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପରେ ସମସ୍ତ ତଥ୍ୟ ସମ୍ବଳିତ କାଗଜ ଜିଲ୍ଲାପାଳ ଦେଖିଲା ପରେ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି । ଯଦି ସାତ ଦିନ ପରେ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଠକେଇ ହୋଇଥିବା ହିତାଧିକାରୀଙ୍କୁ ଉଚିତ ନ୍ୟାୟ ପାଇଁ ଭାରତୀୟ ଜନତା ପାର୍ଟି, ସଦର ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବ ବୋଲି ସଦର ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସୁଶୀଲ ମଣ୍ଡଳ, ସେଖ ଆକବର, ମଣ୍ଡଳ ସଭାପତି ବିଜୟ ଦାସ, ସୁବାଷ ବେହେରା, ଭାଗ୍ୟଧର ଦାସ, ରତ୍ନାକର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।