ଚମ୍ପା ଘାଟିରେ ପୁଣି ଓଲଟିଲା ଟ୍ରକ, ଡ୍ରାଇଭର ଗୁରୁତ୍ବର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ବିପଦପୂର୍ଣ୍ଣ ଚମ୍ପା ଘାଟିରେ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗଛକୁ ଧକା ଦେଇ ଓଲଟି ପଡିଲା ଟ୍ରକ I ଡ୍ରାଇଭର ଗୁରୁତ୍ବର I ସୂଚନା ପ୍ରକାରେ ଆଜି ସକାଳ ଆଠଟା ସମୟରେ ପାରଳାଖେମୁଣ୍ଡି ପଟୁ ବାହାରି କଟକ ଅଭିମୁଖେ ଯାଉଥିବା ଏକ ପୁରୁଣା ବିଅର କାଚ ବୋଝେଇ ଟ୍ରକ ଚମ୍ପାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଓଲଟି ପଡିଥିଲା I ଘଟଣା ସ୍ଥଳରେ ରା.ଉଦୟଗିରି ଓ ମୋହନା ଉଭୟ ଦମକଳ ବାହିନୀ ପହଞ୍ଚି ଗାଡିରେ ଫସି ରହିଥିବା ଉଭୟ ଡ୍ରାଇଭର ଓ ହେକ୍ଟରକୁ ଉଦ୍ଧାର କରିଥିଲେ I ଉଭୟ ଡ୍ରାଇଭର ଓ ହେକ୍ଟରଙ୍କୁ ଆମ୍ବୁଲାନ୍ସ ଯୋଗେ ରା.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ଡ୍ରାଇଭରଙ୍କ ମୁଣ୍ଡରେ ଓ ଗୋଡ଼ରେ ଅତ୍ୟଧ୍ବକ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି I ଡ୍ରାଇଭର ଜଣକ କଟକ ସଦରର ପ୍ରେମାନନ୍ଦ ସାହୁ (୬୬) ହୋଇଥିବାବେଳେ ହେକ୍ଟର ଜଣକ ଯାଜପୁର ଅଞ୍ଚଳର ରମାକାନ୍ତ ପାତ୍ର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ରା.ଉଦୟଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି I ବାରାମ୍ବାର ଚମ୍ପା ଘାଟିର ବୁଲାଣିରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାବେଳେ ପ୍ରଶାସନ ବିହିତ ପ୍ରତିକାର କରୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି.ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ I