“ଆ ଜହ୍ନ ମାମୁ ସରଗ ଶଶୀ” କଅଁଳ ହାତରେ ରୂପେଲି ଜହ୍ନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଗଷ୍ଟ ୨୩, ୨୦୨୩ ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରାୟନ-୩କୁ ମିଳିଛି ବିରଳ ସଫଳତା । ୧୪୦କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ସାରା ବିଶ୍ୱର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ଏବେ ଚନ୍ଦ୍ରପୃଷ୍ଠରୁ ଆସିଛି ଏକ ଖୁସି ଖବର । ଆଗକୁ ଚନ୍ଦ୍ରକୁ ମାନବ ପଠାଇବାରେ ସଫଳ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଇସ୍ରୋର ଏହି ଐତିହାସିକ ସଫଳତା ସମଗ୍ର ଭାରତ ବର୍ଷ ଉତ୍ସାହର ସହ ପାଳନ କରୁଥିବା ବେଳେ ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଚିତ୍ର ଶିକ୍ଷାନୁଷ୍ଠାନ ଚିତ୍ରଶାଳା ପକ୍ଷରୁ କୁନି ଚିତ୍ରଶିଳ୍ପୀଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ “ଆ ଜହ୍ନମାମୁ ସରଗ ଶଶୀ” ଅନୁଷ୍ଠିତ ହୋଇଯାଇଛି । କଅଁଳ ହାତରେ ପ୍ରତୀକାତ୍ମକ ରୂପେଲି ଜହ୍ନ ତିଆରି କରି “ଆ ଜହ୍ନମାମୁ ସରଗ ଶଶୀ – ମୋ କାହ୍ନୁ ହାତରେ ପଡରେ ଖସି” ଗୀତ ଗାଇ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ଏବଂ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ ପ୍ରମୁଖ ଯୋଗଦେଇ କୁନି ଚିତ୍ରଶିଳ୍ପୀଙ୍କ ଏହି ସୃଜନଶୀଳ କଳାକୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ