ଶହୀଦ୍ ବାଘାଯତୀନଙ୍କ ୧୦୮ ତମ ସ୍ମୃତି ଦିବସ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନ ଘ. ୧୦.୩୦ମି ସମୟରେ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଘାଯତୀନ ଉନ୍ନୟନ କମିଟି ଆନୁକୁଲ୍ୟରେ ଶହୀଦ୍ ବାଘାଯତୀନଙ୍କ ୧୦୮ତମ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ), ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ବାଘାଯତୀନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ I ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ସାଂସଦ, ବାଲେଶ୍ୱର ଯୋଗଦେଇଥିଲେ I ଶ୍ରୀଯୁକ୍ତ ସ୍ବରୁପ କୁମାର ଦାସ, ମାନ୍ୟବର ବିଧାୟକ, ବାଲେଶ୍ୱର, ଶ୍ରୀମତୀ ସବିତା ସାହୁ, ପୌରଧ୍ୟକ୍ଷା, ବାଲେଶ୍ୱର ଏବଂ ଶ୍ରୀଯୁକ୍ତ ଆଲୋକ କୁମାର ସାହୁ, ଅଧ୍ୟକ୍ଷ, ବ୍ରିଟ, ବାଲେଶ୍ୱର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ I ବାଲେଶ୍ୱର ଜିଲ୍ଲାପାଳ ତଥା କମିଟିର ସଭାପତି ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ I ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ବାଘାଯତୀନଙ୍କ ସ୍ମୃତିଚାରଣ କରିବା ସହିତ ଆଗାମୀ ପୀଢି କିଭଳି ବାଘାଯତୀନଙ୍କ ବଳିଦାନକୁ ମନେ ପକାଇବେ, ସେଥିପାଇଁ ଜିଲ୍ଲାପାଳ ଏବଂ ପ୍ରଶାସନକୁ ଅନୁରୋଧ କରିଥିଲେ । ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଷଡ଼ଙ୍ଗୀ ବାଘାଯତୀନଙ୍କ ଜୀବନୀ ଏବଂ ବଳିଦାନ ଉପରେ ଆଲୋକପାତ କରି ବାଲ୍ୟାବସ୍ଥାରେ ସେ ବାଘ ସଙ୍ଗେ ଲଢି ବାଘାଯତୀନ ନାମରେ ନାମିତ ହୋଇଥିବା ପ୍ରକାଶ କରିଥିଲେ । ତାଙ୍କର ବଳିଦାନ, ଦେଶପ୍ରେମ ଓ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ସେ ଦେଶ ପାଇଁ ଯେଭଳି ପ୍ରାଣ ଦେଇଥିଲେ ତାହା ଇତିହାସରେ ବିରଳ ବୋଲି ସେ ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ସମେତ ବହୁ ରାଷ୍ଟ୍ର ସ୍ୱାଧୀନ ହୋଇଥିଲେ । ମହାତ୍ମାଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରାମ ବ୍ରଟିଶ ସରକାରଙ୍କୁ ସେତେବେଳେ ଦୋହଲାଇ ଦେଇଥିଲା । ବାଘାଯତୀନଙ୍କ ବଳିଦାନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ଦେଶପ୍ରେମ ସହିତ ନିରକ୍ଷରତା, ଅନ୍ଧବିଶ୍ୱାସକୁ ପ୍ରତିହତ କରିପାରେଲେ ଏ ଦିବସ ପାଳନର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି କହିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାସ ନିଜ ସ୍କୁଲ ଜୀବନରେ ବାଘା ଯତୀନଙ୍କ ବୀରତ୍ୱ ସମ୍ପର୍କରେ ପଢିଥିବା ଏବଂ ସେଥିରୁ ଯଥେଷ୍ଟ ପ୍ରେରଣା ପାଇଥିବା ପ୍ରକାଶ କରିଥିଲେ । ବାଘା ଯତୀନ ଯେଉଁଠାରେ ପ୍ରାଣବଳି ଦେଇଥିଲେ, ସେହିଠାରେ ଠିଆ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଶ୍ରୀଯୁକ୍ତ ଦାସ କହିଥିଲେ । ବାଘାଯତୀନଙ୍କ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରଷ୍କାର ଓ ମାନପତ୍ର ପ୍ରଦାନ କରା ଯାଇଥିଲା I ଏହି ଅବସରରେ ପଶ୍ଚିମବଙ୍ଗରୁ ଆସିଥିବା ରକ୍ତତୀର୍ଥ ଯାତ୍ରୀ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସମେତ ବିଦ୍ୟାଳୟର ଛାତ୍ରୀଗଣ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସୁଜିତ କୁମାର ଦେବ, କାର୍ଯ୍ୟକାରୀ ସଭାପତି ଓ ହରେନ ଚନ୍ଦ୍ର ରଣା, ସାଧାରଣ ସମ୍ପାଦକ ସଭା ପରିଚାଳନା କରିଥିଲେ I ଶ୍ରୀମତୀ ମିନା ମହାନ୍ତି, କାଉନସିଲର ଧନ୍ୟବାଦ ଅର୍ପଣ କରିଥିଲେ I